ସ୍ୱାଧୀନ ଭାରତର ଏକମାତ୍ର ପତାକା, ଯାହା ଏବେ ବି ରହିଛି ସୁରକ୍ଷିତ । ୧୯୪୭ ମସିହାର ତ୍ରିରଙ୍ଗା ଉଡୁଛି ଫରଫର୍

40

ସ୍ୱାଧୀନତା ଦିବସର ଅର୍ଥ ଭାରତ ଓ ତାହାର ନାଗରିକ ପାଇଁ ବହୁତ ବଡ । ଏହା ଭାରତୀୟଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ କାହିଁକିନା ବ୍ରିଟିଶ ମାନଙ୍କ ଠାରୁ ସ୍ୱାଧୀନତା ପାଇବା ପରଠାରୁ ଭାରତ ଏହି ଦିବସ ପାଳନ କରିଆସୁଛି । ଭାରତୀୟମାନେ ଏହି ଉତ୍ସବକୁ ବହୁତ ଗର୍ବର ସହ ପାଳନ କରନ୍ତି । ଭାରତ ଦେଶ ହେଉଛି ‘ବିବିଧତାରେ ଏକତା’, ଯେଉଁଠି ବିଭିନ୍ନ ଜାତି ଓ ସମ୍ପ୍ରଦାୟର ଲୋକ ରହନ୍ତି ଏବଂ ପ୍ରତ୍ୟେକ ଜାତୀୟ ଉତ୍ସବକୁ ସେମାନେ ମିଳିମିଶି ପାଳନ କରନ୍ତି । ଆଉ ଏହାରି ଭିତରେ ଏକ ଖବର ସାମନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ୧୫ ଅଗଷ୍ଟ ୧୯୪୭ରେ ଜର୍ଜ ଫୋର୍ଟରେ ଉତ୍ତୋଳନ ହୋଇଥିବା ତ୍ରିରଙ୍ଗା ଆଜି ବି ସୁରକ୍ଷିତ ରହିଛି । ଏହାକୁ ପ୍ରଥମଥର ୨୬ଜାନୁୟାରୀ ୨୦୧୩ରେ ଫୋର୍ଟର ସଂଗ୍ରହାଳୟରେ ଲୋକଙ୍କୁ ଦେଖେଇବା ପାଇଁ ରଖାଯାଇଥିଲା । ଜଣେ ଅଧିକାରୀଙ୍କ କହିବାନୁସାରେ, ଏହି ପତାକା ଦେଶ ସ୍ୱାଧୀନ ପରେ ଏକମାତ୍ର ପତାକା , ଯାହା ଏବେ ସୁଦ୍ଧା ସୁରକ୍ଷିତ ରହିଛି ।

୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନ ହେବା ଦିନ ଠାରୁ ତାମିଲନାଡୁର ମାଡ୍ରାସ ଠାରେ ଥିବା ଫୋର୍ଟ ସେଣ୍ଟ ଜର୍ଜଠାରେ ଉଡୁଛି ତ୍ରିରଙ୍ଗା । ଏହା ହେଉଛି ଦେଶର ଏକମାତ୍ର ଭିଣ୍ଟେଜ୍ ଜାତୀୟ ପତାକା ,ଯାହା ଦୀର୍ଘ ୭୧ ବର୍ଷ ହେଲା ଉକ୍ତ ଦୁର୍ଗରେ ସୁରକ୍ଷିତ ହୋଇ ରହିଛି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ପକ୍ଷରୁ ଏହାକୁ ବହୁସ୍ତରୀୟ ସୁରକ୍ଷା ପ୍ରଦାନ କରାଯାଇଛି । ଅର୍ଥାତ୍ ଏହାର ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ଦାୟିତ୍ୱ ରହିଛି ଏଏସଆଇ ହାତରେ । ଏଏସଆଇର ‘ରିଜର୍ଭ କଲେକ୍ସନ’ ମଧ୍ୟରେ ଦୀର୍ଘ ଦଶନ୍ଧି ହେଲା ଏହାକୁ ସଂରକ୍ଷିତ କରି ରଖାଯାଇଛି ।

୨୦୧୩ ଜାନୁୟାରୀ ୨୬ରେ ପ୍ରଥମ କରି ଫୋର୍ଟ ସେଣ୍ଟ ଜର୍ଜ ପରିସରରେ ଥିବା ଫୋର୍ଟ ମ୍ୟୁଜିୟମରେ ସର୍ବସାଧାରଣଙ୍କ ପାଇଁ ଏହାର ପ୍ରଦର୍ଶନ ହୋଇଥିଲା । ତେବେ ପତାକାକୁ ଏଭଳି ଭାବେ ସଂରକ୍ଷଣ କରିବା ସେତେ ସହଜ ନୁହେଁ । ଏକ ଏୟାର ଟାଇଡ୍ କାଠ ଏବଂ କାଚ ଶୋ କେସରେ ଏହାକୁ ରଖାଯାଇଛି । ପତାକାର ଚାରିପାର୍ଶ୍ୱରେ ସିଲିକା ଜେଲର ୬ଟି ପାତ୍ର ରହିଛି । ଏହାଦ୍ୱାରା ସବୁ ସମୟରେ ଶୋ କେସର ଆର୍ଦ୍ରତା ନିୟନ୍ତ୍ରଣ ହେବା ସହ ତାହାକୁ ଶୋଷିନେଇଥାଏ । ପତାକା ରହିଥିବା ହଲ୍ ଓ ଶୋ କେସରେ ସବୁବେଳେ ନିୟନ୍ତ୍ରଣ କରିବା ଲାଗି ଏକ ଲ୍ୟୁକ୍ସ ମିଟର ବ୍ୟବସ୍ଥା କରାଯାଇଛି । ପ୍ରତିଟି ମୁହୂର୍ତ୍ତରେ ସେଠାକାର ତାପମାତ୍ରା ଓ ଶୀତ ତାପକୁ ନିୟନ୍ତ୍ରଣ କରାଯାଇଥାଏ ।

ହଲରେ ଭ୍ରମଣକାରୀ ପହଂଚିଲେ ସେଠାରେ ବ୍ୟବସ୍ଥିତ ମାନବସମ୍ବେଦନଶୀଳ ଲାଇଟ୍ ଆପେ ଆପେ ଜଳି ଉଠିଥାଏ । ଶୋ କେସରେ ଯେଭଳି ବାହାରର ଆଲୁଅ, ପବନ ,ଧୂଳିକଣା ପ୍ରବେଶ ନକରିପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସେଠାରେ ସୁରକ୍ଷାବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଯଦି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ସେଥିପାଇଁ ସାଇରନ୍ ବ୍ୟବସ୍ଥା ମଧ୍ୟ ରହିଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏତେବର୍ଷ ପୁରୁଣା ହେବା ଯୋଗୁଁ ପତାକାର ,କିଛି ଅଂଶ ଫାଟି ଯାଇଛି ।

ଶୁଦ୍ଧ ରେଶମ କପଡାରେ ପ୍ରସ୍ତୁତ ଏହି ପତାକାର ଦୈର୍ଘ୍ୟ ୧୨ ଫୁଟ୍ ରହିଥିବା ବେଳେ ପ୍ରସ୍ଥ ରହିଛି ୮ଫୁଟ୍ । ଭାରତ ସ୍ୱାଧୀନ ଘୋଷିତ ହେବା ପରେ ୧୯୪୭ ଅଗଷ୍ଟ ୧୫ ତାରିଖ ସକାଳ ୫ଟା ୫ମିନିଟରେ ଫୋର୍ଟ ସେଣ୍ଟ ଜର୍ଜଠାରେ ବ୍ରିଟିଶ୍ ୟୁନିୟନ ପତାକା ହଟାଇ ତ୍ରିରଙ୍ଗାକୁ ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ହଜାର ହଜାର ଲୋକ ସେଠାରେ ଉପସ୍ଥିତ ଥିଲେ । ତେବେ ସେହି ପତାକା କିଏ ଉତ୍ତୋଳନ କରିଥିଲେ ସେ ନେଇ ପ୍ରଶାସନ ପାଖରେ କିଛି ରେକର୍ଡ ନଥିବା ଅଧିକାରୀ ଜଣକ ପ୍ରକାଶ କରିଛନ୍ତି ।