ଲଗାଣ ବର୍ଷା ପରେ ଫୁଲୁଛି ଜଳକା, ବସ୍ତା-ବାଲିଆପାଳ ଯୋଗାଯୋଗ ବିଚ୍ଛିନ୍ନ ! ଆଖୁଆପଦାଠାରେ ବିପଦ ସଂକେତ ଉପରେ ବୈତରଣୀ

30

କନକ ବ୍ୟୁରୋ : ଲଗାଣ ବର୍ଷା ପରେ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଉଛି । ମଥାନୀଠାରେ ବିପଦ ସଙ୍କେତ ୫.୫ ମିଟର ଥିବା ବେଳେ ଏଠାରେ ଜଳ ୬.୫ ମିଟର ଉପରେ ପ୍ରବାହିତ ହେଉଛି । ବସ୍ତା ଅଂଚଳର ପେଜଗଳା ଚଟାଣଠାରେ ରାସ୍ତା ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଫଳରେ ବସ୍ତା- ବାଲିଆପାଳ ଯୋଗାଯୋଗ ବିଛିନ୍ନ ହୋଇଛି ।

ସେପଟେ ବିପଦ ସଙ୍କେତ ଉପରେ ବୈତରଣୀର ଜଳସ୍ତର । ଆଖୁଆପଦା ନିକଟରେ ଏହା ୧୮.୦୩ ମିଟର ରହିଛି । ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର । ଫଳରେ ଆତଙ୍କିତ ହୋଇ ପଡିଛନ୍ତି ଭଣ୍ଡାରୀ ପୋଖରୀ ଅଂଚଳର ଲୋକ ।

ଅନ୍ୟପଟେ ବନ୍ୟାରେ ବୁଡି ରହିଛି ପୁରା ଗଂଜାମ ଜିଲ୍ଳା । ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆସିକା ସହର । ଆସିକାର ସ୍ଥିତି ସଂଗୀନ ହୋଇଛି । ସହରକୁ ଚାରିଆଡୁ ପାଣି ଘେରି ରହିଛି । ରୁଷିକୁଲ୍ୟା ନଦୀର ବନ୍ୟା ଜଳରେ ଜଳବନ୍ଦୀ ହୋଇଛନ୍ତି ଆସ୍କା ବାସିନ୍ଦା । ସହର ମଧ୍ୟରେ ପାଣିର ସୁଅ ଚାଲିଛି । ମୁଖ୍ୟ ରାସ୍ତା ଉପରେ ୫ ଫୁଟ ପାଣିର ସ୍ରୋତ ବୋହୁଛି । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ସମ୍ପୂର୍ଣ୍ଣ ଆସ୍କା ସହର । ସଡକପଥରେ ବନ୍ୟା ଜଳର ପ୍ରବଳ ସ୍ରୋତ ଓ ନଦୀ ମଧ୍ୟରେ କରେଂଟ୍ ଯୋଗୁଁ, ଆସ୍କାକୁ ପହଁଚିବା ମୁସ୍କିଲ ହୋଇପଡୁଛି ଉଦ୍ଧାରକାରୀ ଦଳକୁ ।

ସେହିପରି ରୂଷିକୂଲ୍ୟାର ବନ୍ୟାଜଳ ଭଂଜନଗରର ୧୦ରୁ ଅଧିକ ପଂଚାୟତରେ ପଶିଛି । ରାସ୍ତା ଉପରେ ୪ଫୁଟରୁ ଅଧିକ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ଲୋହରାଖଣ୍ଡି, ବଡ ନଦୀ ଓ ବୋଡା ନଦୀର ବନ୍ୟା ଜଳ ଘେରରେ ଫଶିରହିଛନ୍ତି ହଜାର ହଜାର ଲୋକ । ଫଳରେ ବ୍ରହ୍ମପୁର-ଭଂଜନଗର, ସୋରଡା-ଭଂଜନଗର, ଦଶପଲା-ଭଂଜନଗର, ଭୁବନେଶ୍ୱର-ଭଂଜନଗରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।