ଚାଷ କରିବ ତ ଏମିତି ! ଟାଙ୍ଗରା ଭୂଇଁରେ ଫଳାଇଲେ ସୁନାର ଫସଲ, ଏବେ କୋଟି କୋଟି ଟଙ୍କା ଆୟ କରୁଛନ୍ତି ସୁନ୍ଦରଗଡ଼ର ଚାଷୀ ଉଦୟନାଥ

42

କନକ ବ୍ୟୁରୋ : ୪ ଶହ ଟଙ୍କାରେ ପାହାଡ ଉପରେ ଚାଷ ଆରମ୍ଭ କରିଥିବା ଚାଷୀ ଆଜି କୋଟିପତି । ଜୈବିକ ସାର ଓ କୀଟନାଶକ ବ୍ୟବହାର କରି ପାହାଡିଆ ଟାଙ୍ଗରା ଭୂଇଁରେ ସୁନାର ଫସଲ ଫଳାଇଛନ୍ତି ସୁନ୍ଦରଗଡର ଚାଷୀ ଉଦୟ ନାଥ । ବିନା ପ୍ରଶିକ୍ଷଣ ଓ ବିନା ସରକାରୀ ସହାୟତାରେ ସଫଳ ଚାଷୀ ବନିଥିବା ଉଦୟ ନାଥଙ୍କୁ ବିଭିନ୍ନ ସ୍ଥରରେ ସମ୍ମାନିତ କରାଯାଇଛି । ଆଉ ଏହି ସଫଳତା ପଛରେ ରହିଛି ଉଦୟ ନାଥଙ୍କ ଦୃଢ଼ ଆତ୍ମବିଶ୍ୱାସ ।

ଟାଙ୍ଗରା ପାହାଡରେ ବି ଅମଳ ହୋଇପାରେ ସୁନାର ଫସଲ । ସୃଷ୍ଟି ହୋଇପାରେ ସବୁଜିମା । ହୋଇପାରେ ନୁୁହେଁ ପାହାଡିଆ ଜମିରେ ଫଳର ପସରା ମେଲାଇଛନ୍ତି ସୁନ୍ଦରଗଡର ସଫଳ ଚାଷୀ ଉଦୟ ନାଥ ପାତ୍ର । ଆଉ କୌଣିସି ଜୈବ ରାସାୟନିକ ପ୍ରଶିକ୍ଷଣ ବିନା ଅଦମ୍ୟ ଆତ୍ମବିଶ୍ୱାସ ଓ ନିଜସ୍ୱ ଅଭିଜ୍ଞତାରୁ ଜୈବିକ ସାର ଓ କିଟନାଶକ ବ୍ୟବହାର କରି ଚାଷ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

୮ ବର୍ଷ ତଳେ ମାତ୍ର ୪ଶହ ଟଙ୍କା ପୁଂଜିରେ କୁଆଁରମୁଣ୍ଡାର ପାହାଡିଆ ଟାଙ୍ଗରା ଭୁଇଁରେ ଚାଷ ପାଇଁ ନିଆରା ପ୍ରୟାସ ଆରମ୍ଭ କରିଥିଲେ ଉଦୟ ନାଥ । ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମରେ ପାହାଡିଆ ମରୁଭୂମିରେ ବିଭିନ୍ନ କିସମର ଫଳମୂଳ ଓ ଅନ୍ୟାନ ଚାଷ କରି ଏବେ କୋଟିପତି ଏହି ସଫଳ ଚାଷୀ । ଦିନେ ଉଦୟଙ୍କ ଏଭଳି ପ୍ରୟାସକୁ ନେଇ ତାଙ୍କୁ ପାଗଳ ବୋଲି କହୁଥିବା ସରକାରୀ ବାବୁ ପରବର୍ତୀ ସମୟରେ ସମ୍ବର୍ଦ୍ଧିତ କରିଛନ୍ତି । ବିନା ସରକାରୀ ପ୍ରୋତ୍ସାହନରେ ଜଣେ ଚାଷୀ ପାହାଡ ଉପରେ ସୁନାର ଫସଲ ଫଳାଇଥିବା ବେଳେ ଜିଲ୍ଲା କୃଷି ଅଧିକାରୀ ସୁନ୍ଦରଗଡରେ ଏମିତି ଜଣେ ବିରଳ ଚାଷୀଙ୍କ ବାବଦର ଅବଗତ ନାହାନ୍ତି ।