ଆଜିଠୁ ବଢିବ ତାତି ! ଆଉ ରହବନି ଟ୍ରାପ ଲାଇନର ପ୍ରଭାବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇପାରେ

31

କନକ ବ୍ୟୁରୋ: ଖରା, ବର୍ଷା, କୋହଲା ପାଗରେ ଗୋଟିଏ ସପ୍ତାହ ଚାଲିଗଲା। ଏଣିକି ପୁଣିଥରେ ବଢ଼ିବ ତାତି । ଆଜିଠାରୁ ଉପାନ୍ତରୁ ଉପକୂଳ, ପଶ୍ଚିମରୁ ଦକ୍ଷିଣ ଓଡ଼ିଶା ସବୁଠି ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଫେବ୍ରୁଆରି ୨୨ ପର୍ଯ୍ୟନ୍ତ ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ଉପରକୁ ଚାଲିଯିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିସହ ୧୮ ଓ ୧୯ ତାରିଖରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡ଼ିର ପ୍ରଭାବ ରହିବ । ୨୦୦ ମିଟର ପରେ ରାସ୍ତା ଦୃଶ୍ୟମାନ ହେବ ନାହିଁ । ଏନେଇ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

ବୁଧବାର ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ପବନ ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲେ ମଧ୍ୟ ସେଭଳି କିଛି ହୋଇନି । ଗୋଟିଏ ଦୁଇଟି ସ୍ଥାନକୁ ଛାଡ଼ି ସାରା ଓଡ଼ିଶାରେ ଗତକାଲି ପାଗ ଶୁଖିଲା ରହିଥିଲା । ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ହାଲକା ବର୍ଷା ହୋଇଛି । ଅପରାହ୍ନରେ ଉପକୂଳ ଓଡ଼ିଶାରେ ପବନର ବେଗ ସାମାନ୍ୟ ବଢ଼ିଥିଲା ।

ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ସାହୁଙ୍କ କହିବାନୁଯାୟୀ ଓଡ଼ିଶା ଉପରେ ଟ୍ରାପ୍ ଲାଇନ୍ ରହିଥିବାରୁ ତାହାର ପ୍ରଭାବରେ ବର୍ଷା ହେଉଥିଲା । ଏଣିକି ଆଉ ବର୍ଷା ହେବନି । ସାରା ରାଜ୍ୟରେ ଦିନର ତାପମାତ୍ରା ବଢ଼ିବ । ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୬/୩୭ ଡିଗ୍ରୀ ରହିବ । ଭୁବନେଶ୍ୱର ଓ କଟକରେ ବି ତାତି ଅନୁଭୂତ ହୋଇପାରେ। ୨୨ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରଗଡ଼, ସୁନ୍ଦରଗଡ଼, କୋରାପୁଟ ଓ ଦାରିଙ୍ଗବାଡ଼ିକୁ ଛାଡ଼ି ଅନ୍ୟ ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା । ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱରରେ ୩୩, ଭୁବନେଶ୍ୱରରେ ୩୩.୪, ତାଳଚେରରେ ୩୨.୮, କଟକରେ ୩୨.୫, ଗୋପାଳପୁରରେ ୩୨.୬, ଅନୁଗୁଳରେ ୩୨.୧, ଟିଟିଲାଗଡ଼ରେ ୩୨ ଡିଗ୍ରୀ ରହିଥିଲା ।