ବର୍ଷା ଋତୁରେ ବି ଜଳସଙ୍କଟ : ପାଣି ଟୋପାଏ ପାଇଁ ଚୁଆ ହିଁ ଏକମାତ୍ର ଭରସା

90

କନକ ବ୍ୟୁରୋ : ନିର୍ବାଚନୀ ଋତୁ ପରେ ଜନତାଙ୍କୁ ଭୁଲିଗଲେ ନେତା । ଜିତିଲେ ଗାଁର ଏବଂ ଅଂଚଳର ବିକାଶ କରିବୁ କହି ଭୋଟ୍ ମିଳିବା ପରେ ରାଜନେତଙ୍କର ଆଉ ନାହିଁ । ନିର୍ବାଚନୀ ଋତୁ ପରେ ଆସିଲା ବର୍ଷା ଋତୁ । ବିଡ଼ମ୍ବନାର ବିଷୟ ବର୍ଷା ଋତୁରେ ବି ଜାରି ରହିଛି ଜଳସଙ୍କଟ । ତଥାପି ଦାରୁଣ ଅବସ୍ଥାରେ ପରିବର୍ତ୍ତନ ହେଲାନି । ପ୍ରାୟ ୭୦ରୁ ଊର୍ଦ୍ଧ୍ବ ବାସିନ୍ଦାଙ୍କ ପାଇଁ ଟୋପାଏ ପାନୀୟ ମିଳୁନି । ଚୁଆପାଣି ହିଁ ପିଇ ଶୋଷ ମେଣ୍ଟାଉଛନ୍ତି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ଖଡ଼ମବେଡା ପଞ୍ଚାୟତ ଧଡାସାହି ଗ୍ରାମରେ ଏପରି ଦେଖିବାକୁ ମିଳିଛି।

ପିଇବା ପାଣି ପାଇଁ ଚୁଆ ହେଉଛି ଗ୍ରାମବାସୀଙ୍କ ଏକମାତ୍ର ଭରଷା । ବିଶୋଇରୁ ୧ କିମି ଦୂର ଗଲେ ପଡ଼େ ଧଡ଼ାସାହି । ଏହି ସାହିରେ ପ୍ରାୟ ୧୫ଟି ମୁଣ୍ଡା ପରିବାରର ୭୦ରୁ ଊର୍ଦ୍ଧ୍ବ ଲୋକ ବାସ କରନ୍ତି । ସାହିରେ ପାନୀୟଜଳ ପ୍ରକଳ୍ପ ନାହିଁ କି ନଳକୂଅ ନାହିଁ । ତେଣୁ ବର୍ଷ ତମାମ ଗାଁରୁ ପ୍ରାୟ ଅଧ କିମି ଦୂର ଥିବା ନାଳପାଣିକୁ ଭରସା କରି ଲୋକେ ବଞ୍ଚନ୍ତି । ନାଳ ମଧ୍ୟରେ ଚୁଆ ତିଆରି କରି ସେମାନେ ପାଣିକୁ ଏକ କପଡାରେ ଛାଣି ପାନୀୟ ଜଳ ରୂପେ ବ୍ୟବହାର କରି ଆସୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ କଥା ତ ନ କହିବା ଭଲ । ଗାଁକୁ ଦେଖିଲେ ଲାଗୁଛି ବିକାଶ ବୋଧେ ଏଇଠି ଅଟକି ଯାଇଛି ।

ଏନେଇ ବିଶୋଇ ବ୍ଲକ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ମିଶନର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ, ଜାହିରାସାହିରେ ନବ ନିର୍ମିତ ଉଠାଜଳସେଚନ ପ୍ରକଳ୍ପରୁ ଉକ୍ତ ଅଞ୍ଚଳକୁ ଖୁବ୍ଶୀଘ୍ର ପାନୀୟ ଜଳ ଯୋଗାଇ ଦିଆଯିବ ।