କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଇଙ୍କ ଗ୍ୟାସ୍ ଏଜେନ୍ସିରେ ପୁଣି ଭିଜିଲାନ୍ସ ଚଢଉ

30

କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଇଙ୍କ ଗ୍ୟାସ୍ ଏଜେନ୍ସିରେ ପୁଣି ଭିଜିଲାନ୍ସ ଚଢଉ । ତାଲଚେର ସ୍ଥିତ ପ୍ରଧାନ ଗ୍ୟାସ ଏଜେନ୍ସି ଉପରେ ଆଜି ସଂଧ୍ୟା ୫ଟାରୁ ୭ଟା ଦୀର୍ଘ ଦୁଇ ଘଂଟା ଧରି ଚଢାଉ ହୋଇଛି । ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଚଢଉ କରିଛି ।

ପୂର୍ବରୁ ଗତ ୧୪ ତାରିଖ ଦିନ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଇ ସୌମେନ୍ଦ୍ରଙ୍କ ଗ୍ୟାସ ଏଜେନ୍ସି ଉପରେ ଚଢଉ ହୋଇଥିଲା । ଏଠାରେ ବହୁ ଜାଲିଆତି ହୋଇଥିବା ଭିଜିଲାନ୍ସ ତଥ୍ୟ ପାଇଥିବା ସୂଚନା ମିଳିଥିଲା । ଏନେଇ ତାଙ୍କ ବିରୋଧରେ ମାମଲାରୁ ରୁଜୁ ହୋଇଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଆଜି ସୂଚନା ଦେଇଛନ୍ତି । ବେଆଇନ୍ ଭାବେ ଗ୍ୟାସ କାରବାର ନେଇ ସୌମେନ୍ଦ୍ର ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସେ କହିଛନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଭିଜଲାନ୍ସ ଚଢଉ ନେଇ ଗଣମାଧ୍ୟମକୁ ସୂଚନା ଦେଇ ଭିଜିଲାନ୍ ନିର୍ଦ୍ଦେଶକ ଆରପି ଶର୍ମା କହିଛନ୍ତି, ପେଟ୍ରୋଲରେ ଅପମିଶ୍ରଣ, ଜାଲ କାଗଜପତ୍ରରେ ତେଲ ବିକ୍ରି ହେଉଥିବା ଜଣାପଡିଛି । ଏନେଇ ଅଧିକ ଯାଂଚ ହେଉଥିବା ବେଳେ ଆଜି ଦିନରେ ୧୦ଟି ସ୍ଥାନରେ ଚଢଉ ହୋଇଥିବା ସେ କହିଛନ୍ତି ।

ପୂର୍ବରୁ ୧୪ ତାରିଖରେ ପେଟ୍ରୋଲ ପମ୍ପ ଓ ଗ୍ୟାସ ଏଜେନ୍ସିରେ ଚଢାଉ ବେଳେ ୧୭ଟି ସ୍ଥାନରେ ଅନିୟମିତତା ନେଇ ଜଣାପଡିଥିଲା ବୋଲି ଆରପି ଶର୍ମା କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ସୌମେନ୍ଦ୍ର ପ୍ରଧାନ ଆଗୁଆ ଜାମିନ ଆବେଦନ କରିଛନ୍ତି ।