କାହିଁକି ଏନଡିଏକୁ ସୁହାଉଛି ବିଜେଡି ନିଷ୍ପତି, ଜାତୀୟ ଗଣମାଧ୍ୟମରେ କାରଣକୁ ନେଇ ଚର୍ଚ୍ଚା ।

47

କନକ ବ୍ୟୁରୋ : ସମର୍ଥନ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କରିଛନ୍ତି ମୋଦି । ସେହିପରି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ମଧ୍ୟ ଫୋନ କରି କୃତଜ୍ଞତା ଜଣାଇଛନ୍ତି । ତେବେ ସମର୍ଥନ ପରେ ଏହି ଧନ୍ୟବାଦର ପର୍ବକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ବିଜେଡି-ବିଜେପି ନିକଟତର ହେଉଥିବା ନେଇ ଜାତୀୟ ଗଣମାଧ୍ୟମରେ ଆଲୋଚନା ଚାଲିଛି । ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ଲଢେଇ ଜୋରଦାର ହେବା ନେଇ ଚର୍ଚ୍ଚା ଭିତରେ ଜାତୀୟ ରାଜନୀତିରେ ନବୀନଙ୍କ ଏହି ସମର୍ଥନ ଏକ ବିରାଟ ଦ୍ୱନ୍ଦ ତିଆରି କରିଛି । ଯାହା ତୃଣମୂଳ ସ୍ତରର ନେତାଙ୍କୁ ଅଡୁଆ କରିବା କୁହାଯାଉଛି ।

will naveen soft for bjpଗୁରୁବାର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସମର୍ଥନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କରି ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ ଏନଡିଏ ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇଥିବାବେଳେ ତାଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ ବିଜେଡିର ସମସ୍ତ ୯ଜଣ ସାଂସଦ । ଯେଉଁଥିପାଇଁ ୧୨୫ ଭୋଟ୍ ସହ କଂଗ୍ରେସ ପ୍ରାର୍ଥୀ ବି.କେ. ହରିପ୍ରସାଦଙ୍କୁ ହରାଇବାରେ ସମର୍ଥ ହେଲେ ହରିବଂଶ । ସେହିପରି ସମର୍ଥନ ପାଇଁ କୃତଜ୍ଞତା ଜଣାଇବାକୁ ଫୋନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମିଳିତ ବିରୋଧୀ ମେଂଟର ପ୍ରାର୍ଥୀଙ୍କୁ ମାତ ଦେବା ଲାଗି ବିଜେପିକୁ ନବୀନଙ୍କ ସମର୍ଥନ ନିର୍ଣ୍ଣାୟକ ସାବ୍ୟସ୍ତ ହେଲା ବୋଲି ଜାତୀୟ ଗଣମାଧ୍ୟମ ଗୁଡିକରେ ଚର୍ଚ୍ଚା ହେଉଛି । ଯଦିଓ ବିଜେଡି ସ୍ପଷ୍ଟ କରିଛି ଯେ, ଜେପି ଆନ୍ଦୋଳନରୁ ଉଭୟ ଜେଡିୟୁ ଓ ବିଜେଡିର ସୃଷ୍ଟି ହୋଇଥିବାରୁ ଜେଡିୟୁ ସହ ଦଳର ବିଚାରଗତ ସଂପର୍କ ରହିଛି । ଏବଂ ସେଥିପଇଁ ଦଳ ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ କରିଛି । କିନ୍ତୁ ଏହା ବିଜେପିର ବିଜୟରେ ପ୍ରମୁଖ କାରଣ ପାଲଟିଲା ଏକଥାକୁ ମଧ୍ୟ ଅସ୍ୱୀକାର କରାଯାଇପାରିବ ନାହିଁ ।

ଜାତୀୟସ୍ତରର ଏକ ପ୍ରମୁଖ ପତ୍ରିକା ଆଉଟଲୁକରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସମର୍ଥନ କରିବା ଲାଗି ନବୀନଙ୍କୁ ଫୋନ କରିିଥିଲେ ମୋଦି । ଏପରିକି ଗୋଟିଏ ମାସରେ ଏହା ତୃତୀୟ ଫୋନ୍ କଲ ଥିଲା ବୋଲି ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି । ସେହିପରି ମିଡିଆ ରିପୋର୍ଟକୁ ଆଧାର କରି ଏହି ପତ୍ରିକା ଲେଖିଛି ଯେ, ଗତ ଜୁଲାଇରେ ନବୀନଙ୍କ ଭଉଣୀ ଗୀତା ମେହଟା ଓ ତାଙ୍କ ସ୍ୱାମୀ ସୋନି ମେହଟା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ । ଯାହା ଦିଲ୍ଲୀ ନେତାଙ୍କ ସହ ନବୀନ ନିକଟତର ହେଉଥିବା ନେଇ ଚର୍ଚ୍ଚାକୁ ବଢାଇ ଦେଇଥିଲା ବୋଲି କୁହାଯାଇଛି । ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ରକ୍ଷା କରିଆସୁଥିବା ବିଜେଡି ଲୋକସଭାରେ ଅନାସ୍ଥା ଭୋଟରୁ ଦୂରେଇ ରହିଲା, ଯାହା ବିଜେପିକୁ ସୁହାଇଲା । ଆଉ ଏବେ ରାଜ୍ୟସଭାରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରି ଯେଉଁ ଦ୍ୱନ୍ଦ୍ୱ ତିଆରି କରିଛ,ି ତାର ପ୍ରଭାବ ୨୦୧୯ ସାଧାରଣ ନିର୍ବାଚନରେ ଅନୁଭୂତ ହେବ ବୋଲି ଆକଳନ କରାଯାଉଛି ।

ଅଥାର୍ତ ୨୦୧୯ରେ ସତ୍ତା ଦଖଲ ପାଇଁ ୨ଟି ରାସ୍ତାକୁ ଖୋଲା ରଖିଛନ୍ତି ଉଭୟ ଦିଲ୍ଲୀ ଆଉ ରାଜ୍ୟ ନେତା :
– ଯଦି କେନ୍ଦ୍ରରେ ସରକାର ଗଠନ ପାଇଁ ମୋଦିଙ୍କୁ ମେଂଟ କରିବାକୁ ପଡେ ତେବେ ବିଜେଡି ଏକ ପ୍ରମୁଖ ସହଯୋଗୀ ହେବ
– ଆଉ ରାଜ୍ୟରେ ଯଦି ବିଜେଡି ସଂଖ୍ୟା ଆବଶ୍ୟକ କରେ, ତେବେ ଦିଲ୍ଲୀରୁ ନିର୍ଦ୍ଦେଶ ରହିବ ବାହ୍ୟ ସମର୍ଥନ ପାଇଁ
– ମେଂଟ ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରୁ ବିଜେଡିର ପସନ୍ଦ ବିଜେପି ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି

ଏନସିପିକୁ ସମର୍ଥନ ପାଇଁ ମନା କରିଦେଇ ଶେଷ ମୁହୂର୍ତରେ ଏନିଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ଜାତୀୟ ରାଜନୀତିକୁ ବି ହଲଚଲ କରିଦେଇଛି । କାରଣ ଜାତୀୟ ସ୍ତରରେ ସତା ବଜାୟ ରଖିବାକୁ ବିଜେପି ନୂଆ ସାଥୀ ଖୋଜୁଛି । ଆଉ ରାଜ୍ୟ ବିଜେପି ସହ ତମାମ ପ୍ରତିଦ୍ୱନ୍ଦିତା ଭିତରେ ନବୀନ କେନ୍ଦ୍ରୀୟ ନେତାଙ୍କ ନିକଟତର ହେବା ଚର୍ଚ୍ଚା ହେଉଛି । କଥା କଥାରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଉଥିବା ବିଜେଡି ଆବଶ୍ୟକ ବେଳେ ବିଜେପିକୁ ସମର୍ଥନ କରିବା ବିରୋଧୀଙ୍କୁ ସମାଲୋଚନା ପାଇଁ ଖୋରାକ ଯୋଗାଇଛି । ନବୀନଙ୍କୁ ହରାଇବା ପାଇଁ ଏନଡିଏ ଲକ୍ଷ୍ୟ ରଖିଥିବା ବେଳେ ଏନଡିଏ ପ୍ରାର୍ଥୀଙ୍କୁ ଜିତାଇ ବିଜେଡି ନିଜ ଗୋଡରେ ନିଜେ କୁରାଢୀ ମାରୁଛି ବୋଲି ଟ୍ୱିଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ । ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ମଧ୍ୟ ସହଭାଗିତା ପାଇଁ ସାଲିସର କଥା ଉଠାଇ ସମାଲୋଚନା କରିଛନ୍ତି ।