ଭିଏତନାମରେ ଆମେରିକୀୟ ଯୁଦ୍ଧ ଜାହାଜ ! ଚୀନ୍‌ ପାଇଁ ବିପଦ ସଙ୍କେତ

38

କନକ ବ୍ୟୁରୋ : ଆମେରିକାର ଯୁଦ୍ଧ ବିମାନ ପରିବାହୀ ଏକ ଜାହାଜ ଭିଏତନାମର ଦନାଙ୍ଗ ବନ୍ଦରରେ ଲାଗିଛି । ଆମେରିକାର କାର୍ଲ ବିସନ ଯୁଦ୍ଧଜାହାଜ ସମେତ ତିନିଟି ଜାହାଜରେ ପ୍ରାୟ ସାଢ଼େ ୫ହଜାର ଆମେରିକୀୟ ନୌସୈନିକ ୫ଦିନିଆ ଭିଏତନାମ ଗସ୍ତରେ ଆସିଛନ୍ତି । ତେବେ ଏହା ଜଣାପଡ଼ିବା ପରେ ଆମେରିକାର ଏଭଳି ଅପ୍ରତ୍ୟାଶିତ ଆଭିମୁଖ୍ୟ ପାଇଁ ସାରା ବିଶ୍ୱ ଆଚମ୍ବିତ ହୋଇଥିବା ବେଳେ ଚୀନ୍‌ର ଚିନ୍ତା ବଢ଼ାଇଦେଇଛି ।

ଉଲ୍ଲେଖଯୋଗ୍ୟ, ୧୯୫୫ରୁ ୧୯୭୫ ମସିହା ମଧ୍ୟରେ ଭିଏତନାମରେ ଆମେରିକା ବିରୋଧୀ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଆମେରିକା ଜାହାଜ ଏଠାରେ ପହଞ୍ଚିଛି । ଦୁଇ ଶତ୍ରୁରାଷ୍ଟ୍ରଙ୍କ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ମିତ୍ରତାକୁ ଦେଖି ଦକ୍ଷିଣ ଚୀନ୍‌ ସାଗର ଉପରେ ନିଜର ଆଧିପତ୍ୟ ବିସ୍ତାର କରୁଥିବା ଚୀନ୍‌ ପାଇଁ ଏହା ବିପଦ ସଙ୍କେତ ବୋଲି ଚର୍ଚ୍ଚା ହେଉଛି । ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ସାଙ୍ଗକୁ ପ୍ରଶାନ୍ତ ମହାସାଗର ଓ ଦକ୍ଷିଣ ଚୀନ୍‌ ସାଗର ଅଞ୍ଚଳରେ ଶାନ୍ତି ସ୍ଥାପନ ପାଇଁ ଆମେରିକାର ଏହି ପ୍ରୟାସ ବୋଲି ଭିଏତନାମ ବୈଦେଶିକ ମନ୍ତ୍ରାଳୟ ସଫେଇ ଦେଇଛି।