ମୃତ୍ୟୁର ସୌଦାଗର ଅନଭିଜ୍ଞ ଠିକାଦାରଙ୍କୁ କୋର୍ଟରେ ହାଜର କଲା ପୁଲିସ ! ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ସଜା ପାଇଁ ପ୍ରକ୍ରିୟା ଆରମ୍ଭ

27

କନକ ବ୍ୟୁରୋ: ଭୁବନେଶ୍ୱର ବମିଖାଲ ଫ୍ଲାଏ ଓଭର ଭୁଶୁଡିବା ଘଟଣା । କୋର୍ଟ ଚାଲାଣ ହେଲେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ମୁଖ୍ୟ ପ୍ରତାପ ପଣ୍ଡା । ଗିରଫ ଅନ୍ୟ ୨ଅଭିଯୁକ୍ତଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି । ସହକାରୀ ଯନ୍ତ୍ରୀ କିଶୋର ରାଉତ ଓ ପ୍ରୋଜେକ୍ଟ ମ୍ୟାନେଜର ବିପୁଲ ଚକ୍ରବର୍ତ୍ତୀଙ୍କ ମଧ୍ୟ କୋର୍ଟ ଚାଲାଣ କରାଯାଇଛି ।

ଦଫା ୩୦୪, ୩୩୭,୩୩୮ଓ ୩୪ ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ କେମିତି ପ୍ରତାପ ପଣ୍ଡାଙ୍କୁ ଟେଣ୍ଡର ମିଳୁଥିଲା ଓ କାହିଁକି ନିମ୍ନମାନର କାର୍ଯ୍ୟ ହେଉଥିଲା ତାର ଗୁମର ଖୋଜିବ ପୁଲିସ । ସେପଟେ ପଣ୍ଡାଙ୍କ ପଲିଟିକାଲ ଲିଙ୍କକୁ ନେଇ ମଧ୍ୟ ସସପେନ୍ସ ଜାରି ରହିଛି । ଏସବୁ ଭିତରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପାଇଁ ପୁଲିସ ଆବେଦନ କରିବ ନାଁ ନାହିଁ ତାରି ଉପରେ ସମସ୍ତଙ୍କ ନଜର ।

ସୂଚନା ମୁତାବକ, ପୁଲିସରେ ଆତ୍ମସମର୍ପଣ କରିଛନ୍ତି ମୃତ୍ୟୁର ସୌଦାଗର । ଆଜି ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ କିଶାର ରାଉତ ଡିସିପି ଅଫିସରେ ଆତ୍ମସମର୍ପଣ କରିବା ପରେ ପରେ ତାଙ୍କୁ ଗିରଫ କରାଯାଇଛି । ଯେଉଁ ସହକାରୀ ଇଂଜିନିୟରଙ୍କ ଅବହେଳା କାରଣରୁ ଏତେ ବଡ ଦୁର୍ଘଟଣା ଘଟିଲା, ଜଣକର ଅମୂଲ୍ୟ ଜୀବନ ଚାଲିଗଲା ଦୁଇ ଦିନ ହେବ ସେ ପୁଲିସ ସହ ଲୁଚକାଳି ଖେଳୁଥିଲେ । ଆଉ ଅଚାନକ ଆଜି ଆସି ଆତ୍ମସମର୍ପଣ କରିଛନ୍ତି ।

ସେହିପରି, ପଣ୍ଡା ଇନଫ୍ରାର ପ୍ରୋଜେକ୍ଟ ଇଂଜିନିୟର ବିପୁଳ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଗିରଫ କରାଯାଇଛି । ବମିଖାଲ ଓଭରବ୍ରିଜ ଦୁର୍ଘଟଣା ମାମଲାରେ ଏଯାଏ ୪ ଜଣଙ୍କୁ ଗିରଫ କରିଛି ପୁଲିସ । କେଉଁ ପରିସ୍ଥିିତିରେ ପୋଲ ଭୁଶୁଡିପଡିଲା, ଏଥିପାଇଁ କିଏ ଦାୟୀ ସେ ନେଇ ଛାନଭିନ ଚାଲିଥିବା ବେଳେ ଗିରଫ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି ଡିସିପି । ଫରେନସିକ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଅନ୍ୟପଟେ, ଏମ୍ସର ହସ୍ପିଟାଲ ବେଡରେ ବାପାଙ୍କୁ ଖୋଜୁଛି ୭ ବର୍ଷର ଶୀତଲ । ମେଡିକାଲ ବେଡରେ ଶୋଇରହିଥିବା ଶୀତଲ ଆଖି ଖୋଲିଳା ମାତ୍ରେ ଖୋଜୁଛି ଖାଲି ବାପାକୁ । କଣ ଘଟିଥିଲା ରବିବାର ଦିନ ଡ୍ୟାନ୍ସ କ୍ଲାସରୁ ଫେରିବା ସମୟରେ ସେ କଥା ତାର ମନେ ନାହିଁ । ଏମ୍ସର ଟ୍ରୋମା କେୟାର ସେଂଟରରୁ ତାକୁ ଆଇସିୟୁକୁ ଅଣାଯାଇଥିବା ବେଳେ ପରିବାର ଓ ସଂପକୀୟଙ୍କୁ ଦେଖିଲେ ଖାଲି ବାପା ସତ୍ୟବ୍ରତଙ୍କ କଥା ପଚାରୁଛି । କୁନି ଝିଅଟି ଆଜି ଯାଏଁ ଜାଣିନାହିଁ ସ୍କୁଟି ପଛରେ ଯେଉଁ ବାପାକୁ ଜାବୁଡି ଧରି ବସିଥିଲା ସେ ଆଉ ଆସିବେନି । ଶୀତଲର ଅବସ୍ଥା ଦେଖି ବାପାଙ୍କ ସଂପର୍କରେ ଜଣାଇବାକୁ ଉଚିତ ମଣୁନାହାନ୍ତି ପରିବାର । ମିଛର ସାନ୍ତ୍ୱନା ଦେଉଛନ୍ତି ବାପା ଆସିବେ । ବମିଖାଲ ବ୍ରିଜ ଭୁଶୁଡିବା ଘଟଣା କେବଳ ଜଣେ ଝିଅକୁ ତା ବାପାଠୁ ଛଡେଇ ନେଇନାହିଁ ଗୋଟିଏ ପରିବାରକୁ ମଧ୍ୟ ବେସାହାରା କରିଦେଇଛି ।