ସଲାମ ଡାକ୍ତର ! ଫି ମାତ୍ର ୨ ଟଙ୍କା, ଦୀର୍ଘ ୪୦ ବର୍ଷ ଧରି ଗରିବ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଥିରୁଭେନଙ୍ଗାଡମ

65

ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ରୂପ । ଭଗବାନ ଜୀବନ ଦାନ ଦେଉଥିବା ବେଳେ ଡାକ୍ତର ମାନେ ଜୀବନ ବଞ୍ଚାଇଥାନ୍ତି । କିନ୍ତୁ ଏବେ କିଛି ଡାକ୍ତର ଟଙ୍କା ପାଇଁ ନିଜ କର୍ତ୍ତବ୍ୟକୁ ଭୂଲି ଯାଉଛନ୍ତି । ଟଙ୍କା ନ ଦେଲେ ଚିକିତ୍ସା କରିବା ତ ଦୂରର କଥା ରୋଗୀର ମୁହଁକୁ ମଧ୍ୟ ଚାହୁଁନାହାନ୍ତି । କିନ୍ତୁ ଏ କ୍ଷେତ୍ରରେ ବ୍ୟତିକ୍ରମ ସାଜିଛନ୍ତି ଚେନ୍ନାଇର ୨ ଟଙ୍କିଆ ଡାକ୍ତର । ଯାହାଙ୍କ ପାଇଁ ରୋଗୀଙ୍କ ସେବା ପାଲଟିଛି ମାଧବ ସେବା । ଏପରିକି ଅନେକ ଗରିବ ରୋଗୀ ମଧ୍ୟ ତାଙ୍କ ପାଇଁ ମାଗଣାରେ ଚିକିତ୍ସିତ ହୋଇପାରୁଛନ୍ତ । ପୂରା ଚେନ୍ନାଇରେ ସେ ପ୍ରସିଦ୍ଧ । ଆସନ୍ତୁ ଜାଣିବା ତାଙ୍କ କାହାଣୀ ।

_MG_1317ଚେନ୍ନାଇର ୬୭ ବର୍ଷିୟ ଥିରୁଭେନଙ୍ଗାଡମ ବୀରାରାଘବନ । ପେଶାରେ ଡାକ୍ତର । ରାତି ହେବା ମାତ୍ରେ ତାଙ୍କ ପାଖରେ ରୋଗୀଙ୍କ ପ୍ରବଳ ଗହଳି ଦେଖିବାକୁ ମିଳେ । ଦୀର୍ଘ ୪୦ ବର୍ଷ ଧରି ଏଭଳି ଚିତ୍ର ଦେଖିବାକୁ ମିଳୁଛି । କାରଣ ରୋଗୀ ଦେଖିବା ପାଇଁ ସେ ଫି ବାବଦକୁ ନେଇଥାନ୍ତି ମାତ୍ର ୨ ଟଙ୍କା । ଏଥିପାଇଁ ସହରର ଗରିବ ଶ୍ରେଣୀର ଲୋକ ରୋଗ ଦେଖାଇବା ପାଇଁ ତାଙ୍କ ନିକଟରେ ଭିଡ ଲଗାଇଥାନ୍ତି । ଗରିବ ଲୋକଙ୍କ ପାଇଁ ଏବେ ସେ ଦେବତା ପାଲଟି ଯାଇଛନ୍ତି । ଏପରିକି ତାଙ୍କ ରୋଗୀ ଦେଖା ଫି ପାଇଁ ଅନ୍ୟ ଡାକ୍ତରଙ୍କ ନିକଟରେ ସେ ଶତ୍ରୁ ପାଲଟି ଯାଇଛନ୍ତି । ଏପରିକି ତାଙ୍କୁ ରୋଗୀ ଦେଖା ଫି ୧୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଅନେକ ଡାକ୍ତର କହିଛନ୍ତି । କିନ୍ତୁ ରୋଗୀ ସେବାକୁ ଜୀବନର ବତ୍ର ଭାବେ ଗ୍ରହଣ କରିଥିବା ଥିରୁଭେନଙ୍ଗାଡମ କେବଳ ନାମକୁ ମାତ୍ର ରୋଗୀ ଫି ବାବଦକୁ ୨ ଟଙ୍କା ନେଇ ଅନ୍ୟ ଡାକ୍ତରଙ୍କ ଚିରଶତ୍ରୁ ପାଲଟିଯାଇଛନ୍ତି ।

ମାତ୍ର ୨ ଟଙ୍କାରେ ଲୋକଙ୍କ ଚିକିତ୍ସା କରୁଥିବା ଥିରୁଭେନଙ୍ଗାଡମ ଷ୍ଟାନଲେ ମେଡିକାଲ କଲେଜରୁ ଏମବିବିଏସରେ ଡିଗ୍ରୀ ହାସଲ କରିଛନ୍ତି । ୧୯୭୩ ମସିହାରୁ ଅନବରତ ଭାବେ ସେ ଗରିବ ରୋଗୀଙ୍କ ଚିକିତ୍ସା କରୁଛନ୍ତି । ପ୍ରଥମେ ଯେବେ ସେ ରୋଗୀ ଦେଖା ଆରମ୍ଭ କରିଥିଲେ ସେତେବେଳେ ମାତ୍ର ୨ ଟଙ୍କା ଫି ନେଉଥିଲେ । ସେବେଠାରୁ ଏପର୍ଯ୍ୟନ୍ତ ସେହି ୨ ଟଙ୍କାରେ ହିଁ ସେ ରୋଗୀ ଦେଖୁଛନ୍ତି । ଏଥିପାଇଁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ କେ କାମରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାରଣ ସେ ଯେଉଁ ସମୟରେ ଡାକ୍ତରୀ ପାଠ ପଢୁଥିଲେ, ସେତେବେଳେ ସରକାରଙ୍କ ପଲିସି ପାଇଁ ତାଙ୍କୁ ଏତେ ଖର୍ଚ୍ଚାନ୍ତ ହେବାକୁ ପଡିନଥିଲା । ସେଥିପାଇର୍ ସେ ରୋଗୀଙ୍କ ଠାରୁ ଅଧିକ ଫି ନ ନେବାକୁ ସ୍ଥିର କରିଥିଲେ ।
ଥିରୁଭେନଙ୍ଗାଡମ କେବଳ ଯେ ୨ ଟଙ୍କାରେ ଚିକିତ୍ସା କରୁଛନ୍ତି ତାହା ନୁହେଁ, ଗରିବ ଲୋକଙ୍କ ପାଇଁ ସେ ଅନେକ ସ୍ୱପ୍ନ ଦେଖିଛନ୍ତି । ଗରିବଙ୍କ ପାଇଁ ଏକ ହସ୍ପିଟାଲ ଖୋଲିବାକୁ ସେ ସ୍ଥିର କରିଛନ୍ତି । ଏପରିକି ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ସେ ଗରିବ ରେଗୀଙ୍କ ଚିକିତ୍ସା କରିବା ସହ ହସ୍ପିଟାଲ ନିର୍ମାଣ କରି ତାଙ୍କ ସ୍ୱପ୍ନ ପୂରଣ କରିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି ।