୪୮ ଘଂଟା ଭିତରେ ଗଭୀର ଅବପାତର ରୂପନେବ ଲଘୁଚାପ : ଆନ୍ଧ୍ରପ୍ରଦେଶର ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା

43

କନକ ବ୍ୟୁରୋ : ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି । ଏହି ଲଘୁଚାର ଧିରେ ଧିରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏବେ ଏହା ଆନ୍ଧ୍ରପ୍ରଦେଶର ମଛିଲିପଟ୍ଟନମର ଦକ୍ଷିଣପୂର୍ବ ଦିଗରେ ପ୍ରାୟ ୧୧୨୦ କିଲୋମିଟର ଏବଂ ଗୋପାଳପୁରଠାରୁ ପ୍ରାୟ ୧୨୦୦ କିଲୋମିଟର ଦୂରରେ ରହିଛି । ଏହି ଲଘୁଚାପ ଆସନ୍ତା ୪୮ ଘଂଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବା ସହ ଉତ୍ତରପଶ୍ଚିମ ଦିଗରେ ଗତି କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୮ ତାରିଖ ସଂଧ୍ୟା ସୁଦ୍ଧା ଏହା ଆନ୍ଧ୍ର ପ୍ରଦେଶ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।

ଭୂଭାଗକୁ ଛୁଇଁବା ବେଳେକୁ ଏହି ଅବପାତ ଦୁର୍ବଳ ହୋଇ ସାରିଥିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କିନ୍ତୁ ଏହାର ପ୍ରଭାବରେ ଗୁରୁବାରଠାରୁ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୮ ଓ ୯ ତାରଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ନେଇ ଆକଳନ କରୁଛି ପାଣିପାଗ ବିଭାଗ । ରାଜ୍ୟର ୧୮ଟିି ଦକ୍ଷିଣ ଓ ଉପକୂଳ ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି ପରି ଜିଲ୍ଲା ଫୋକସରେ ରହିଥିବା ବେଳେ କନ୍ଧମାଳ, କଳାହାଣ୍ଡି, ଫୁଲବାଣୀ, ନୟାଗଡା, ଅନୁଗୁଳ, ପୁରୀ, ଖୋର୍ଦ୍ଧା, ବାଲେଶ୍ୱର ଆଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ଏହି ଅଦିନିଆ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଏହି ବର୍ଷା ସମୟରେ ୪୦ରୁ ୫୦ କିିଲୋମିଟର ବେଗରେ ପବନ ବହିବା ସହ ସମୁଦ୍ର ଅଶାନ୍ତ ରହିବ । ତେଣୁ ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ୪ ଦିନର ବର୍ଷା ପରେ ୧୧ ତାରିଖ ବେଳକୁ ବର୍ଷା କମିବ ବୋଲି କୁହାଯାଉଛି ।