ଟିଡିପି-ବିଜେପିରେ ଇସ୍ତଫାର ଖେଳ ! ଏନଡିଏରୁ ଓହରିବ ଆନ୍ଧ୍ରର ତେଲଗୁ ଦେଶମ୍ ପାର୍ଟି, ସେପଟେ ଚନ୍ଦ୍ରବାବୁ କ୍ୟାବିନେଟରୁ ବିଜେପି ମନ୍ତ୍ରୀଙ୍କ ଇସ୍ତଫା

25

କନକ ବ୍ୟୁରୋ: ଟିଡିପି-ବିଜେପିରେ ଚାଲିଛି ଇସ୍ତଫାର ଖେଳ । ଟିଡିପି ଆଜି କେନ୍ଦ୍ରମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବେ ବୋଲି ଚନ୍ଦ୍ରବାବୁ ଘୋଷଣା କରିଥିବାବେଳେ ଆନ୍ଧ୍ରର ଚନ୍ଦ୍ରବାବୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବିଜେପି ମନ୍ତ୍ରୀ । ଟିଡିପି ମନ୍ତ୍ରୀ ଇସ୍ତଫା ଦେବା ପୂର୍ବରୁ ବିଜେପି ମନ୍ତ୍ରୀ ଆନ୍ଧ୍ରରୁ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟ ଦେବା ନେଇ କେନ୍ଦ୍ର ମନା କରିବା ପରେ ଟିଡିପି-ଏନଡିଏ ମଧ୍ୟରେ ବଡ ବିବାଦ ଦେଖାଦେଇଛି । ଏହାପରେ ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଦୁଇ ଜଣ ଟିଡିପି ମନ୍ତ୍ରୀ ଓହରି ଆସିବାକୁ ଦଳ ନିଷ୍ପତି ନେଇଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏ ନେଇ ଘୋଷଣା କରିବା ସହ ଆଜି ୨ ଜଣ ମନ୍ତ୍ରୀ ଇସ୍ତଫା ଦବେ ବୋଲି କହିଛନ୍ତି । ଆଜି ମୋଦି କ୍ୟାବିନେଟରୁ ଅଶୋକ ଗଜପତି ରାଜୁ ଏବଂ ୟାଇ.ଏସ୍. ଚୌଧୁରୀ ଇସ୍ତଫା ଦେବେ ।

ଗତକାଲି ଦଳୀୟ ବୈଠକରେ ଏନେଇ ସୂଚନା ଦେଇଥିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ । ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏନଡିଏରୁ ଓହରିବା କଥା ଚନ୍ଦ୍ରବାବୁ ନାଇଡୁ ଘୋଷଣା କରିପାରନ୍ତି । ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, କେନ୍ଦ୍ର ଆନ୍ଧ୍ରକୁ ଅବହେଳା କରୁଛି । ମନ୍ତ୍ରୀଙ୍କ ଇସ୍ତଫା ହେଉଛି ପ୍ରଥମ ପଦକ୍ଷେପ । ଆଗକୁ ଏନ୍ଡିଏ ଛାଡ଼ିଦେବୁ ବୋଲି ଶୁଣାଇ ଦେଇଛନ୍ତି ଟିଡିପି ମୁଖ୍ୟ । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ମିଳିବନି ବୋଲି ଘୋଷଣା କରିବା ପରେ ତେଲୁଗୁଦେଶମ ପାର୍ଟି ଏହି ନିଷ୍ପତି ନେଇଛି । କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଓହରିବା ପରେ ଏନଡିଏ ଛାଡିବା ନେଇ ଚନ୍ଦ୍ରବାବୁ ନାଇଡୁ ଆଗାମୀ ଦୁଇ ତିନି ଦିନ ମଧ୍ୟରେ ଘୋଷଣା କରପାରନ୍ତି ।

ଏବେ ନଜର ପକାନ୍ତୁ ଏନଡିଏରୁ ତେଲୁଗୁଦେଶମ ପାର୍ଟି ଓହରିଲେ କଣ ହେବ ? ୨୦୧୪ରେ ଆନ୍ଧ୍ରପ୍ରଦେଶରେ ୪ଟି ଦଳ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦିତା ହୋଇଥିଲା । ଟିଡିପି-ବିଜେପି ମେଂଟ କରି ନିର୍ବାଚନ ଲଢିଥିବାବେଳେ ୱାଇଏସଆର କଂଗ୍ରେସ ଓ କଂଗ୍ରେସ ଅଲଗା ଅଲଗା ନିର୍ବାଚନ ଲଢିଥିଲେ । ତେଲୁଗୁଦେଶମ ପାର୍ଟିକୁ ୨୯ ପ୍ରତିଶତ ଓ ବିଜେପିକୁ ୮.୫ ପ୍ରତିଶତ ଭୋଟ ମିଳିଥିଲା । ୱାଇଏସଆର କଂଗ୍ରେସକୁ ମଧ୍ୟ ୨୯ ପ୍ରତିଶତ ଓ କଂଗ୍ରେସକୁ ୧୧.୫ ପ୍ରତିଶତ ଭୋଟ ମିଳିଥିଲା ।

ରାଜ୍ୟର ୨୫ଟି ଲୋକସଭା ଆସନ ମଧ୍ୟରୁ ଟିଡିପିକୁ ୧୫, ୱାଇଏସଆର କଂଗ୍ରେସକୁ ୮ଟି ଓ ବିଜେପିକୁ ୨ଟି ଆସନ ମିଳିଥିଲା । କଂଗ୍ରେସ ଖାତା ଖୋଲିପାରିନଥିଲା । ଏବେ ତେଲୁଗୁଦେଶମ ଏନଡିଏ ଛାଡିବା ପରେ ୱାଇଏସଆର କଂଗ୍ରେସ ସହ ମେଂଟ କରିପାରେ ବିଜେପି । ବିଜେପି ଆନ୍ଧ୍ରରେ ସେଭଳି ଶକ୍ତିଶାଳୀ ନୁହେଁ । ତେଣୁ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ହେବା ସମ୍ଭାବନା ରହିଛି । ଆଉ ଏହାର ପ୍ରଭାବ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜନୀତିରେ ଦେଖିବାକୁ ମିଳିପାରେ ।