ଟେଲିଫୋନ୍ ପାଇପରୁ ବାହାରୁଛି ପାଣି ! ଠିକାଦାରଙ୍କ ବେପରୁଆ କାରବାର, ଦୂଷିତ ଜଳ ପିଉଛନ୍ତି ବାଲେଶ୍ୱର ବାସିନ୍ଦା ।

25

କନକ ବ୍ୟୁରୋ : ଶୁଦ୍ଧ ପାନୀୟ ଜଳ ବଦଳରେ ଲୋକେ ପିଉଛନ୍ତି ଦୂଷିତ ଜଳ  । ଜନସ୍ୱାସ୍ଥ୍ୟ ବିଭାଗ ପାଇପ ଲାଇନର ପାଣି ବାହାରୁଛି ଟେଲିଫୋନ ପାଇପରୁ । ଅମୃତ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଲୋକେ ପିଉଛନ୍ତି ଦୂଷିତ ପାଣି ଓ ଦେଖା ଦେଇଛି ଜଳସଙ୍କଟ । ଯାହାକି ଠିକାଦାରଙ୍କ ମନୋମୁଖି କାରବାରକୁ ପଦାରେ ପକାଇଛି  । ଖୋଲା ଅଛି ପାଇପ୍ ଆଉ ଅବିରତ ବହିଚାଲିଛି ପାଣି  । ତେବେ ଏ ପାଣି ଜନସ୍ୱାସ୍ଥ୍ୟ ବିଭାଗ ଜଳଯୋଗାଣର ନୁହେଁ, ଟେଲିଫୋନ୍ ପାଇପରୁ ବାହାରୁଛି ପାଣି  । ବାଲେଶ୍ୱର ସହଦେବଖୁଂଟା ଅଂଚଳର ଏହି ଘଟଣା ଠିକାଦାରଙ୍କ ମନୋମୁଖୀ କାରବାରକୁ ପୁଣିଥରେ ପଦାରେ ପକାଇଛି  ।

ପାନୀୟ ଜଳ ପାଇଁ ବାଲେଶ୍ୱର ସହରରେ ଅମୃତ ଯୋଜନାରେ ମାଟିତଳେ ବିଛା ଚାଲିଛି ପାଇପ ଲାଇନ । ଲୁହା ପାଇପ ବିଛାଯାଉଥିବା ବେଳେ କିଛି ସ୍ଥାନରେ ପାଇପ ଫାଟି ଯାଉଛି । ତେବେ ମରାମତି ଠିକ ହେଉନଥିବାରୁ ଜନସ୍ୱାସ୍ଥ୍ୟ ବିଭାଗ ଯୋଗାଉଥିବା ପାଣି ବାହାରୁଛି ଟେଲିଫୋନ୍ ପାଇପରୁ  । ପାଣି ନଷ୍ଟ ହେଉଛି ଓ ଏହା ସୃଷ୍ଟି କରିଛି ଜଳସଙ୍କଟ  । କିଛି ସ୍ଥାନରେ ପାଣି ଗୋଳିଆ ବାହାରୁଥିବା ବେଳେ ଲୋକେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି  ।

ଅମୃତ ଯୋଜନା କାର୍ଯ୍ୟକାରୀ ପାଇଁ ବାଲେଶ୍ୱରରେ ଗୋଟିକ ପରେ ଗୋଟିଏ ସମସ୍ୟା ଆସୁଛି ଓ ଅଧିକାରୀ ସମାଧାନ କରିବେ ବୋଲି କହୁଛନ୍ତି । ମାତ୍ର ସଂପୃକ୍ତ ବିଭାଗ ତଥା ଠିକାଦାର ନିଜ କାର୍ଯ୍ୟ ଦାୟିତ୍ୱପୂର୍ଣ୍ଣ ଭାବେ ତୁଲାଉନଥିବା ଯୋଗୁ ଏହାର ପରିଣାମ ଭୋଗୁଛନ୍ତି ବାଲେଶ୍ୱର ବାସିନ୍ଦା  ।