ବିଷାକ୍ତ ଛତୁ ଖାଇ ଗଲା ଦୁଇ ଜୀବନ ! ଦିଅର , ଭାଉଜ ମୃତ, ଦୁଇ ଗୁରୁତର ।

80

ଛତୁ ଗୋଟିଏ ଏପରି ଖାଦ୍ୟ ଜିନିଷ ଯାହାକୁ ଲୋକମାନେ ଖାଇବା ପାଇଁ ବେଶ ପସନ୍ଦ କରନ୍ତି । ପ୍ରତିଦିନ ଖାଦ୍ୟ ସୂଚିରେ ଛତୁକୁ ସାମିଲ କରିବାକୁ ଚାହାନ୍ତି । ଛତୁର ବିଭିନ୍ନ ପ୍ରଜାତି ରହିଛି । ସେଥି ମଧ୍ୟରୁ କେତେକ ଛତୁ ବିଷାକ୍ତ ହୋଇଥିବା ବେଳେ ଆଉ କେତେକ ଛତୁ ଖାଇବା ଉପଯୋଗୀ ହୋଇଥାଏ । ଛତୁକୁ ଲୋକମାନେ ଚାଷ କରି ବେଶ ଲାଭବାନ ହୋଇଥାନ୍ତି । ଆଜିର ଦିନରେ ଛତୁର ବାଜାରରେ ବେଶ ମୁଲ୍ୟବାନ ହୋଇପାରିଛି । ସାଧାରଣତଃ ଲୋକମାନେ ବଜାରରୁ ଛତୁ କିଣି ଖାଇଥାନ୍ତି । କିନ୍ତୁ ବେଳେ ବେଳେ ଲୋକମାନେ ବାରିପଟ ନଡା ଗଦାରେ କିମ୍ବା ଅଳିଆ ଗଦାରେ ହୋଇଥିବା ଛତୁକୁ ଆଣି ଘରେ ଖାଇଥାନ୍ତି । ତେବେ ଅଳିଆ ଗଦାରେ ହୋଇଥିବା କିଛି ଛତୁ ଖାଇବା ଉପଯୋଗୀ ହୋଇଥିବା ବେଳେ ଆଉ କିଛି ବିଷାକ୍ତ ହୋଇଥାଏ । ତେବେ ଏହି ଛତୁ ଖାଇବା କାରଣରୁ ଫୁଲଝରି କଇଁଫୁଲିଆ ଗାଁରେ ଘଟିଛି ଏକ ଅଭାବନିୟ ଘଟଣା । ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ଦୁଇ ଜୀବନ ଚାଲିଯିବା ସହିତ ଆଉ ଦୁଇ ଜୀବନ ମୃତ୍ୟୁ ସହ ଲଢେଇ କରୁଛନ୍ତି ।

ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ଫୁଲଝରି କଇଁଫୁଲିଆ ଗାଁରେ ବିଷାକ୍ତ ଛତୁ ଖାଇ ଦିଅର, ଭାଉଜଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଫୁଲଝରି କଇଁଫୁଲିଆ ଗ୍ରାମର ଫୁଦନ ମାଝି( ୩୭ ବର୍ଷ) ଓ ତାଙ୍କ ଭାଉଜ ଲକ୍ଷ୍ମୀ ମାଝି(୩୫ ବର୍ଷ) ଗତକାଲି ରାତିରେ ଛତୁ ତରକାରି ଖାଇଥିଲେ। ଏହି ଦୁଇଜଣଙ୍କ ସହିତ ଲକ୍ଷ୍ମୀଙ୍କ ସ୍ୱାମୀ ଓ ପୁଅ ମଧ୍ୟ ଏହି ଛତୁ ତରକାରି ଖାଇଥିଲେ। ଏହା ଖାଇବା ପରେ ଉଭୟ ଝାଡ଼ାବାନ୍ତିରେ ପଡ଼ିଥିଲେ। ଏପରିକି ସେମାନଙ୍କୁ ଡାକ୍ତରଖାନା ନେବା ପୂର୍ବରୁ ଉଭୟ ଫୁଦନ ଓ ଲକ୍ଷ୍ମୀଙ୍କର ମୃତ୍ୟୁ ଘଟିଛି । ପରେ ମୃତ ଲକ୍ଷ୍ମୀଙ୍କ ପୁଅ ଓ ସ୍ୱାମୀଙ୍କୁ ପ୍ରଥମେ ବେତନଟୀ ଡାକ୍ତରଖାନା ଓ ପରେ ବାରିପଦାସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଗ୍ରାମକୁ ଯାଇ ପୁଲିସ ମୃତଦେହ ଜବତ କରିବା ସହିତ ବ୍ୟବଛଦ ପାଇଁ ପଠାଇଥିବା ବେଳେ ଏକ ଡାକ୍ତରୀ ଟିମ୍ ମଧ୍ୟ ଯାଇଛନ୍ତି।