ରାସ୍ତାପାର୍ଶ୍ବ ଉଠାଦୋକାନୀ ସାବଧାନ! ରାସ୍ତାକୁ ମାଡ଼ିଲେ ତଣ୍ଡ, ଆଦାୟ ହେଲା ୨୭ ହଜାର ଟଙ୍କା ଜରିମାନା

ରାସ୍ତାପାର୍ଶ୍ବକୁ ଉଠାଦୋକାନୀଙ୍କ କବଳରୁ ମୁକ୍ତ କରିବାକୁ ଚଢ଼ଉ ଆରମ୍ଭ

89

କନକ ବ୍ୟୁରୋ: ପାଖେଇ ଆସୁଛି ହକି ବିଶ୍ବକପ। ୧୦ ଦିନ ପରେ କଳିଙ୍ଗ ଷ୍ଟାଡିୟମର ହକି ମହାକୁମ୍ଭ ହେବାକୁ ଥିବା ବେଳେ ୨୦୧୯ ପାଇଁ ଚାଲୁରହିଛି ସ୍ବଚ୍ଛ ସର୍ବେକ୍ଷଣ। ଏହାକୁ ଦୃଷ୍ଟିରେ ରଖି ତତ୍ପରତା ପ୍ରକାଶ କରିଛି ଭୁବନେଶ୍ବର ମହାନଗର ନିଗମ। ରାଜଧାନୀର ୮୦ କିମି ରାସ୍ତାପାର୍ଶ୍ବକୁ ଉଠାଦୋକାନୀଙ୍କ କବଳରୁ ମୁକ୍ତ କରିବାକୁ ଚଢ଼ଉ ଆରମ୍ଭ ହୋଇଛି। ସହରର ଆଭ୍ୟନ୍ତରୀଣ ରାସ୍ତା ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ଯେପରି ରାସ୍ତା ଉପରକୁ ମାଡ଼ି ନଆସିବେ, ଆବର୍ଜନା ନ ପକାଇବେ ସେଥିପାଇଁ ପ୍ରଥମେ ପ୍ରଚାର ଓ ସଚେତନତା କରାଯିବା ପରେ ଜରିମାନା ଆଦାୟ କରାଯାଉଛି। ‘ସ୍ବଚ୍ଛ ରାସ୍ତା ଓ ସଚ୍ଛ ବଜାର’ ନୀତିକୁ ବଜାୟ ରଖିବା ପାଇଁ ବିଏମସିର ବିଭିନ୍ନ ଜୋନ୍ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରହିଛି।

ଦକ୍ଷିଣ-ପୂର୍ବ ଜୋନ୍ ପକ୍ଷରୁ ଶିଶୁଭବନ ଛକରୁ ବାଣୀବିହାର, କଳ୍ପନା ଛକରୁ ଏଜି ଛକ ଓ ଆଚାର‌୍ୟ୍ୟ ବିହାରରୁ ଏଜି ଛକ ପର‌୍ୟ୍ୟନ୍ତ ବିଭିନ୍ନ ବଜାର, ଭେଣ୍ତିଙ୍ଗ୍ ଜୋନ୍, ଓମଫେଡ୍ ବୁଥ୍ ଓ ଉଠାଦୋକାନୀଙ୍କୁ ସଚେତନ କରାଯାଇଛି। ବିଏମସି ଯୁଗ୍ମ କମିସନର୍ ବିମଳେନ୍ଦୁ ରାୟଙ୍କ ସହିତ ଦୁଇଟି ସ୍କ୍ବାଡରେ ୱାର୍ଡ ସୁପରଭାଇଜର୍, ୱାର୍ଡ ଅଫିସର, କମ୍ୟୁନିଟି ଅର୍ଗାନାଇଜରମାନେ ସାମିଲ ହୋଇଥିଲେ। ବ୍ୟବସାୟୀଙ୍କୁ ସ୍ବଚ୍ଛ ବଜାର ଓ ସ୍ବଚ୍ଛ ରାସ୍ତା ବାବଦରେ ବୁଝାଇଥିଲେ।

ଯେଉଁମାନେ ଏଥିରେ ଖିଲାପ କରିଛନ୍ତି ପରବର୍ତୀ ସମୟରେ ସେମାନଙ୍କଠାରୁ ଜରିମାନା ଆଦାୟ କରିଛନ୍ତି। ଏହି ଜୋନରୁ ମୋଟ ୧୪ ହଜାର ୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ବିଏମ୍ସି ଉତ୍ତର ମଣ୍ତଳର ଜୋନାଲ୍ ଡେପୁଟି କମିସନର୍ ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧୢକ୍ଷତାରେ ୩ଟି ସ୍କ୍ବାଡ୍ ରସୁଲଗଡ଼ରୁ ଆଚାର‌୍ୟ୍ୟ ବିହାର, ଆଚାର‌୍ୟ୍ୟ ବିହାରରୁ ଜୟଦେବ ବିହାର, ଜୟଦେବ ବିହାରରୁ କିଟ୍ ପର‌୍ୟ୍ୟନ୍ତ ସଚେତନତା କରାଇଥିଲେ। ପୂର୍ବରୁ ସୂଚନା ଦିଆଯାଇଥିବା ଓ ସଚେତନ କରାଯାଇଥିବା ଅଞ୍ଚଳରେ ଆବର୍ଜନା ପକାଇଥିବା ବ୍ୟବସାୟୀଙ୍କଠାରୁ ୪ ହଜାର ୯୫୦ ଟଙ୍କା ଜରିମାନା ଆଦାୟ ହୋଇଛି। ସେହିପରି ଦକ୍ଷିଣ-ପଶ୍ଚିମ ମଣ୍ଡଳରେ ଜୋନାଲ୍ ଡେପୁଟି କମିସନର ଲଲାଟେନ୍ଦୁ ସାହୁଙ୍କ ଅଧୢକ୍ଷତାରେ ଦୁଇଟି ସ୍କ୍ବାଡ୍ ସିଆରପି ଛକରୁ ଡିଏଭି ସ୍କୁଲ୍ ଦେଇ ପାୱାର ହାଉସ୍ ଛକ ଓ ବରମୁଣ୍ଡା ପର‌୍ୟ୍ୟନ୍ତ ଚଢ଼ାଉ କରିଥିଲେ। ଏହି ସବୁ ଅଞ୍ଚଳରୁ ୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ମହିଳା ବ୍ୟବସାୟୀଙ୍କୁ ବୁଝାଇବା ପାଇଁ ମହିଳା କମ୍ୟୁନିଟି ଅର୍ଗାନାଇଜର୍ମାନେ ସାମିଲ ହୋଇଥିଲେ। ଏହି ଅଭିଯାନରେ ୩ ଜଣ ଜୋନାଲ୍ ଡେପୁଟି କମିସନର, ୩ ଜଣ ଜୋନାଲ୍ କମ୍ୟୁନିଟି ଅର୍ଗାନାଇଜର, ୬ଜଣ ୱାର୍ଡ ସୁପର ଭାଇଜର, ୧୮ଜଣ ୱାର୍ଡ ଅଫିସରଙ୍କ ସମେତ ଏନଫୋର୍ସମେଣ୍ଟ ସ୍କ୍ବାଡ ଅଭିଯାନରେ ସାମିଲ୍ ହୋଇଥିଲେ। ବିଏମସି ଅତିରିକ୍ତ ଆୟୁକ୍ତ ଶୁଭମ୍ ସାକସେନା କହିଛନ୍ତି ଯେ, ସମସ୍ତ ବ୍ୟବସାୟୀ ନିଜର ଡଷ୍ଟବିନ୍ ରଖନ୍ତୁ। ଦୋକାନ ସମ୍ମୁଖରେ ଆବର୍ଜନା ରଖନ୍ତୁ ନାହିଁ। ସ୍ବଚ୍ଛ ରାସ୍ତା, ସ୍ବଚ୍ଛ ବଜାର ଓ ସବୁଜ ଭୁବନେଶ୍ବରକୁ ସାକାର କରନ୍ତୁ।

୧୯ରେ ଦ୍ବିତୀୟ ପର‌୍ୟ୍ୟାୟ ‘ମୋ ବସ୍’

ପ୍ରଥମ ପର‌୍ୟ୍ୟାୟରେ ସହରର ୯ଟି ରୁଟରେ ‘ମୋ ବସ୍’ ସେବା କାର‌୍ୟ୍ୟକାରୀ ହେଉଛି। ଏହାର ସଫଳତାକୁ ଦୃଷ୍ଟିରେ ରଖି ଦ୍ବିତୀୟ ପର‌୍ୟ୍ୟାୟ ବସ୍ ଚଳାଚଳ ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ନଭେମ୍ବର ୧୯ରେ ଦ୍ବିତୀୟ ପର‌୍ୟ୍ୟାୟ ‘ମୋ ବସ୍’ ସେବାର ଶୁଭାରମ୍ଭ କରାଯିବ। ଏହି ପର‌୍ୟ୍ୟାୟରେ ୬ଟି ରୁଟ୍ରେ ବସ୍ ଚାଲିବ। ୧୯ ତାରିଖରେ ପ୍ରଥମ ରୁଟ୍ରେ ଚାଲିବ। ଯାତ୍ରୀଙ୍କ ସଂଖ୍ୟା ଓ ଆଗ୍ରହକୁ ଦୃଷ୍ଟିରେ ରଖି ରୁଟ୍ ଗୁଡ଼ିକ ଚିହ୍ନଟ ହେବ। ହକି ବିଶ୍ବକପ୍ ପୂର୍ବରୁ ବାକି ୫ଟି ରୁଟ୍ରେ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି।