ମିତ୍ର ବନିବେ ପାରମ୍ପରିକ ପ୍ରତିଦ୍ୱନ୍ଦୀ : ଆମେରିକା ରାଷ୍ଟ୍ରପତି ଓ ରୁଷିଆ ରାଷ୍ଟ୍ରପତିଙ୍କ ସାକ୍ଷାତ ପରେ ଫଳାଫଳ ଉପରେ ସାରା ବିଶ୍ୱର ନଜର

41

କନକ ବ୍ୟୁରୋ : ଫିନଲାଣ୍ଡ ରାଜଧାନୀ ହେଲସିଙ୍କିରେ ଦୁଇ ତୁଙ୍ଗ ନେତାଙ୍କ ବୈଠକ । ପ୍ରାୟ ୯୦ମିନିଟ ଧରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ଶିଖର ବୈଠକ ଆୟୋଜିତ ହେଲା । ଏଥିରେ ସାମରିକ, ମିଜାଇଲ, ପରମାଣୁ ଓ ବ୍ୟାପାର ସମ୍ବନ୍ଧୀୟ ଆଲୋଚନା ସହ ଚୀନ୍ ବାବଦରେ ବି ଆଲୋଚନା ହୋଇଥିଲା । ଏହି ବୈଠକରେ ଉପରେ ସାରା ବିଶ୍ୱର ନଜର ରହିଥିଲା ।

ଆମେରିକା ଓ ରୁଷିଆ ଭିତରେ ତିକ୍ତତା ମଧ୍ୟରେ ଉଭୟ ରାଷ୍ଟ୍ରର ନେତାଙ୍କ ସାକ୍ଷାତ ଉପରେ ରହିଛି ସାରା ବିଶ୍ୱର ନଜର । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ହେଲସିଙ୍କିର ରାଷ୍ଟ୍ରପତି ଭବନରେ ପ୍ରାୟ ୯୦ମିନିଟ୍ ଧରି ଏହି ଶିଖର ବୈଠକ ଚାଲିଥିଲା । ଏହା ପୂର୍ବରୁ ୧୯୯୦ରେ ଏଠାରେ ତକ୍ରାଳନୀ ଆମେରିକା ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍ ଓ ରୁଷିଆ ରାଷ୍ଟ୍ରପତି ମିଖାଏଲ ଗର୍ବୋଚେଭଙ୍କ ମଧ୍ୟରେ ବୈଠକ ବସିଥିଲା । ସୋମବାର ସଂଧ୍ୟାରେ ସୁପରପାୱାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ସୁପରପାୱାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ସାକ୍ଷାତ କଲେ । ବାର୍ତ୍ତା ଆରମ୍ଭ ହୋଇଥିଲା ଫିଫା ବିଶ୍ୱକପରୁ ।

ଏହାପରେ ଭ୍ଲାଦିମିର ପୁତିନଙ୍କ ସମ୍ମୁଖରେ ଚୀନକୁ ନେଇ ବୈଠକର ଏଜେଣ୍ଡା ରଖିଲେ ରାଷ୍ଟ୍ରପତି ଟ୍ରମ୍ପ । ସାମରିକ, ମିଜାଇଲ, ପରମାଣୁ ଓ ବ୍ୟାପାର ସମ୍ବନ୍ଧରେ ମଧ୍ୟ ଉଭୟ ନେତାଙ୍କ ଭିତରେ ଆଲୋଚନା ହୋଇଥିଲା । ସେପଟେ ଆମେରିକା ଓ ରୁଷିଆ ଅର୍ନ୍ତରାଷ୍ଟ୍ରୀୟ ସୁରକ୍ଷାର ଦାୟିତ୍ୱ ନେଇଛନ୍ତି ବୋଲି କହିଥିଲେ ରୁଷିଆ ରାଷ୍ଟ୍ରପତି ।

ତେବେ ଏହି ସମୟ ମଧ୍ୟରେ କିଛି ଅଜବ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି ଟ୍ରମ୍ପ ଖୁବ୍ ନରମ ଭାବରେ କଥା ହେଉଥିବା ବେଳେ ରୁଷିଆ ରାଷ୍ଟ୍ରପତି ପୁତିନଙ୍କ ଆଚାର ବ୍ୟବହାର ବେଶ କଡ଼ା ଥିଲା । ଉଭୟ ନେତାଙ୍କ ମଧ୍ୟରେ ଏହି ସାକ୍ଷାତକାର ବେଶ ଉଷ୍ମତାଭରା ଥିଲା । ତେବେ ପୁତିନଙ୍କୁ ଦେଖି ଜଣାପଡୁଥିଲା ଯେ ଏହି ସାକ୍ଷାତକୁ ନେଇ ସେ କୌଣସି ଚାପରେ ନଥିଲେ । ସେପଟେ ପୁତିନଙ୍କ ସମ୍ମୁଖରେ କିଛି ସଙ୍କୋଚଭରା ନଜର ଆସୁଥିଲେ ଟ୍ରମ୍ପ । ପୁତିନ ଓ ଟ୍ରମ୍ପଙ୍କ ଏହି ସାକ୍ଷାତକାର ପରେ ଆମେରିକା ଓ ରୁଷିଆ ମଧ୍ୟରେ ଥିବା ପୁରୁଣା ଶତ୍ରୁତାରେ ପୂର୍ଣ୍ଣଛେଦ ପଡିବ କି ନାହିଁ ତାରି ଉପରେ ରହିଛି ସାରା ବିଶ୍ୱର ନଜର ।