ଯୋଗୀଙ୍କ ରାଜ୍ୟରେ ପାକ୍ ଅଧିକୃତ କଶ୍ମୀର୍ ! ପ୍ରଶାସନର ଅବହେଳାରେ ଅତିଷ୍ଠ ହୋଇ ଗାଁର ନାଁ ‘ପିଓକେ’ ରଖିଲେ ଗ୍ରାମବାସୀ

29

ଯୋଗୀଙ୍କ ପ୍ରଦେଶରେ ପିଓକେ (ପାକ୍ ଅଧିକୃତ କଶ୍ମୀର୍) । ପ୍ରଶାସନର ଅବହେଳାରେ ଅତିଷ୍ଠ ହୋଇ ଗାଁର ନାଁ ପିଓକେ ରଖିଲେ ଗ୍ରାମବାସୀ । ମୂଳ ସୁବିଧାରୁ ବଂଚିତ ହୋଇଥିବାରୁ ଏପରି ପଦକ୍ଷେପ ନେଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏହା ସହ ପ୍ରଶାସନ ଏବଂ ସରକାରଙ୍କ ଧ୍ୟାନ ଆକର୍ଷିତ କରିବା ପାଇଁ ଏକ ପୋଷ୍ଟର୍ ତିଆରି କରି ଗାଁ ବାହାରେ ଲଗାଇଛନ୍ତି । ଗାଁଟି ହେଉଛି କାନପୁରଠାରୁ ମାତ୍ର ୪୦ କିଲୋମିଟର ଦୂର ସିରମ୍ମନପୁର । ୬୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ଅଧିକାଂଶ ଲୋକ ହେଉଛନ୍ତି କୃଷକ ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ , ପ୍ରତି ୨ / ୩ ବର୍ଷରେ ଥରେ ପ୍ରଶାସନ ବିଜୁଳି ପାଇଁ ଖୁଂଟ ତ ପୋତି ଦେଉଛି କିନ୍ତୁ ଏଯାଏଁ ତାର ଟଣା ହୋଇନାହିଁ । ଗାଁର କୌଣସି ବି ଘରେ ଶୌଚାଳୟ ନାହିଁ । ଏପରିକି ପାଣି ପାଇଁ ସାହାରା ମାତ୍ର ୨ଟି ହ୍ୟାଣ୍ଡପମ୍ପ୍ । ସବୁଠାରୁ ବଡ ସମସ୍ୟା ହେଉଛି ଗାଁରେ ଅବିବାହିତ ଯୁବକଙ୍କ ସଂଖ୍ୟା ବଢିବାରେ ଲାଗିଛି । କାରଣ ଗାଁର ଏପରି ଅବସ୍ଥା ଦେଖି କେହି ଝିଅ ଦେବାକୁ ରାଜି ନାହାଁନ୍ତି । ଗାଁର ୫୫ ବର୍ଷୀୟ ଅବିବାହିତ ପ୍ରେମଚାନ୍ଦ କୁହନ୍ତି ‘ମୁଁ ଏବେ ରିଟାୟର୍ଡ ହୋଇଗଲିଣି’  ।

ସିରମ୍ମନପୁରର ଦୂର ଦୂର ପର୍ଯ୍ୟନ୍ତ ନା କୌଣସି ସ୍କୁଲ୍ ଅଛି ନାଁ ଡାକ୍ତରଖାନା । ଅନ୍ୟପଟେ ଗ୍ରାମବାସୀ ଅତ୍ୟଧିକ ରାଗିବାର ଆଉ ଏକ କାରଣ ହେଉଛି ପଡୋଶୀ ଗାଁରେ ବିକାଶ ହୋଇସାରିଛି ହେଲେ ସେମାନଙ୍କ ଗାଁରେ ନୁହେଁ । ଗାଁର ନାଁ ପିଓକେ ରଖି ଦେଶଦ୍ରୋଦୀ ହୋଇ ଜେଲ୍ ଯିବାକୁ ମଧ୍ୟ ପସ୍ତୁତ ବୋଲି କୁହନ୍ତି ଗ୍ରାମବାସୀ ।

ସୌଜନ୍ୟ : ଅମରଉଜାଲା