କିଏ ହେବ ବିଜେଡି ଯୁବ ବ୍ରିଗେଡର ଚେହେରା ? ସୁପ୍ରିମୋଙ୍କ ମନ ଜିଣିଛନ୍ତି କେଉଁ ଯୁବନେତା ?

କିଏ ଧରିବ ବିଜେଡି ଯୁବ ବ୍ରିଗେଡ୍ ମଙ୍ଗ? ନବୀନଙ୍କ ପସନ୍ଦ କିଏ, ନାପସନ୍ଦ କିଏ? ସୁପ୍ରିମୋଙ୍କ ଗୁଡବୁକରେ ଅଛନ୍ତି କେଉଁ ଯୁବନେତା?

1,349

କନକ ବ୍ୟୁରୋ: ପଞ୍ଚମ ଥର ପାଇଁ କ୍ଷମତାକୁ ଆସିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହେଲେ ୧୯ ଯୁଦ୍ଧରେ ଅନେକ ଆସନରୁ କାହିଁକି ଦଳ ବାଜିମାତ୍ କରିପାରିଲା ନାହିଁ ତାକୁ ନେଇ ଏବେ ଦଳରେ ଚାଲିଛି ଅଙ୍କକଷା । ସେଥିପାଇଁ ଦଳର ବିଭିନ୍ନ ସାଂଗଠନିକ କ୍ଷେତ୍ରରେ ଖୁବଶୀଘ୍ର ପରିବର୍ତ୍ତନ କରିପାରନ୍ତି ବିଜେଡି ସୁପ୍ରିମୋ ବୋଲି ଶୁଣିବାକୁ ମିଳିଛି । ବିଶେଷ କରି ବିଜୁ ଯୁବ ଜନତା ଦଳର ସଂଗଠନକୁ ଅଧିକ ମଜବୁତ, କ୍ରିୟାଶୀଳ ଏବଂ ଆକ୍ଟିଭ୍ ମୋଡକୁ ଆଣିବା ନବୀନଙ୍କ ଫୋକସରେ ରହିଛି ବୋଲି ‘ଶଙ୍ଖ’ ଶିବିରରେ ଶୁଣିବାକୁ ମିଳୁଛି ।

ବର୍ତ୍ତମାନ ଯୁବ ସଭାପତି ରେସରେ ଚାନ୍ଦାବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ନାଁ ଅଧିକ ଶୁଣିବାକୁ ମିଳୁଛି । କାରଣ ଗତ ୨୦୧୩ରେ ବ୍ୟୋମକେଶ ଛାତ୍ର ସଭାପତି ଦାୟିତ୍ୱରେ ଥିବାବେଳେ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ବ୍ୟାପକଭାବେ ବାଜିମାତ୍ କରିଥିଲା । ଆଉ ତାଙ୍କର ଏଭଳି ଦକ୍ଷତାକୁ ଭିତ୍ତି କରି ବିଜେଡି ସୁପ୍ରିମୋ ତାଙ୍କୁ ୨୦୧୪ ନିର୍ବାଚନରେ ଚାନ୍ଦବାଲି ବିଧାନସଭା ଟିକେଟ୍ ଦେଇଥିଲେ । ଆଉ ବ୍ୟୋମକେଶ ମଧ୍ୟ ସେଠାରୁ ବିଜେପିର ପୁରୁଖା ନେତା ମନମୋହନ ସାମଲଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ । ଚଳିତ ନିର୍ବାଚନରେ ମଧ୍ୟ ବ୍ୟୋକେଶ ଦ୍ୱିତୀୟ ଥର ଟିକେଟ୍ ପାଇଁ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କର ଏହି ଦକ୍ଷତାକୁ ଦେଖି ଯୁବ ବିଜେଡିର ପରାମର୍ଶଦାତା ଭାବେ ଦାୟିତ୍ୱରେଥିବା ବ୍ୟୋମକେଶଙ୍କୁ ଯୁବ ବିଜେଡିର ସଭାପତି ସିଟ୍ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ସେହିଭଳି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଓ ରାଜ୍ୟ ବିଜେଡିର ସାଧାରଣ ସମ୍ପାଦକ ବିଜୟ ନାୟକଙ୍କ ନାଁ ମଧ୍ୟ ବିଜୁ ଯୁବ ଜନତା ଦଳର ସଭାପତି ରେସରେ ରହିଥିବା ଚର୍ଚ୍ଚା ହେଉଛି । ଯେହେତୁ ପ୍ରଶାନ୍ତ ଜଗଦେବଙ୍କ ଛବି ଗଣମାଧ୍ୟମରେ ସେତେଟା ଭଲ ନୁହେଁ ତେଣୁ ତାଙ୍କ ଅପେକ୍ଷା ବିଜୟଙ୍କୁ ଭରସି ପାରନ୍ତି ବିଜେଡି ସୁପ୍ରିମୋ । ଏପରିକି ୨୦୧୯ ନିର୍ବାଚନ ଫଳାଫଳ ପରେ ବିଜେଡି ସୁପ୍ରିମୋଙ୍କ ଗୁଡ୍ ବୁକରେ ରହିଛନ୍ତି ବିଜୟ ନାୟକ । କାରଣ ବରୀ ଆସନରୁ ଟିକେଟ ପାଇବା ନେଇ ବିଜୟଙ୍କ ନାଁ ବିଜେଡି କ୍ୟାମ୍ପରେ ଶୁଣିବାକୁ ମିଳୁଥିଲେ ମଧ୍ୟ ଦଳ ସେଠାରୁ ସୁନନ୍ଦା ଦାସଙ୍କୁ ଟିକେଟ୍ ଦେଇଥିଲେ ବିଜେଡି ସୁପ୍ରିମୋ । ହେଲେ ଅନ୍ୟପଟେ ଏନେଇ କୌଣସି ଆପତ୍ତି ନକରି ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳ ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଚାଲିଛନ୍ତି ବିଜୟ । ତେଣୁ ସେ ଏଥର ଯୁବ ବିଜେଡି ସଭାପତି ସିଟ୍ ପାଇଁ ହକଦାର ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଯୁବ ବିଧାୟକଙ୍କ ବାଦ୍ କିଛି ପୁରୁଖା ଛାତ୍ର ନେତାଙ୍କ ନାଁ ମଧ୍ୟ ଏହି ଯୁବ ବିଜେଡିର ‘ଯୁବରାଜ’ ଦୌଡ଼ରେ ରହିଥିବ ଶୁଣିବାକୁ ମିଳୁଛି । ଏହି ରେସରେ ଉତ୍କଳ ବିଶ୍ୱବିଦ୍ୟାଳର ପୂର୍ବତନ ଛାତ୍ର ସଭାପତି ଚିନ୍ମୟ ସାହୁ ଏବଂ ରାଜ୍ୟ ବିଜେଡି ସମ୍ପାଦକ ଦୁର୍ଗା ପ୍ରସାଦ ସାମନ୍ତରାୟଙ୍କ ନାଁ ଚର୍ଚ୍ଚା ରହିଥିବା ଶୁଣିବାକୁ ମିଳୁଛି । ଅନ୍ୟପଟେ ୨୦୧୪ ନିର୍ବାଚନର ଠିକ୍ ୫ ମାସ ପରେ ଅର୍ଥାତ୍ ଅଗଷ୍ଟ ମାସରେ ଚିନ୍ମୟ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିଲେ । ସେବେଠାରୁ ସେ ଛାତ୍ର ସଂଗଠନକୁ ମଜବୁତ କରିବାରେ ଲାଗି ପଡ଼ିଛନ୍ତି । ଏପରିକି ୧୯ ଯୁଦ୍ଧରେ ଉତ୍ତର ଭୁବନେଶ୍ୱରରୁ ଟିକେଟ୍ ପାଇବାନେଇ ଚିନ୍ମୟଙ୍କ ନାଁ ଚର୍ଚ୍ଚା ହେଉଥିଲା କିନ୍ତୁ ଦଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ସୁଶାନ୍ତ ରାଉତକୁ ଟିକେଟ୍ ଦେଇଥିଲା । ତେବେ ବର୍ତ୍ତମାନ ବିଜୁ ଛାତ୍ର ଜନତା ଦଳର ଉପଦେଷ୍ଟା ଭାବେ ଦାୟିତ୍ୱ ତୁଲାଉଥିବା ଚିନ୍ମୟଙ୍କୁ ଦୀର୍ଘ ଦିନର ପରିଶ୍ରମର ଫଳ ମିଳିପାରେ ବୋଲି ଶଙ୍ଖ ଶିବିରରେ ଶୁଣିବାକୁ ମିଳୁଛି ।

ଏସବୁ ବାଦ୍ ବର୍ତ୍ତମାନ ଯୁବ ବିଜେଡିର ସଭାପତି ଅମରେଶ ପତ୍ରୀଙ୍କୁ ନବୀନ କେଉଁଭଳି ଖୁସି କରିବେ ତାହା ମଧ୍ୟ ବଡ଼ ପ୍ରଶ୍ନ । କାରଣ ଅମରେଶଙ୍କ ତତ୍ୱାବଧାନରେ ବିଜୁ ଯୁବ ଜନତା ଦଳ ନିର୍ବାଚନ ପୂର୍ବରୁ ସକ୍ରିୟ ହୋଇଛି । ବିରୋଧୀଙ୍କ ଯୁବ ସଂଗଠନକୁ ଉଚିତ୍ ସମୟରେ ଜବାବ୍ ଦେଇ ଚର୍ଚ୍ଚାରେ ରହିଛନ୍ତି ଯୁବ ବିଜେଡି ଦଳର ସଭାପତି ଅମରେଶ ପତ୍ରୀ । ତେବେ ଅମରେଶଙ୍କୁ ଯଦି ବିଜେଡି ସୁପ୍ରିମୋ ଯୁବ ସଭାପତି ଦାୟିତ୍ୱରୁ ହଟାନ୍ତି ତେବେ ତାଙ୍କୁ ଆଗକୁ ଦଳର କେଉଁ ସାଂଗଠନିକ ଦାୟିତ୍ୱ ଦେବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଅନ୍ୟପଟେ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା କି, ଆଗକୁ ରଥାଯାତ୍ରା ଓ ଏହାପରେ କଲେଜ ଗୁଡ଼ିକରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯିବ । ନାମଲେଖାର କିଛି ଦିନ ପରେ ଛାତ୍ର ସଂସଦ ନିର୍ବାଚନ ଆସୁଥିବାରୁ ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ ଯୁବ ବିଜେଡିର ସାଂଗଠନିକ କ୍ଷେତ୍ରରେ ପରିବର୍ତ୍ତନ ହେବ ବୋଲି ଶୁଣିବାକୁ ମିଳୁଛି । ତେବେ ପୂର୍ବଭଳି କେଉଁ ହେଭିୱେଟ୍ ନେତାଙ୍କ ଲବି ନାଁ ଯୁବ ନେତାଙ୍କ ସାଂଗଠନିକ ଦକ୍ଷତା ଦେଖି ଏଥର ଯୁବ ବିଜେଡିର ମଙ୍ଗ ଧରାଇବେ ନବୀନ ତାହା ମଧ୍ୟ ଦେଖିବାର କଥା ।

ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଅଧିକ ଆକ୍ଟିଭ ମୋଡ଼ରେ ଥିବା ଯୁବ ବିଜେଡି ସାଂଗଠନିକ କ୍ଷେତ୍ରରେ ଆଗକୁ ପରିବର୍ତ୍ତନ କରିବାକୁ କସରତ ହେଉଛି ବୋଲି ଚର୍ଚ୍ଚା ହେଉଛି । କାରଣ ଚଳିତ ନିର୍ବାଚନରେ ରାଜ୍ୟରେ ଅଧିକ ଯୁବ ଭୋଟର ଥିଲେ ମଧ୍ୟ ବିଭିନ୍ନ ବିଧାନସଭା ଏବଂ ସଂସଦୀୟ କ୍ଷେତ୍ରରେ ବିଜେଡି କାହିଁକି ହାରିଲା ସେନେଇ ଦଳ ମାନସ ମନ୍ଥନ କରୁଛି । ଆଉ ସେଥିପାଇଁ ଏକ ଦକ୍ଷ ଯୁବନେତାଙ୍କୁ ବିଜୁ ଯୁବ ଜନତା ଦଳର ମଙ୍ଗ ଧରାଇବାକୁ ‘ଶଙ୍ଖ’ ଶିବିରରେ ସଜବାଜ ଚାଲିଥିବା ଚର୍ଚ୍ଚା ହେଉଛି । ଏହି ପ୍ରରିପେକ୍ଷିରେ ବର୍ତ୍ତମାନ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀଙ୍କୁ ହଟାଇ ସଂଗଠନକୁ ଅଧିକ କ୍ରିୟାଶୀଳ କରାଇପାରୁଥିବା ଯୁବନେତାଙ୍କୁ ସଭାପତି ସିଟରେ ବସାଇପାରେ ବିଜେଡି ।