ଉତ୍କଟ ହେଲା ପିଇବା ପାଣି ସମସ୍ୟା : ରାସ୍ତାକୁ ଓହ୍ଲାଇଲେ ବଲାଙ୍ଗିର ବୁର୍ଡା ଗାଁର ଲୋକେ

29

ବଲାଙ୍ଗିର : ରାଜ୍ୟରେ ଦିନ କୁ ଦିନ ଉତ୍କଟ ହେଉଛି ପିଇବା ପାଣି ସମସ୍ୟା । ପ୍ରତି ଦିନ ରାଜ୍ୟର କେଉଁଠି ନାଁ କେଉଁଠି ପାଣି ରାସ୍ତାକୁ ଓହ୍ଲାଉଛନ୍ତି ଲୋକେ । ଆଜି ବଲାଙ୍ଗିର ଲୋଇସିଂହା ବ୍ଲକ ବୁର୍ଡା ଗାଁର ଲୋକ ରାସ୍ତାକୁ ଓହ୍ଲାଇଥିଲେ । ଗାଁରେ ନଳକୂଅ ସବୁ ଅଚଳ ହେବା ସହ ଷ୍ଟାଂଡ ପୋଷ୍ଟରୁ ପାଣି ବାହାରୁନି । ଫଳରେ ପାଣି ମୁନ୍ଦେ ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ଯାହାର ପ୍ରତିଫଳନ ଆଜି ଦେଖିବାକୁ ମିଳିଥିଲା । ଗାଁର ମହିଳାମାନେ ଗରା ମାଠିଆ ଧରି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ବୁର୍ଡା ଗାଁରେ ଯେଉଁ ନଳକୂଅ କାମ କରୁଛି ସେଥିରୁ ଗୋଳିଆ ପାଣି ବାହାରୁଛି । ଏନେଇ ପ୍ରଶାସନକୁ ଅବଗତ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ । ଶେଷରେ ଗାଁର ମହିଳାମାନେ ରାସ୍ତାକୁ ଓହ୍ଲାଇଥିବା କୁହନ୍ତି । ତେବେ ସମସ୍ୟା ସମାଧାନ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।