ଧନତେରସରେ ବିଜେପି ମାଗିଲା ଦାନ ! ନମୋ ଆପ ଜରିଆରେ ସାହାଯ୍ୟ ମାଗିବାର କାରଣ କ’ଣ ?

କାହିଁକି ଦେଶର ଧନୀ ଦଳ ତାଲିକା ଶୀର୍ଷରେ ଥିବା ବିଜେପିକୁ ଲୋଡ଼ା ଦାନ ଅର୍ଥ କ’ଣ ଏହା ପଛର କାରଣ ? କେନ୍ଦ୍ରରୁ ଆରମ୍ଭ କରି ରାଜ୍ୟ ରାଜନୀତି ସରଗରମ ।

209

କନକ ବ୍ୟୁରୋ: ଧନରେସରେ ବିଜେପିକୁ ଲୋଡ଼ା ଦାନ ଅର୍ଥ । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ନମୋ ଆପ୍ ଜରିଆରେ ବିଜେପି ମାଗିଛି ସହାୟତା ରାଶି । ଯାହାକୁ ନେଇ ଏବେ ଦେଶ ଓ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ବିଜେପିକୁ ହଠାତ୍ କାହିଁକି ଦାନ ଅର୍ଥ ଆବଶ୍ୟକ ପଡ଼ିଲା ତା’ପୁଣି ଧନତେରସ ଭଳି ଶୁଭ ଦିନରେ ।

ନିକଟରେ ହୋଇଥିବା ଏକ ସର୍ଭେରୁ ଜଣା ପଡ଼ିଥିଲା ଯେ, ୨୦୧୬-୧୭ ଆର୍ଥିକ ବର୍ଷର  ଦେଶର ସବୁଠାରୁ ଧନୀ ଦଳ ହେଉଛି ବିଜେପି । ଯାହାର ବାର୍ଷିକ ଆୟ ୧ ହଜାର କୋଟି ବୋଲି ରିପୋର୍ଟରୁ ଜଣାପଡ଼ିଛି । ତେବେ ହଠାତ୍ ଦେଶର ସବୁଠାରୁ ଧନୀ ଦଳ ତାଲିକା ଶୀର୍ଷରେଥିବା ବିଜେପିକୁ କାହିଁକି ଦାନ ଅର୍ଥ ଲୋଡ଼ା ପଡ଼ିଲା ତାହାକୁ ନେଇ ରାଜନୀତି ସରଗରମ ହୋଇଛି । ବିଜେପି ପକ୍ଷରୁ ଜାରି ହୋଇଥବା ଏକ ବିଜ୍ଞାପନରେ ଲେଖାଯାଇଛି ଯେ, ଭାଜପା ସହିତ ସାଥ୍ ଦେଇ ଦେଶର ଉନ୍ନତିକୁ ବଜାୟ ରଖନ୍ତୁ । ତେଣୁ ଧନତେରସରେ ବିଜେପିକୁ ନମୋ ଆପ ଜରିଆରେ ଧନରାଶି ଦାନ କରିବାକୁ ଅନୁରୋଧ କରିଛି ବିଜେପି । କେବଳ ଏତିକି ନୁହେଁ ନମୋ ଆପ ଡାଉନଲୋଡ କରିବା ପାଇଁ ଟୋଲ-ଫ୍ରି ନମ୍ବର ମଧ୍ୟ ଏହି ବିଜ୍ଞାପନରେ ଦିଆଯାଇଥିବା ଦେଖିବାକୁ ମିଳିଛି ।

ପୌରାଣିକ ଗାଥାରେ କୁହାଯାଏ ଧନତେରସରେ ଘରକୁ ସୁନା ଅଣିଲେ ଆପଣଙ୍କ ଘରକୁ ଲକ୍ଷ୍ମୀ ପ୍ରବେଶ କରନ୍ତି । ଏହି ପ୍ରଥା ମଧ୍ୟ ଆଦି ଅନାଦି କାଳରୁ ଚାଲି ଆସିଛି । କିନ୍ତୁ ଯଦି ଆପଣଙ୍କୁ ଧନତେରସରେ କୁହାଯାଏ ଲକ୍ଷ୍ମୀ ଅର୍ଥାତ ଟଙ୍କା ଦାନ କରିବାକୁ ତାହା ପୁଣି କୌଣସି ରାଜନୈତିକ ଦଳକୁ , ଏହାକୁ ନେଇ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ ଏବଂ ସେହିଭଳି କିଛି କାର୍ଯ୍ୟ କରିଛନ୍ତି ମୋଦି ସରକାର । ପୂର୍ବରୁ ମଧ୍ୟ ଗତ କିଛିଦିନ ତଳେ ନମୋ ଆପ ଜରିଆରେ ୫ଟଙ୍କା ଅର୍ଥରାଶି ଦାନ କରିବାକୁ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଅନୁରୋଧ କରିଥିଲେ । ଯାହାକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ନିଶାନା କରିଥିଲେ । ଏବେ ପୁଣି ଧନତେରସରେ ଅର୍ଥ ଲୋଡ଼ିବା କେଉଁ ଦିଗକୁ ଗତି କରିବ ତାହା ଉପରେ ସମସ୍ତଙ୍କ ନଜର ।