ଇରାନରୁ ତେଲ ଆମଦାନୀ ବନ୍ଦ କର : ଭାରତକୁ ଆମେରିକାର ଧମକ

31

କନକ ବ୍ୟୁରୋ : ଇରାନରୁ ତେଲ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ କର ଅନ୍ୟଥା ବାଣିଜ୍ୟ କଟକଣା ସାମ୍ନା କର। ଭାରତ ସମେତ ବିଭିନ୍ନ ଦେଶକୁ ଆମେରିକା ଏଭଳି ଧମକ ଦେଇଛି । ନଭେମ୍ବର ୪ ସୁଦ୍ଧା ଇରାନରୁ ତେଲ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆମେରିକା ବିଭିନ୍ନ ଦେଶକୁ କହିଛି । ଆମେରିକା ଏହା ମଧ୍ୟ ସ୍ପଷ୍ଟ କରିଛି ଯେ କୌଣସି ଗୋଟିଏ ବି ଦେଶକୁ ଏଥିରୁ ରିହାତି ମିଳିବନି ।  ଆମେରିକାର ଏଭଳି ଧମକ ଭାରତର ଚିନ୍ତା ବଢ଼ାଇବ । କାରଣ, ଇରାନରୁ ଭାରତ ଏହାର ତୃତୀୟ ସର୍ବାଧିକ ତେଲ ଆମଦାନୀ କରୁଛି । ଇରାକ ଓ ସାଉଦି ଆରବ ପରେ ଇରାନରୁ ହିଁ ଅଧିକ ତେଲ ଆମଦାନି କରାଯାଉଛି । ଗତମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇରାନ ସହିତ ହୋଇଥିବା ଚୁକ୍ତିରୁ ଓହରିଯାଇଥିଲେ ଓ ଇରାନ ଉପରେ ପୁଣି ଥରେ ବାଣିଜ୍ୟ କଟକଣା ଲଗାଇଥିଲେ । ଇରାନ ସହିତ ୯୦ କିମ୍ବା ୧୮୦ ଦିନ ଭିତରେ ସବୁ ପ୍ରକାର ବ୍ୟବସାୟିକ ସମ୍ପର୍କ ଛିନ୍ନ କରିବାକୁ ସେ ବିଦେଶୀ କଂପାନିଗୁଡ଼ିକୁ ମହଲତ ପ୍ରଦାନ କରିଥିଲେ ।

ଏବେ ଆମେରିକା ସରକାର ବିଭିନ୍ନ ଦେଶ ଉପରେ ଚାପ ପ୍ରୟୋଗ କରିବାକୁ ପ୍ରୟାସ କରୁଛି । ସେହି ସମୟରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଥିଲେ ଯେ, ଭାରତ କେବଳ ଜାତିସଂଘର କଟକଣାକୁ ଗ୍ରହଣ କରିଥାଏ । ଅନ୍ୟ କୌଣସି ଦେଶର ଏକପାଖିଆ କଟକଣାକୁ ଗ୍ରହଣ କରେନାହିଁ । ଭାରତ ଓ ଚୀନ୍‌ ଭଳି ଯେଉଁ ସବୁ ଦେଶ ଇରାନରୁ ତେଲ କିଣୁଛନ୍ତି ସେମାନଙ୍କୁ ଆମେରିକା ଟାର୍ଗେଟ୍‌ କରିଛି । ଆସନ୍ତା ସପ୍ତାହରେ ଆମେରିକା ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ସେଥିରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଭାଗ ନେବାକୁ ଥିବା ବେଳେ ଆମେରିକା ପକ୍ଷରୁ ପରରାଷ୍ଟ୍ର ସଚିବ ମାଇକ୍‌ ପୋମ୍ପେଇ ଓ ପ୍ରତିରକ୍ଷା ସଚିବ ଜେମ୍ସ ମାଟିସ୍‌ ଆଲୋଚନା କରିବେ । ଏହି ବୈଠକରେ ଇରାନରୁ ତେଲ କିଣାକିଣି ବିଷୟରେ ମଧ୍ୟ ଆଲୋଚନା ହେବ। ଇରାନ ଉପରେ ଆମେରିକା ସରକାର ୨୦୧୦-୧୩ ପର୍ଯ୍ୟନ୍ତ ଲଗାଇଥିବା ବାଣିଜ୍ୟ କଟକଣା ବେଳେ ଭାରତ ପକ୍ଷରୁ ଇରାନରୁ ତେଲ କିଣାକିଣି ଜାରି ରହିଥିଲା । ୨୦୧୧-୨୦୧୫ ପର୍ଯ୍ୟନ୍ତ ଇରାନରୁ ତେଲ କିଣାକୁ ଭାରତ କମ୍‌ କରିଥିଲା ।

ଆମେରିକାର ଟ୍ରମ୍ପ୍‌ ପ୍ରଶାସନର ନିର୍ଦେଶକୁ ଭାରତ ଗ୍ରହଣ କରିବ କି? ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ଦିଅନ୍ତୁ । ଏ ସମ୍ପର୍କରେ ସରକାର ନିଜର ସ୍ଥିତି ସ୍ପଷ୍ଟ କରନ୍ତୁ ବୋଲି ଆଜି କଂଗ୍ରେସର ପ୍ରବକ୍ତା ରଣଦୀପ ସୁର୍ଜେଓ୍ଵାଲା କହିଛନ୍ତି । ଆମେରିକା କହିବାନୁସାରେ ଇରାନରୁ ଭାରତ ତେଲ ଆମଦାନି ବନ୍ଦ କରିବ ନା ନାହିଁ ଓ ଯଦି ବନ୍ଦ କରିବ ତାହାର କ’ଣ ପ୍ରଭାବ ପେଟ୍ରୋଲ୍‌ ମୂଲ୍ୟ ଉପରେ ପଡ଼ିବ ତାହା ଜଣାଇବାକୁ ସୁର୍ଜେଓ୍ଵାଲା ସରକାରଙ୍କୁ କହିଛନ୍ତି ।

ଭାରତ ଓ ଆମେରିକା ମଧ୍ୟରେ ଟିକସ ଯୁଦ୍ଧ ବହୁ ପୂର୍ବରୁ ଆରମ୍ଭ ହୋଇସାରିଛି । ପ୍ରଥମେ ଭାରତ ରପ୍ତାନି କରୁଥିବା ସାମଗ୍ରୀଗୁଡ଼ିକ ଉପରେ ଆମେରିକା ଟିକସ ପରିମାଣ ବଢ଼ାଇଥିଲା । ଏହାର ଜବାବରେ ଆମେରିକାର ୨୯ଟି ସାମଗ୍ରୀ ଉପରେ ଭାରତ ଏହାର ଟିକସ ପରିମାଣ ବଢ଼ାଇଛି । କେବଳ ଭାରତ ନୁହେଁ ଚୀନ୍‌ ସହିତ ମଧ୍ୟ ଆମେରିକାର ଟିକସ ଲଢ଼େଇ ଚାଲିଛି ।