ସୁନାମିର ଭୟଙ୍କର ଚିତ୍ର ! ଇଣ୍ଡୋନେସିଆରେ ମାଡି ଆସିଲା ସମୁଦ, ୨୨୨ଜଣଙ୍କ ମୃତ୍ୟୁ, ୭ଶହରୁ ଅଧିକ ନିଖୋଜ ।

256

କନକ ବ୍ୟୁରୋ : ଇଣ୍ଡୋନେସିଆରେ ପ୍ରଳୟଙ୍କରୀ ସୁନାମୀ ବଡ ଧରଣର ବିପର୍ଯ୍ୟୟ ଘଟାଇଛି । ସୁନାମୀରେ ଏଯାଏଁ ୨୨୨ ଜଣ ପ୍ରାଣ ହରାଇଥିବା ବେଳେ ୭ଶହରୁ ଅଧିକ ନିଖୋଜ ଅଛନ୍ତି । ଶତାଧିକ ଆହତ ହୋଇଛନ୍ତି । ରାସ୍ତାଘାଟ, ଘରଦ୍ୱାର, ଗାଡି-ମୋଟର ଓ ବଡ ବଡ ଗଛକୁ ଧୋଇନେଇଛି ସୁନାମୀ । ଆଗ୍ନେୟ ଉଦଗୀରଣ ପରେ ସମୁଦ୍ରରେ ଭୂସ୍ଖଳନ ଘଟି ସୁନାମୀ ଆସିଥିବା ସୂଚନା ମିଳିଛି । ସମୁଦ୍ର କୂଳରେ ମ୍ୟୁଜିକ୍ କନସର୍ଟ ଚାଲିଥିବା ବେଳେ ମାଡି ଆସିଥିଲା ଭୟଙ୍କର ସୁନାମୀ । ଆସନ୍ତୁ ଜାଣିବା କିଭଳି ଥିଲା ଆତଙ୍କର ସେହି ଦୃଶ୍ୟ ।

ସମୁଦ୍ର କୂଳରେ ଚାଲିଥିଲା ରଂଗାରଂଗ ମ୍ୟୁଜିକ୍ କନସର୍ଟ । ନ୍ୟୁ ଇୟର ପାର୍ଟିରେ ମସଗୁଲ୍ ଥିଲେ ସମସ୍ତେ । ରକ୍ ବ୍ୟାଣ୍ଡର ତାଳେ ତାଳେ କଳାକାର ନାଚୁଥିଲେ ଆଉ ତାସହ ଦର୍ଶକ ବି । ହେଲେ ଅଚାନକ୍ ମାଡି ଆସିଥିଲା ସମୁଦ୍ର ପାଣି । କେହି କିଛି ବୁଝିବା ଆଗରୁ ସୁନାମୀ ସ୍ରୋତ ଭସାଇନେଇଥିଲା ସମସ୍ତଙ୍କୁ ।

ଇଣ୍ଡୋନେସିଆରେ ମହାବିପର୍ଯ୍ୟୟ । ମାଡି ଆସିଲା ଭୟଙ୍କର ସୁନାମୀ । ଭୂକମ୍ପ ଓ ସୁନାମୀର ଦେଶ ପାଲଟିଥିବା ଇଣ୍ଡୋନେସିଆ ପୁଣି ସାମ୍ନା କରିଛି ଭୟାବହ ସୁନାମୀକୁ । ଶତାଧିକ ପ୍ରାଣ ହରାଇଛନ୍ତି , ୬ ଶହରୁ ଅଧିକ ଆହତ ହୋଇଛନ୍ତି । ଅନେକଙ୍କ ପତା ମିଳୁନି । ଘରଦ୍ୱାର ଭାସିଯାଇଛି । ବ୍ରିଜ୍ ଭୁଶୁଡିପଡିଛି, ରାସ୍ତା ଧୋଇଯାଇଛି । ଉପୁଡି ପଡିଛି ବଡ ବଡ ଗଛ । ମାଟିରେ ମିଶିଯାଇଛି ବଡ ବଡ ବିଲଡିଂ । ରାତି ଅଧରେ ସବୁକିଛି ଉଜାଡି ଦେଇଛି ସୁନାମୀ । ଛାରଖାର ହୋଇଯାଇଛି ଇଣ୍ଡୋନେସିଆର କେରିଟା ସହର ।

ଆଗ୍ନେୟଗିରି ଉଦଗୀରଣ ପରେ ମାଡିଆସିଲା ସୁନାମୀ । ଇଣ୍ଡୋନେସିଆର ପିଛା ଛାଡୁନି ପ୍ରାକୃତିକ ବିପର୍ଯ୍ୟୟ । ଶନିବାର ରାତିରେ ହଠାତ୍ ଇଣ୍ଡୋନେସିଆର କ୍ରାକାଟୋଆ ଆଗ୍ନେୟଗିରି ଉଦଗୀରଣ ହୋଇଥିଲା । ପରେ ପରେ ସମୁଦ୍ର ଭିତରେ ଭୂସ୍ଖଳନ ହୋଇ ପ୍ରଳୟଙ୍କରୀ ସୁନାମୀ ଆସିଥିଲା । ରାତିରେ ସୁନାମୀ ଆସିଥିବାରୁ ବଡ ଧରଣର ବିପର୍ଯ୍ୟୟ ଘଟିଛି । ସେପଟେ ପୁଣି ଆଗ୍ନେୟଗିରି ଉଦଗୀରଣ ହେବା ନେଇ ସତର୍କତା ଜାରି କରିଛି ଇଣ୍ଡୋନେସିଆ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ।