ଶବକୁ ମିଳିଲାନି ମଶାଣି ! ଦୁଇ ଗାଁ ମଧ୍ୟରେ ଖଣ୍ଡଯୁଦ୍ଧ, ବିବାଦ ଭିତରେ ଫଶିଗଲା ବୃଦ୍ଧାଙ୍କ ମୃତଦେହ । 

52

କନକ ବ୍ୟୁରୋ : ମଶାଣୀ ପାଇଁ ମୁହାଁମୁହିଁ । ଅସ୍ତରଙ୍ଗ ବ୍ଲକ ଛେଳିଗୁହାଳି ଓ କଟେଇ ମୁଣ୍ଡୁଳି ଗାଁ ମଧ୍ୟରେ ଥିବା ବିବାଦ ଯୋଗୁଁ ଦୀର୍ଘ ୧୮ ଘଣ୍ଟା ଧରି ରାସ୍ତାରେ ପଡି ରହିଥିଲା ଜଣେ ବୃଦ୍ଧାଙ୍କ ଶବ । ପ୍ରଶାସନର ହସ୍ତକ୍ଷେପ ପରେ ଜୁଇ ଜଳିଛି ସତ, କିନ୍ତୁ ଗାଁ ଭିତରେ ସୃଷ୍ଟି ହୋଇଛି ଉତ୍ତେଜନା । ଏପରିକି ବିରୋଧୀ ମହିଳାଙ୍କ କାଦୁଅ ଓ ପାଣି ମାଡରୁ ବର୍ତ୍ତି ପାରିନାହିଁ ପୋଲିସ ।

ଗାଁ ବିବାଦରେ ପଡି ରହିଲା ଶବ, ୧୮ ଘଣ୍ଟା ଧରି ଶବକୁ ମିଳିଲାନି ଜୁଇ । ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ । ପୋଲିସ ଫୋର୍ସର ଘେରା ଭିତରେ ଜୁଇ ଜଳିଲା । ସେପଟେ ପୋଲିସକୁ ଘେରିଲେ ବିରୋଧୀ ଗ୍ରାମବାସୀ । ମହିଳାମାନେ ପୋଲିସ ଉପରକୁ ପାଣି ଓ କାଦୁଅ ମାଡ ମଧ୍ୟ କରିଛନ୍ତି । ମଶାଣିକୁ ନେଇ ଦେଖାଗଲା ଖଣ୍ଡଯୁଦ୍ଧ । ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି ହେଲା ମାରପିଟ୍ ପରିସ୍ଥିତି । ମଙ୍ଗଳବାର ରାତିରେ ଛେଳିଗୁହାଳି ଗାଁର ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା । ପଡୋଶୀ ଗାଁ କଟେଇ ମୁଣ୍ଡୁଳି ପୂର୍ବରୁ ଥିବା ଏକ ସ୍ଥାନରେ ସଂସ୍କାର ପାଇଁ ଶବକୁ ନେଉଥିବା ବେଳେ ଦେଖା ଦେଇଥିଲା ଉତ୍ତେଜନା । କଟେଇ ମୁଣ୍ଡୁଳିର ଗ୍ରାମବାସୀ ମାନେ ଏହା ମଶାଣୀ ନୁହେଁ ବୋଲି ଶବ ଆଣିଥିବା ଲୋକଙ୍କ ଉପରକୁ ଆକ୍ରମଣ କରିଥିଲେ । ଫଳରେ ସୃଷ୍ଟି ହୋଇଥିଲା ଉତ୍ତେଜନା ପରିସ୍ଥିତି ।

ଖବର ପାଇ ରାତିରେ ଘଟଣା ସ୍ଥଳରେ ପହଂଚିଥିଲା ଅସ୍ତରଙ୍ଗ ପୋଲିସ । ବୁଝାସୁଝା କରି ଶବ ପୋଡିବାକୁ ଯେତେ ଉଦ୍ୟମ ହୋଇଥିଲା ମଧ୍ୟ ସୁଫଳ ମିଳି ନଥିଲା । ଫଳରେ ରାସ୍ତା ଉପରେ ପଡି ରହିଥିଲା ଶବ । ଶେଷରେ ତହସିଲଦାର ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜମି ମାପ ହେବା ପରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଶବ ପୋଡିବାକୁ ଅନୁମତି ଦେଇଥିଲା ପ୍ରଶାସନ । ଜୁଇ ଜଳିଲା ସତ, କିନ୍ତୁ ବିରୋଧ ବି ତୀବ୍ର ହେବାରେ ଲାଗିଲା । ଫଳରେ ବିରୋଧୀ ଗାଁର ମହିଳାଙ୍କ ସହ ପୋଲିସର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଦୁଇ ଗାଁ ଭିତରେ ଏବେବି ଲାଗି ରହିଛି ଉତ୍ତେଜନା । ଫଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ଗାଁ ବିବାଦ ଭିତରେ ଦୀର୍ଘ ୧୮ ଘଂଟା ଧରି ଶବକୁ ପକାଇ ରଖିବା ଏକ ଅମାନବୀୟ ଓ ସମ୍ବେଦନହୀନ ଘଟଣା ବୋଲି ଚର୍ଚ୍ଚା ହେଉଛି ।