ନିୟମ ଭାଙ୍ଗି ନାକେଦମ ହେଲେ ନେତା: ସାମ୍ବାଦିକଙ୍କ ପ୍ରଶ୍ନ ବାଣରେ ଥା ଥା ମା ମା ହେଲେ ବିଜେପି ନେତା…

ନିୟମକୁ ଚପଲରେ ଦଳିଦେଲେ ବିଜେପି ନେତା

621

କନକ ବ୍ୟୁରୋ: ସାମ୍ବାଦିକଙ୍କ ପ୍ରଶ୍ନରେ ଘାଇଲା ହେଲେ ବିଜେପି ନେତା । ନିୟମ ଭାଙ୍ଗିଥିବାରୁ ସାମ୍ବାଦିକଙ୍କ ନନଷ୍ଟପ ପ୍ରଶ୍ନରେ ଅଣନିଶ୍ୱାସୀ ହେଲେ ନେତା । ମେଡିକାଲରେ ସମସ୍ତଙ୍କ ପାଇଁ ଯେଉଁ ନିୟମ ରହିଛି ତାକୁ ଭାଙ୍ଗିଥିବାରୁ ଏବେ ହରଡ ଘଣାରେ ପଡିଛନ୍ତି ବିହାର ମୁଜାଫରପୁରର ଜଣେ ବିଜେପି ନେତା । ଆଇସିୟୁ ଭିତରକୁ ଯୋତା ପିନ୍ଧି ପଶିଥିବାରୁ ଆଉ ନର୍ସଙ୍କ ସିଟରେ ବସିଥିବାରୁ ସାମ୍ବାଦିକଙ୍କ ୫ଙ୍ଗ୧ଷ ପ୍ରଶ୍ନ ଜାଲରେ ଛନ୍ଦି ହୋଇଛନ୍ତି ବିଜେପିର ନେତା ।

ତେବେ ସୂଚନା ଅନୁସାରେ ରବିବାର ମୁଜାଫରପୁର ମହାମାରୀ ର ସ୍ଥିତି ସମୀକ୍ଷା କରିବାକୁ ଯାଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଜ୍ୱରରେ ୧୦୪ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ପରିସ୍ଥିତି ଦେଖିବା ସହ ଉତ୍ୟକ୍ତ ଲୋକଙ୍କୁ ଆସ୍ୱାସନା ଦେବାକୁ ଶ୍ରୀକିଷ୍ଣ ମେଡିକାଲ କଲେଜକୁ ଯାଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ । କେନ୍ଦ୍ରମନ୍ତ୍ରୀ ଯାଇଥିବାରୁ ଖବର ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକ । ହେଲେ ଭିଡ ଭିତରେ ଟିଭି୯ ଭାରତବର୍ଷ ସାମ୍ବାଦିକ ରୂପେଶ କୁମାରଙ୍କ ନଜରରେ ପଡିଥିଲା ଏକ ବଡ ଘଟଣା । ଯେଉଁଠିକୁ ସାମ୍ବାଦିକଙ୍କୁ ଅନୁମତି ନାହିଁ ସେଠି ଜଣେ ବିଜେପି ନେତା ପଶିଥିବା ତାଙ୍କ ନଜରକୁ ଆସିଥିଲା । ବିଜେପି ନେତା ଯୋତା ପିନ୍ଧି ଆଇସିୟୁ ପାଖ ଏକ ଚ୍ୟାମ୍ବରରେ ବସିଥିଲେ ତାହା ପୁଣି ନର୍ସଙ୍କ ସିଟ । ଆଉ ନର୍ସ ଛିଡାହୋଇଥିଲେ ନେତାଙ୍କ ପାଖରେ ।

ସାମ୍ବାଦିକଙ୍କୁ ଦେଖି ହଡବଡେଇ ଯାଇଥିଲେ ନେତା । ହେଲେ ସାମ୍ବାଦିକ ନିର୍ଭୟରେ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥିଲେ । ଆପଣ କେଉଁ ଦଳର ନେତା? ଯେଉଁଠି କି ସାମ୍ବାଦିକଙ୍କୁ ଅନୁମତି ନାହିଁ ଆପଣ କେମିତି ପଶିଲେ? ଆପଣ କଣ ଡାକ୍ତର? କଣ ପାଇଁ ନିୟମ ଭାଙ୍ଗି ଚପଲ ପିନ୍ଧି ଏଠାକୁ ଆସିଛନ୍ତି? ଏମିତି ଲଗାତାର କିଛି ପ୍ରଶ୍ନ କରିବା ପରେ ଡରି ଯାଇଥିଲେ ବିଜେପି ନେତା । ଆଉ ସାଙ୍ଗେସାଙ୍ଗେ ଚପଲ କାଢି ଦେଇଥିଲେ । ଛେପ ଢ଼ୋକି ସଫେଇ ଦେବାକୁ ଚେଷ୍ଟା କରୁଥିବେଳେ ସାମ୍ବାଦିକ ରୂପେଶଙ୍କ ପ୍ରଶ୍ନରେ ନୟାନ୍ତ ହୋଇଥିଲେ ନେତା ।

ପରିଶେଷରେ ନିଜକୁ ନେତା ନୁହେଁ ଜଣେ ସାଧାରଣ କର୍ମୀ ବୋଲି କହିଥିଲେ ଉକ୍ତ ଭଦ୍ରବ୍ୟକ୍ତି ଜଣଙ୍କ । ତେବେ ଏଠି ପ୍ରଶ୍ନ ଉଠୁଛି ବିଜେପିର ଦବଦବା ଥିବାରୁ ସାଧାରଣ କର୍ମୀଟିଏ କଣ ସାଧାରଣ ନିୟମକୁ ନିଜ ଚପଲରେ ଦଳିଦେବ ? ବିଜେପି ସରକାରରେ ଅଛି ବୋଲି ମନଇଚ୍ଛା କାମ କରିବ? ଏ ପ୍ରଶ୍ନ ବିହାର ପାଇଁ ନୁହେଁ ସବୁ ରାଜ୍ୟ ପାଇଁ ଉଦିଷ୍ଟ । ତେବେ ସାମ୍ବାଦିକଙ୍କ ଏ ନିର୍ଭୀକତାକୁ ସବୁଠି ଭୁରିଭୁରି ପ୍ରଶଂସା କରାଯାଇଛି ।