ଜେରା ହେବେ ବିଧାୟକ : ମହଙ୍ଗା ପଡିବ ଲାଂଚ ପାଇଁ ମୁଲଚାଲ

41

କନକ ବ୍ୟୁରୋ : ଅପରେସନ ବ୍ଲାକସ୍ପଟରେ ଧରାପଡିଥିବା ବିଧାୟକଙ୍କ ବିରୋଧରେ ତଦନ୍ତ ଆରମ୍ଭ ହେଲା । ଏଥିପାଇଁ ଭିଜିଲାନ୍ସର ୫ଟି ଟିମ୍ ପ୍ରସ୍ତୁତ ହୋଇଛି । ପ୍ରଥମେ ତଥ୍ୟ ଭିତିକ ଭିଡିଓ ଓ ଅଡିଓର ଫରେନସିକ୍ ଯାଂଚ ହେବ । ଖାଲି ଏତିକି ନୁହେଁ, ନିରପେକ୍ଷ ତଦନ୍ତ ପାଇଁ ଲାଂଚ କାରବାରରେ ସଂପୃକ୍ତ ସମସ୍ତଙ୍କୁ ପଚରା ଉଚରା ବି କରିବ ଭିଜିଲାନ୍ସ । ବିଧାୟକଙ୍କୁ ଜେରା ବେଳେ ତଦନ୍ତ ସଂସ୍ଥା କୌଣସି ଚାପର ବଶବର୍ତି ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଭିଜିଲାନ୍ସ ନିର୍ଦେଶକ।

ସେପଟେ ୪ ବିଜେଡି ବିଧାୟକଙ୍କ ମୁଖା ଖୋଲିବା ପରେ ରାଜନୀତି ଥମିବାର ନାଁ ନେଉନି । ମାମଲାକୁ ଥାନାକୁ ନେଇଛି ବିଜେପି । ଲାଂଚ ମାଗୁଥିବା ଶାସକ ଦଳର ବିଧାୟକଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଇଛି ଦଳ । ଅଭିଯୋଗ କରିଚି, ରାଜ୍ୟ ସରକାର ପ୍ରସଙ୍ଗକୁ ଘଂଟ ଘୋଡାଇବା ଇରାଦାରେ ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଇଛନ୍ତି । ମାମଲାର ସିବିଆଇ ତଦନ୍ତ କରିବାକୁ ଦଳ ଦାବି କରିଛି ।

ଏହା ସହ ଲାଂଚ ମାଗି ଫସିଥିବା ବିଧାୟକଙ୍କ ନିର୍ବାଚନ ମଣ୍ଡଳୀରେ ଉଭୟ କଂଗ୍ରେସ ଓ ବିଜେପି ବିରୋଧ ଜାରି ରଖିଛି। ଭବାନୀପାଟଣାରେ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ହିନ୍ଦୋଳରେ ବିଜେପି ପକ୍ଷରୁ ବିକ୍ଷୋଭ ଓ ରାଲି କରାଯାଇଛି । ସରକାରକୁ ଘେରିବାକୁ ମିଳିଥିବା ମୁଦ୍ଦାକୁ ହାତଛଡା କରିବାକୁ ପ୍ରସ୍ତୁତ ନାହାନ୍ତି ବିରୋଧୀ । ଆଉ ଏସବୁ ଭିତରେ ଭିଜିଲାନସ ତଦନ୍ତ ନେଇ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି।

କନକ ନ୍ୟୁଜରେ ପ୍ରସାରିତ ଭିଡିଓ ଖୋଲିଛି ଶାସକ ଦଳର ମୁଖା । ଶିଳ୍ପ ପ୍ରତିଷ୍ଠା ପାଇଁ କୋଟି କୋଟି ଟଙ୍କାର ଡିଲ କରୁଥିଲେ ୪ ବିଧାୟକ। କ୍ୟାମେରା ସାମ୍ନାରେ ଧରା ପଡିବା ପରେ ମୁଖ୍ୟମନ୍ତ୍ରୀ ଦେଇଥିଲେ ତଦନ୍ତ ନିର୍ଦେଶ। ହେଲେ ପ୍ରଶ୍ନ ଉଠୁଛି, ଭିଜିଲାନ୍ସକୁ ଢାଲ କରି ସରକାର ଖସିବାକୁ ରାସ୍ତା ଖୋଜୁଛନ୍ତି, ନା ଜାଲ ଭାବେ ବ୍ୟବହାର କରି ବିଧାୟକଙ୍କୁ ଦଣ୍ଡ ଦେବାକୁ ଚିନ୍ତା କରିଛନ୍ତି ।

ଏହା ସହ ଶିଳ୍ପ ପାଇଁ ୪ ବିଜେଡି ବିଧାୟକ ଲାଂଚ ମାଗିବା ଘଟଣା : ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ