ବିବାଦରେ ପ୍ରଧାନମନ୍ତ୍ରୀଙ୍କ କେଦାରନାଥ ଯାତ୍ରା : ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ଦର୍ଶାଇ ଇସିଙ୍କ ଦ୍ୱାରସ୍ଥ ହେଲା ଟିଏମସି

368

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ କେଦାରନାଥ ଯାତ୍ରା ନେଇ ବିବାଦ ଉପୁଜିଛି । ଆଦର୍ଶ ଆଚରଣର ବିଧିର ଉଲ୍ଲଂଘନ ଦର୍ଶାଇ ମୋଦିଙ୍କ ଯାତ୍ରା ବିରୋଧରେ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେଲା ଟିଏମସି । ମୋଦିଙ୍କ ବିରୋଧରେ ଏକ ପତ୍ର ମାଧ୍ୟରେ ଅସନ୍ତୋଷ ଜାହିର କରିଛି ତୃଣମୂଳ କଂଗ୍ରେସ । ଶେଷ ପର୍ଯ୍ୟାୟ ମତଦାନ ପାଇଁ ୧୭ ମେ ୨୦୧୯ ସନ୍ଧ୍ୟା ପର୍ଯ୍ୟନ୍ତ ଥିଲା ନିର୍ବାଚନ ପ୍ରଚାର ଅବଧି । ହେଲେ ମୋଦିଙ୍କ କେଦାରନାଥ ଯାତ୍ରା ନେଇ ବିଗତ ୨ ଦିନ ଧରି ଆଞ୍ଚଳିକ ଓ ଅର୍ନ୍ତଜାତୀୟ ମିଡ଼ିଆ ଦ୍ୱାରା ଟେଲିଭିଜନରେ ଖବର ପ୍ରସାରଣ ହେଉଛି । ଏହା ସମ୍ପୂର୍ଣ୍ଣ ରୂପେ ନିର୍ବାଚନ ଆଚରଣ ବିରୁଦ୍ଧ । ଘଡ଼ିସନ୍ଧି ମୁହୂର୍ତ୍ତରେ ମୋଦିଙ୍କ ଯାତ୍ରା ସମ୍ପୂର୍ଣ୍ଣ ଭୁଲ ତଥା ଅନୈତିକ ବୋଲି ଚିଠିରେ ଦର୍ଶାଇଛି ଟିଏମସି ।

ସୂଚନାଯୋଗ୍ୟ ବାରଣାସୀରୁ ଦ୍ୱିତୀୟ ଥର ପାଇଁ ଭାଗ୍ୟ ପରୀକ୍ଷା କରିବା ପୂର୍ବରୁ ମୋଦି ଗତକାଲି କେଦାରନାଥଙ୍କ ଦର୍ଶନ କରିଛନ୍ତି । ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରି, ଆଶୀର୍ବାଦ ଲୋଡିଛନ୍ତି । ପୂର୍ଜାର୍ଚ୍ଚନା ପାର ଧ୍ୟାନରେ ବସିଯାଇଥିଲେ ପ୍ରଧାନମନ୍ତ୍ରୀ । ହିମାଳୟର ଏକ ସମ୍ପୂର୍ଣ୍ଣ ବନ୍ଦ ଗୁମ୍ଫାରେ ଧ୍ୟାନ ମୁଦ୍ରାରେ ବସିଥିଲେ ପ୍ରଧାନମନ୍ତ୍ରୀ ।

ସବୁଠାରୁ ରୋଚକ କଥା ହେଲେ ମୋଦି ଧ୍ୟାନ କରିଥିବା ଗୁମ୍ଫାରେ ଥିଲା ସ୍ୱତନ୍ତ୍ର ସୁବିଧା । ମୋଦିଙ୍କ ଗସ୍ତ ପୂର୍ବରୁ ଏହି ଗୁମ୍ଫାରେ ପାଣି, ବିଜୁଳି ସହ ସିସିଟିଭି କ୍ୟାମେରା ଲାଗିଥିଲା । ଆଉ ବାହାରେ ପହରା ଦେଉଥିଲେ ଏସପିଜି ଗାର୍ଡ । ଯାହାଙ୍କ ଦାୟିତ୍ୱରେ ଥିଲା ଗୁମ୍ଫାରେ ଥିବା ସିସିଟିଭି ଅପରେଟିଂ ବ୍ୟବସ୍ଥା । ପ୍ରଧାନମନ୍ତ୍ରୀ ଗୋଟିଏ ରାତି ବିତାଇଥିବା ଏହି ଗୁମ୍ଫା ସାଧାରଣ ଗୁମ୍ଫା ନଥିଲା । ଗୁମ୍ଫାରେ ଥିଲା ୱାସିଂ ରୁମ, ଗୋଟିଏ ଝରକା, ଶୋଇବା ପାଇଁ ଖଟ ଓ ଧ୍ୟାନ ପାଇଁ ଆବଶ୍ୟକ ସ୍ଥାନ ।