ୟୁପିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଅଡ଼ୁଆରେ ! ଗାନ୍ଧୀଙ୍କ ନାମରେ ନିର୍ବାଚନ ନ ଲଢ଼ିବାକୁ ଭଣଜାଙ୍କ ଆହ୍ଵାନ

47

ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧୀ ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ଏନେଇ ପ୍ରଶ୍ନବାଚୀ ଉଠାଇଛନ୍ତି ତାଙ୍କ ଭଣଜା ଶ୍ରୀକୃଷ୍ଣ  କୁଲକର୍ଣ୍ଣି । କଂଗ୍ରେସ ଦଳ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଚିନ୍ତନକୁ ଜଳାଞ୍ଜଳି ଦେଇ ସାରିଛି ଏବଂ ଗାନ୍ଧୀଜୀଙ୍କ ସହିତ ଏହି ଦଳର କିଛି ସଂପର୍କ ନାହିଁ । ତେଣୁ ନିର୍ବାଚନରେ ମହାତ୍ମା ଗାନ୍ଧୀଙ୍କ ନାମ ନେଇ ଲଢ଼େଇ ନକରିବାକୁ ଶ୍ରୀକୃଷ୍ଣ ପ୍ରସ୍ତାବ ଦେଇଛନ୍ତି । ଗାନ୍ଧୀଜୀଙ୍କ ବିଚାରାଧାରା ଓ ଜୀବନ ଶୈଳୀ ପ୍ରତି କଂଗ୍ରେସ ଦଳର ସାମାନ୍ୟତମ ସମ୍ମାନ ନାହିଁ ।

ତେଣୁ ଏହି ଦଳର ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବା ବେଳେ ତାଙ୍କ ନାମକୁ ବ୍ୟବହାର ନ କରିବାକୁ ସେ କହିଛନ୍ତି । ଗୋପାଳକୃଷ୍ଣଙ୍କ ଉଦ୍ଦେଶ୍ୟରେ ୩ ପୃଷ୍ଠା ସମ୍ବଳିତ ପତ୍ରରେ ଶ୍ରୀକୃଷ୍ଣ ଲେଖିଛନ୍ତି – ଆପଣ ଏବେ ପ୍ରଚାର ସମୟରେ ନିଜକୁ ମହାତ୍ମା ଗାନ୍ଧୀ ଏବଂ ବାବା ସାହେବ ଆମ୍ବେଦକରଙ୍କ ମାର୍ଗରେ ଚାଲୁଥିବା ନେତାଭାବେ ନିଜକୁ ଚିତ୍ରଣ କରୁଛନ୍ତି । ତେବେ କଂଗ୍ରେସର ଗାନ୍ଧୀ ପରିବାର ସଦସ୍ୟଙ୍କ ପାଖରେ ଏହି ମହାପୁରୁଷଙ୍କ ଆଦର୍ଶର କାଣିଚାଏ ବି ନାହିଁ ।

ଆପଣ କଂଗ୍ରେସ ଦଳର ପ୍ରତିନିଧି ଭାବେ ମହାତ୍ମାଙ୍କ ନାମକୁ ନିର୍ବାଚନରେ ବ୍ୟବହାର କରିବା ଉଚିତ ହେଉନାହିଁ । ବିଗତ ବର୍ଷମାନଙ୍କରେ କଂଗ୍ରେସ ଦଳର ଅନେକ ଦୁର୍ନୀତି ଲୋକଲୋଚନକୁ ଆସିଛି, କିନ୍ତୁ ଆପଣ ଏ ସଂପର୍କରେ କେବେ ମୁହଁ ଖୋଲିନାହାନ୍ତି । ଆପଣ ଦେଶର ଜନସାଧାରଣଙ୍କୁ ମୁର୍ଖ ଭାବି ସେମାନଙ୍କୁ ଗାନ୍ଧୀଜୀଙ୍କ ନାମରେ ବିଭ୍ରାନ୍ତି କରନ୍ତୁ ନାହିଁ ବୋଲି ଶ୍ରୀକୃଷ୍ଣ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ୟୁପିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପରେ ଗୋପାଳକୃଷ୍ଣ ବାରମ୍ବାର ଗାନ୍ଧୀଜୀଙ୍କ ନାମ ନେଇ ତାଙ୍କ ଆଦର୍ଶକୁ ହିଁ ପାଥେୟ କରି ନିର୍ବାଚନ ଲଢ଼ୁଥିବା କହିଥିବାରୁ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶ୍ରୀକୃଷ୍ଣ କୁଲକର୍ଣ୍ଣି । ଗୋପାଳକୃଷ୍ଣଙ୍କ ଭଣଜା ଶ୍ରୀକୃଷ୍ଣ ବେଙ୍ଗାଲୁରୁରେ ଜଣେ ରୋବୋଟିକସ  ଇଂଜିନିୟର ଭାବେ କାର୍ଯ୍ୟରତ । ୨୦୧୪ ଲୋକସଭା ନିର୍ବାଚନରେ ସେ ଆପ୍‌ ପ୍ରାର୍ଥୀ କୁମାର ବିଶ୍ୱାସଙ୍କ ସପକ୍ଷରେ ଆମେଥି ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଥିଲେ ।