ଭିଜିଲାନ୍ସ ଜାଲରେ ଓପେପାର ମୁଖ୍ୟ ଆକାଉଂଟ୍ ଅଫିସର : ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ହେଲେ ଗିରଫ

40

କନକ ବ୍ୟୁରୋ : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଓପେପାର ମୁଖ୍ୟ ଆକାଉଂଟ ଅଫିସର ନଳିନୀ ପୃଷ୍ଟିଙ୍କୁ ଭିଜଲାନ୍ସ ଗିରଫ କରିଛି । ଭିଜଲାନ୍ସର ଏହି ଚଢଉ ସମୟରେ ତାଙ୍କ ଘରୁ ପ୍ରାୟ ୬.୮୭ କୋଟି ଟଙ୍କାର ସମ୍ପତି ମିଳିଛି । କେବଳ ଘରର ଇଂଟେରିୟର ଡେକୋରେସନରେ ୧.୫କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ସମ୍ପତି ମଧ୍ୟରେ ରହିଛି ଭୁବନେଶ୍ୱର ମଧୁସୂଦନ ନଗରରେ ୪ ବିଏଚକେ ଏବଂ ୨ ବିଏଚକେ ଫ୍ଲାଟ, ପୁରୀରେ ଫ୍ଲାଟ, ଚନ୍ଦ୍ରଶେଖରପୁର ଅଂଚଳରେ ଏକ କୋଠା । ଏଥିସହ ଲକ୍ଷାଧିକ ଟଙ୍କାର କ୍ୟାସ ମଧ୍ୟ ଜବତ ହୋଇଛି । ସେହିପରି ଛତ୍ରପୁର, ଗଂଜାମ ଏବଂ କେନ୍ଦ୍ରାପଡା ଜିଲ୍ଲାରେ ତାଙ୍କ ସମ୍ପର୍କିୟଙ୍କ ଘରେ ମଧ୍ୟ ଚଢଉ ହୋଇଛି । ଏଥିସହ ଭୁବନେଶ୍ୱର ସ୍ଥିତ ଅଫିସରେ ମଧ୍ୟ ଭିଜଲାନ୍ସ ଚଢଉ କରିଛି ।

ଆଜି ଭିଜିଲାନ୍ସର ୭ଟି ଟିମ୍‌ ଭୁବନେଶ୍ୱର ମଧୁସୂଦନ ନଗର ଉତ୍କଳ ଭିଲ୍ଲାରେ ଥିବା ୪ ବିଏଚକେ ଫ୍ଲାଟ୍‌, ସେହି ଠାରେ ଥିବା ୨ ବିଏଚ୍‌କେ ଫ୍ଲାଟ୍‌, ପୁରୀ କୁମ୍ଭାରପଡ଼ାରେ ଥିବା ଫ୍ଲାଟ୍‌, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଫ୍ଲାଟ୍‌, କେନ୍ଦ୍ରାପଡାରେ ଥିବା ସଂପର୍କୀୟଙ୍କ ଘର, ଭୁବନେଶ୍ୱର ଅଫିସ, ତାଙ୍କ ସ୍ୱାମୀ ଛତ୍ରପୁର ତହସିଲଦାର ବିଜୟ କେତନ ସାହୁ ରହୁଥିବା ଘର ଉପରେ ଭିଜିଲାନ୍ସ ଚଢଉ କରିଥିଲା । ଚଢଉ ସମୟରେ ୧ କୋଟି ୮୦ ଲକ୍ଷ ଟଙ୍କାର ଦୁଇଟି ଫ୍ଲାଟ, ସେଥିରେ ୧ କୋଟି ୩୪ ଲକ୍ଷ ଟଙ୍କା ମୂଲ୍ୟର ସାଜସରଞ୍ଜାମ ଆକଳନ କରାଯାଇଥିଲା । ସେହିଭଳି ଅନ୍ୟ ଦୁଇଟି ଫ୍ଲାଟର ମୂଲ୍ୟ ୭୦ ଲକ୍ଷରୁ ଅଧିକ ଟଙ୍କା ଆକଳନ କରାଯାଇଥିବା ବେଳେ ୫୮ଲକ୍ଷ ୫୭ ହଜାର ଟଙ୍କା ମୂଲ୍ୟର ଭୁବନେଶ୍ୱର ଓ ଜଟଣୀ ଅଞ୍ଚଳରେ ୬ଟି ପ୍ଲଟ୍‌, କିଶାନ ବିକାଶ ପତ୍ରରେ ୬୦ ହଜାର ଟଙ୍କା ଜମା, ୭ ଲକ୍ଷ ୩୨ ହଜାର ଟଙ୍କାର ବୀମା ଜମା, ୧ କୋଟିରୁ ଅଧିକ ଟଙ୍କାର ସ୍ଥାୟୀ ଜମା, ୨୨ ଲକ୍ଷ ୮୪ ହଜାର ଟଙ୍କାର ବ୍ୟାଙ୍କ ଜମା୪୦ ଲକ୍ଷ ଟଙ୍କାର ସୁନା, ହିରା ଅଳଙ୍କାର, ୫ ଲକ୍ଷ ୭୫ ହଜାର ନଗଦ ଟଙ୍କା ଗୋଟିଏ ଓ୍ଵାଗନର କାର, ଗୋଟିଏ ବାଇକ୍‌ ଓ ଗୋଟିଏ ଆକ୍ଟିଭା ଠାବ କରାଯାଇଛି ।