ଉଜ୍ଜଳା ସ୍ୱାଭିମାନ ଉତ୍ସବରେ କେନ୍ଦ୍ର ଯୋଜନାର ଲମ୍ବା ତାରିଫ୍ ! ସୁଷମା କହିଲେ ଉଜ୍ଜଳା ଘରକୁ କେବଳ ଗ୍ୟାସ ନୁହେଁ ବରଂ ମହିଳାଙ୍କୁ କରିଛି ସଶକ୍ତିକରଣ ।

52

କନକ ବ୍ୟୁରୋ : ଉଜ୍ଜଳା ଯୋଜନାକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଂଶସା । ଉଜ୍ଜଳା ଘରକୁ କେବଳ ଗ୍ୟାସ ନୁହଁ, ବରଂ ମହିଳାଙ୍କୁ ସଶକ୍ତିକରଣ କରିଛି । କିଛି ଏଭଳି ଉକ୍ତି ରଖିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ସେହିପରି ଆଜି ଏଲପିଜି ଉଜ୍ଜଳା ଭାରତରେ ଏକ ନୂଆ କ୍ରାନ୍ତି ଆଣିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଓଡିଶାର ୩୦ଟି ଜିଲ୍ଲାରେ ଅନୁଷ୍ଠିତ ପଂଚମ ଉଜ୍ଜଳା ସ୍ୱାଭିମାନ ଉତ୍ସବରେ ନୂଆଦିଲ୍ଲୀରେ ଭିଡିଓ କନଫରେନ୍ସି ଦ୍ୱାରା ୬୦ ହଜାରରୁ ଉଦ୍ଧ୍ୱର୍ ଲାଭାର୍ଥୀ ମହିଳାମାନଙ୍କ ସହ ଆଲୋଚନା କରଥିଲେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସ୍ୱରାଜ କହିଛନ୍ତି ଯେ ପୂର୍ବରୁ ମହିଳାମାନେ କାଠ ଦ୍ୱାରା ରୋଷେଇ କରୁଥିବା କାରଣରୁ ତାଙ୍କର ଅଧା ସମୟ ରୋଷେଇରେ ହିଁ ଯାଉଥିଲା । କାଠ ଦ୍ୱାରା ରୋଷେଇ କଲେ ମହିଳାଙ୍କ ଆଖି ଖରାପ ହେବା ସହ ଘର ଧୂଆଁରେ କଳା ପଡିଯାଉଥିଲା ଏବଂ ପରିବାର ଲୋକମାନେ ମଧ୍ୟ ରୋଗଗସ୍ତ ହେଉଥିଲେ । କିନ୍ତୁ ଏବେ ଘରକୁ ଗ୍ୟାସ ସିଲିଣ୍ଡର ଆସିବା କାରଣରୁ ଏ ସମସ୍ତ ଅସୁବିଧାରୁ ମହିଳାଙ୍କୁ ମୁକ୍ତି ମିଳିଛି । ଉଜ୍ଜଳା ଘରକୁ କେବଳ ଗ୍ୟାସ ସିଲିଣ୍ଡର ଦେଇ ନାହିଁ, ବରଂ ମହିଳାଙ୍କୁ ସଶକ୍ତିକରଣ କରୁଛି । ଏକ ଗ୍ୟାସ ସିଲିଣ୍ଡର ଦେଶରେ ବଡ କ୍ରାନ୍ତି ଆଣିଛି । ଏହା ସହ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସୁଷମାଙ୍କ ମାଗଦର୍ଶନ ଏକ ବଡ ପଦକ୍ଷେପ ନେବାରେ ସାହାଯ୍ୟ କରିଛି । ପୂର୍ବରୁ ଦେଶରେ ଏଲପିଜି ବିତରକ ସଂଖ୍ୟା ୧୩ ହଜାର ଥିବା ବେଳେ ଆଜି ଏହି ସଂଖ୍ୟା ବଢି ୨୩ ହଜାର ହେଲାଣି । ଏହାସହ ବିତରଣ କେନ୍ଦ୍ରକୁ ଆହୁରି ବୃଦ୍ଧି କରିବା ପାଇଁ କମନ ସର୍ଭିସ୍ ସେଂଟର ସହ ମଧ୍ୟ ଯୋଡାଯାଇଛି । ସେ କହିଛନ୍ତି ଯେ ୨ ଦିନ ପରେ ପ୍ରଧାନମନ୍ତ୍ରୀ ଦୁନିଆର ସବୁଠୁ ବଡ ଲମ୍ବା ଏଲପିଜି ପାଇପଲାଇନର ଶୁଭାରମ୍ଭ କରିବେ । ଗୁଜୁରାଟରୁ ଉତ୍ତରପ୍ରଦେଶର ଗୋରଖପୁର ଯିବା ପାଇପଲାଇନର କାମ ଆରମ୍ଭ କରାଯିବ । ଆଜି ଏଲପିଜି ଉଜ୍ଜଳା ଭାରତରେ ଏକ ନୂଆ କ୍ରାନ୍ତି ଆଣିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଥିଲେ ।