ପ୍ଲାଷ୍ଟିକ ବ୍ୟବହାରରେ ଲାଗିଲା କଟକଣା ! ଧରାପଡିଲେ ଦେବାକୁ ହେବ ୨୫ ହଜାର ଟଙ୍କା ଜୋରିମାନା ।

23

ପରିବେଶର ସୁରକ୍ଷା ନିମନ୍ତେ ମହାରାଷ୍ଟ୍ର ସରକାର ଉଠାଇଛନ୍ତି ଏକ ନୁଆ ପଦକ୍ଷେପ । ଆସନ୍ତା ୨୩ ତାରିଖଠାରୁ ପ୍ଲାଷ୍ଟିକ ବ୍ୟବହାରରେ ରୋକ ଲଗାଇବେ ସରକାର । ପରିବେଶକୁ ଦୂଷିତ ହେବାରେ ରୋକିବା ପାଇଁ ସରକାର ସମସ୍ତ ନାଗରିକ ଏବଂ ପ୍ଲାଷ୍ଟିକ ନିର୍ମାତାମାନଙ୍କୁ ପ୍ଲାଷ୍ଟିକ ନଷ୍ଟ କରିବା ପାଇଁ ଜୁନ ୨୩ ତାରିଖ ଯାଏ ସମୟ ପ୍ରଦାନ କରିଛନ୍ତି । ଏହି ନିୟମ ଅନୁସାରେ, ଜୁନ ୨୪ ତାରିଖ ଠାରୁ ଯଦି କୌଣସି ବ୍ୟକ୍ତି ପ୍ଲାଷ୍ଟିକ ଜିନିଷ ବ୍ୟବହାର କରୁଥିବାର ଦେଖାଯାଏ, ତେବେ ସେହି ବ୍ୟକ୍ତି ବିଶେଷଙ୍କୁ ୫ ହଜାରରୁ ୨୫ ହଜାର ପର୍ଯ୍ୟନ୍ତ ଟଙ୍କା ଜୋରିମାନା ଦେବାକୁ ପଡିବ । ପୂର୍ବରୁ ମଧ୍ୟ ରାଜ୍ୟ ସରକାର ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗୁ କରିଥିଲେ । କିନ୍ତୁ ସେତେବେଳେ ଏହି ନିୟମ କଡାକଡି ଭାବରେ କାର୍ଯ୍ୟକାରୀ ହୋଇପାରିନଥିଲା । ତେଣୁ ଏବେ ପ୍ଲାଷ୍ଟିକ ଉପରେ ରୋକ ଲଗାଇବା ପାଇଁ ସରକାର ପୂନର୍ବାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ।

କେଉଁଭଳି ପ୍ଲାଷ୍ଟିକ ଉପରେ ଲାଗିଛି ରୋକ : 

ପ୍ଲାଷ୍ଟିକରେ ତିଆରି ହୋଇଥିବା କ୍ୟାରି ବ୍ୟାଗ, ଗ୍ଲାସ, ଚାମଚ, ପ୍ଲେଟ, ତରଳ ପଦାର୍ଥ ରଖିହେଲାଭଳି ପ୍ଲାଷ୍ଟିକ ପଦାର୍ଥ, ପ୍ଲାଷ୍ଟିକ ପ୍ୟାକିଂ ମ୍ୟାଟେରିୟାଲ ଉପରେ ରୋକ ଲାଗିଛି । ଏଥିସହିତ ପ୍ଲାଷ୍ଟିକ ଷ୍ଟ୍ର ଏବଂ ପାଉଚ ପାଣିରେ ବ୍ୟବହାର ହେଉଥିବା ଜରି ଆଦି ଉପରେ ମଧ୍ୟ ସରକାର ରୋକ ଲଗାଇଛନ୍ତି ।

କେଉଁ ପ୍ଲାଷ୍ଟିକ ବ୍ୟବହାର ଉପଯୋଗୀ :

ଔଷଧ ପତ୍ର ପ୍ୟାକିଂ କରିବାରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ, ଫୁଡଗ୍ରେଡ ପ୍ଲାଷ୍ଟିକ (ଖିର ପ୍ୟାକିଂ କରିବାରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ), ଚାଷ କାର୍ଯ୍ୟ ଏବଂ ହର୍ଟିକଲଚରରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଇତ୍ୟାଦି ପ୍ଲାଷ୍ଟିକ ବ୍ୟବହାର ଉପଯୋଗୀ ଅଟେ । ଏହାକୁ ବ୍ୟବହାର କଲେ ଲୋକମାନଙ୍କୁ କୌଣସି ଜୋରିମାନା ଦେବାକୁ ପଡିବ ନାହିଁ ।

ସରକାରଙ୍କ ଏହି ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ପ୍ଲାଷ୍ଟିକ ବ୍ୟବହାର କରୁଥିବାର ପ୍ରଥମ ଥର ଧରାପଡେ ତେବେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ଯାଏ ଜୋରିମାନା ଦେବାକୁ ପଡିବ । ସେହିଭଳି ଦ୍ୱିତୀୟ ଥର ଧରାପଡିଲେ ୧୦ ହଜାର ଟଙ୍କା ଏବଂ ତୃତୀୟ ଥର ଧରାପଡିଲେ ୨୫ ହଜାର ଟଙ୍କା ଜୋରିମାନା ସହ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ।