ଭାରତ ସମେତ ପୂରା ବିଶ୍ୱକୁ ଧମକ ଦେଲେ ଟ୍ରମ୍ପ । କହିଲେ, ଦମ ଅଛି ତ ୪ ନଭେମ୍ବର ପରେ ଇରାନ ଠାରୁ ତୈଳ କିଣକି ଦେଖାଅ, ସମସ୍ତଙ୍କୁ ଦେଖିନେବ ଆମେରିକା

47

ଭାରତ ସମେତ ପୂରା ବିଶ୍ୱକୁ ଧମକ ଦେଲା ଆମେରିକା । ନଭେମ୍ବର ୪ ତାରିଖ ପରେ ଇରାନ ଠାରୁ କୌଣସି ଦେଶ ତୈଳ କିଣିଲେ ସେହି ଦେଶ ବିରୋଧରେ କଡା ପଦକ୍ଷେପ ନେବାକୁ ଆମେରିକା ପ୍ରସ୍ତୁତ ରହିଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି । ପୂର୍ବରୁ ଆମେରିକାର ଚେତାବନୀ ସତ୍ତେ୍ୱ ମଧ୍ୟ ଋଷ ଠାରୁ ଭାରତ ଶକ୍ତିଶାଳୀ ଏସ-୪୦୦ ମିସାଇଲ ସିଷ୍ଟମ କିଣି ସମସ୍ତଙ୍କୁ ଚକିତ କରି ଦେଇଥିଲା । ତେବେ ଏହି ଡିଫେନ୍ସ ଡିଲ ପରେ ଭାରତ-ଆମେରିକା ସର୍ମ୍ପକ ମଧ୍ୟରେ ଫାଟ ସୃଷ୍ଟି ହେବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଆଉ ଏଭଳି ସମୟରେ ଆମେରିକାର ନାଲିଆଖିକୁ ଖାତିର ନ କରି ଇରାନ ଠାରୁ ତୈଳ କିଣୁଛି ଭାରତ ।

ଡୋନାଲ୍ଡ ଟ୍ରମ୍ପ ଇରାନ ଠାରୁ କଞ୍ଚା ତୈଳ ଆମଦାନୀ କରୁଥିବା ଦେଶ ଗୁଡିକୁ ଚେତାବନୀ ଦେଇ କହିଛନ୍ତି, ନଭେମ୍ବର ୪ ସୁଦ୍ଧା ଯେଉଁ ଦେଶ ଇରାନ ସହ ତୈଳ କାରବାର ବନ୍ଦ ନ କରେ ତାହାକୁ ଆମେରିକା ଦେଖିନେବ । ଏପରିକି ଇରାନ ଠାରୁ ତୈଳ କାରବାର କରୁଥିବା ଚୀନ ଓ ଭାରତକୁ ମଧ୍ୟ ଦେଖିନେବୁ ବୋଲି କହିଛନ୍ତି ଟ୍ରମ୍ପ କହିଛନ୍ତି ।

ଏହା ପୂର୍ବରୁ ଏସ-୪୦୦ କିଣିବା ପାଇଁ ଋଷ ସହ ଭାରତ କରିଥିବା ଡିଫେନ୍ସ ଡିଲ ସର୍ମ୍ପକରେ ଟ୍ରମ୍ପ କହିଥିଲେ, ଆମେରିକାର ପ୍ରତିବନ୍ଧକ ସତ୍ତେ୍ୱ ମଧ୍ୟ ଭାରତ ଏହି ଡିଲ୍ କରିଛି । ତେଣୁ ଆମେରିକା ଆଇନ ଅନୁଯାୟୀ ଭାରତ ଉପରେ ପ୍ରତିବନ୍ଧକ ଲାଗିବ କି ନାହିଁ ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଟ୍ରମ୍ପ । ପାଞ୍ଚ ବିଲିୟନ ଡଲାରର ଏହି ମେଗା ଡିଫେନ୍ସ ଡିଲ ପରେ ଆମେରିକା ଖୁବଶୀଘ୍ର ଭାରତ ଉପରେ କାଟସା କଟକଣା ଲଗାଇପାରେ । କାରଣ ଏହା ପୂର୍ବରୁ ଋଷ ଠାରୁ ଯୁଦ୍ଧ ବିମାନ ଓ ମିସାଇଲ ଡିଫେନ୍ସ କିଣିବାକୁ ବିରୋଧ କରି ଚୀନ ଉପରେ କାଟସା ଲଗାଇଥିଲା ଆମେରିକା । କାଟସା ଆଇନ ବଳରେ ଇରାନ, ଉତ୍ତର କୋରିଆ ଓ ଋଷ ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା ।