ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ! ହେଲେ ଉପରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ନେଇ ଦ୍ୱନ୍ଦ୍ୱରେ ବିଜେଡି

25

କନକ ବ୍ୟୁରୋ : ଆସନ୍ତାକାଲି ରାଷ୍ଟ୍ରପତି ର୍ନିବାଚନ । ହେଲେ ଅଗଷ୍ଟ ୫ ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେଡି କାହାକୁ ସମର୍ଥନ ଦେବ ସେ ନେଇ ଦ୍ୱନ୍ଦ୍ୱରେ ବିଜେଡିି । ଉପରାଷ୍ଟ୍ରପତି ପଦ ପାଇଁ ୟୁପିଏ, ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏନଡିଏ ତାର ପ୍ରାର୍ଥୀ ଘୋଷଣା କରିନାହିଁ । ତେବେ ରାଷ୍ଟ୍ରପତି ପ୍ରାର୍ଥୀ ରୂପେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ତତକ୍ଷଣାତ୍ ସମର୍ଥନ କରିଥିବା ବେଳେ ଏବେ ଉପରାଷ୍ଟ୍ରପତି ପ୍ରାର୍ଥୀ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଛି ।

ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ୱ ଅବଲମ୍ବନ କରୁଥିବା ବିଜେଡି ପାଇଁ ଉପରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । କାରଣ ଗୋଟିଏ କ୍ଷେତ୍ରରେ ଏନଡିଏକୁ ସମର୍ଥନ କରିସାରିଛି ବିଜେଡି । ଯଦି ଏ କ୍ଷେତ୍ରରେ ମଧ୍ୟ ନବୀନ ଏନଡିଏକୁ ସମର୍ଥନ କରନ୍ତି, ତେବେ ଏନଡିଏ ଆଡକୁ ବିଜେଡି ଢ଼ଳୁଛି ବୋଲି ଏକ ବାର୍ତା ଯାଇପାରେ । ଅନ୍ୟପଟେ ୟୁପିଏ ପ୍ରାର୍ଥୀଙ୍କୁ ଯଦି ସମର୍ଥନ ଘୋଷଣା କରନ୍ତି, ତେବେ ଏହାର ମଧ୍ୟ ଅନେକ ରାଜନୈତିକ ଅର୍ଥ ବାହାରିପାରେ । ଗତ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ନିଜକୁ ଦୂରେଇ ରଖି ଭୋଟ୍ ଦାନରୁ ବିରତ ରହିଥିଲା ।

ପ୍ରାୟ ଆଉ ଦେଢ଼ ବର୍ଷ ପରେ ନବୀନ ନିର୍ବାଚନକୁ ସାମ୍ନା କରିବେ । ରାଜନୀତିର ଗୋଟି ଚାଳନାରେ ଟିକିଏ ଏପଟ ସେପଟ ହୋଇଗଲେ, ଆଗକୁ ତାଙ୍କୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ସେ ଜାଣିଛନ୍ତି । ସେଥିପାଇଁ ଏହି ନିଷ୍ପତି ନବୀନଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି ।