ଡାକୋଟା ବିମାନ ଓଡିଶା ଆସିବା ନେଇ ଅନିଶ୍ଚିତତା ! ଆରଟିଆଇ ରିପୋର୍ଟର ତଥ୍ୟ, ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ବିଜୁଙ୍କ ଡାକୋଟା ।

92

ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ ଡିସି-୩ ଓଡିଶା ଆସିବା ନେଇ ଦେଖାଦେଇଛି ଅନିଶ୍ଚିତତା । ବଲାଙ୍ଗୀର ସୂଚନା ଅଧିକାରୀ କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ମିଳିଥିବା ଆରଟିଆଇ ତଥ୍ୟ ଅନୁସାରେ ଡାକୋଟା ଓଡିଶା ଆସିବା ନେଇ ଅନିଶ୍ଚିତତା ବଢ଼ିଛି । ତେବେ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଡାକୋଟା-ଡିସି (୩) ବିମାନର ସ୍ଥିତି ଜାଣିବା ପାଇଁ ତଥ୍ୟ ମାଗିଥିଲେ । ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ରିପୋର୍ଟ ଆଧାରରେ ଓଡିଶା ସରକାର ଏ ସମ୍ପର୍କରେ କୌଣସି ଚିଠି କିମ୍ବା ଆଲୋଚନା ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ କରି ନଥିବା ଉଲ୍ଲେଖ ରହିଛି । ଏହାସହ ଯେଉଁ ଡାକୋଟା ବିମାନକୁ ନେଇ ବିଜୁ ପଟ୍ଟନାୟକ ସମଗ୍ର ବିଶ୍ୱରେ ପରିଚିତ ହୋଇଛନ୍ତି । ସେହି ବିମାନ ଏବେ କଲିକତା ନେତାଜୀ ସୁବାଷ ଚନ୍ଦ୍ର ବୋଷ ବିମାନବନ୍ଦରରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ସୂଚନା ଅଧିକାର କର୍ମୀ କହିଛନ୍ତି ।

ତେବେ ଗତ କିଛି ମାସତଳେ କଟକ ଆନନ୍ଦଭବନକୁ ବିଜୁ ସ୍ମାରକୀ ଭବନ ଭାବେ ଲୋକାର୍ପଣ କରିଥବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକୋଟା ବିମାନକୁ ସେଠାରେ ସ୍ଥାନିତ କରିବା ପାଇଁ କହିଥଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କଲିକତା ବିମାନ ବନ୍ଦରରୁ ଡାକୋଟାକୁ ଆଣିବା ପାଇଁ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ସୂଚନା ଅଧିକାରକର୍ମୀ ହେମନ୍ତ କୁମାର ପଣ୍ଡା କହିଛନ୍ତି । ସେପଟେ ଇନଟାକ ଆବାହକ ଅନୀଲ ଧୀର ମଧ୍ୟ ବିଜୁ ବାବୁଙ୍କ ଏହି ଐତିହ୍ୟ ବିମାନ ଡାକୋଟାକୁ ଓଡିଶା ଆଣିବା ନେଇ ଅନେକଥର ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ ମଧ୍ୟ ଏନେଇ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଇନଟାକ ଆବାହକ ଅନିଲ ଧୀର ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ ଦୀର୍ଘ ୮ ବର୍ଷ ହେବ କଲିକତା ନେତାଜୀ ସୁବାଷ ଚନ୍ଦ୍ର ବୋଷ ବିମାନବନ୍ଦର ଠାରେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି । ପୂର୍ବରୁ ୪୪ ବର୍ଷ ଧରି କଲିକତା ବିମାନବନ୍ଦରର ହ୍ୟାଙ୍ଗର ଠାରେ ରହିଥିଲା ଡାକୋଟା । ହେଲେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ରିପୋର୍ଟ ମୁତାବକ ୮ ବର୍ଷ ହେବ ନେତାଜୀ ସୁବାଷ ଚନ୍ଦ୍ର ବୋଷ ବିମାନବନ୍ଦର ଠାରେ ଖୋଲା ଅକାଶ ତଳେ ପଡି ରହିଛି ବିଜୁଙ୍କ ଦୁଃସାହାସିକ ଓ ଐତିହ୍ୟ ବିମାନ ଡାକୋଟା । ଯଦି ରାଜ୍ୟ ସରକାର ଏହି ସ୍ମାରକୀକୁ ଓଡିଶା ଆଣି କଟକ ପରିବର୍ତ୍ତେ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ଥାନିତ କରନ୍ତେ ତେବେ ହଜାର ହଜାର ଲୋକ ବିଜୁ ବାବୁଙ୍କ କୀର୍ତ୍ତୀମାନକୁ ପାଖରୁ ଦେଖିବାକୁ ସୁଯୋଗ ପାଆନ୍ତେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।