ଗଛକଟା ରୋକିବା ପାଇଁ ବାରିପଦା ବନ ବିଭାଗର ନୂତନ ପ୍ରୟାସ ! ବିଶାଳକାୟ ଶାଳ ଗଛକୁ ଅନ୍ୟତ୍ର କରାଯାଉଛି ପୁନଃରୋପଣ

61

କନକ ବ୍ୟୁରୋ : ଦିନକୁ ଦିନ ବଢ଼ିଚାଲିଛି ଜନସଂଖ୍ୟା । ଜନସଂଖ୍ୟା  ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଗଛକଟା ମଧ୍ୟ ବୃଦ୍ଧି ପାଉଛି । ଲୋକମାନେ ନିଜର ଘର ତିଆରି ପାଇଁ ଗଛ କାଟି ଜଙ୍ଗଲ ପଦା କରିଦେଲେଣି  । ପରିବେଶ ସନ୍ତୁଳନ ରକ୍ଷା ପାଇଁ ବୃକ୍ଷ ହେଉଛି ଉତ୍ତମ ମାଧ୍ୟମ । ବିଶ୍ୱ ପରିବେଶ ଆଜି ପ୍ରଦୂଷିତ ହୋଇଛି । ଏଥିପାଇଁ ବିଭିନ୍ନ ସମୟରେ ବହୁ ପ୍ରାକୃତିକ ବିପର୍ୟ୍ୟୟ ଦେଖାଦେଉଛି । ପରିବେଶ ପ୍ରଦୂଷଣ ଯୋଗୁଁ ଜଳବାୟୁ ପରିବର୍ତ୍ତନ, ବାୟୁମଣ୍ଡଳରେ ଉଷ୍ଣତା ବୃଦ୍ଧି ଜୀବନ ଜୀବିକାକୁ ବିଶେଷ ଭାବେ ପ୍ରଭାବିତ କରିଥିବା ବେଳେ ପରିବେଶ ସୁରକ୍ଷା ସମଗ୍ର ବିଶ୍ୱ ପାଇଁ ଏକ ଆହ୍ୱାନ ସାଜିଛି ।

ପରିବେଶକୁ ପ୍ରଦୂଷଣ ମୁକ୍ତ ଓ ଏହାର ସନ୍ତୁଳନ ବଜାୟ ରଖିବା ପାଇଁ ବୃକ୍ଷରୋପଣ ଏକାନ୍ତ ଜରୁରୀ । ବୃକ୍ଷରୋପଣ ଓ ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଜନସାଧାରଣରେ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି । ଏହାସତ୍ତ୍ୱେ ପ୍ରତିଦିନ ବେଆଇନ ଭାବେ ଗଛକଟା ଚାଲିଛି । ଦିନ ଦ୍ୱିପ୍ରହରରେ ବଡ ବଡ ଶାଳ, ପିଆଶାଳ, ଶାଗୁଆନ, ଚନ୍ଦନ ଭଳି ବହୁ ମୂଲ୍ୟବାନ ଗଛ କାଟି ନିଆଯାଉଛି । ଏଥିରୁ ଔଷଧୀୟ ବୃକ୍ଷ ମଧ୍ୟ ବାଦ୍ ପଡୁନାହିଁ । ତେବେ ଏଥିରୁ ବର୍ତ୍ତିବା ପାଇଁ ବାରିପଦା ବନବିଭାଗ ଏକ ନୂତନ ଉପାୟ ବାହାର କରିଛି ।

ଗଛକୁ ନକାଟି ଅନ୍ୟତ୍ର ରୋପଣ କରିବା ପାଇଁ ପରୀକ୍ଷା ନିରୀକ୍ଷା ଚଳାଇଛି ବାରିପଦା ବନ ବିଭାଗ । ଜଙ୍ଗଲରୁ ଗଛକୁ ବୈଜ୍ଞାନିକ ପଦ୍ଧତିରେ ଉପାଡ଼ି ଅନ୍ୟତ୍ର ଲଗାଇବାର ପ୍ରୟାସ ଜାରି ରହିଛି । ବାରିବଦା-ବାଲେଶ୍ୱର ୧୮ ନମ୍ବର ରାଜପଥ କୃଷ୍ଣପୁର ଜଙ୍ଗଲରେ ଚାଲିଛି ଏହି ପଦ୍ଧତିରେ ପରୀକ୍ଷାନିରୀକ୍ଷା । ପ୍ରାୟ ୨୦ଟି ବିଶଳକାୟ ଶାଳ ଗଛକୁ ଉପାଡ଼ି ରାଜପଥର ୧ କିମି ଅତିକ୍ରମ କରି ଅନ୍ୟତ୍ର ରୋପଣ କରାଯାଉଛି । ସୂଚନାଯୋଗ୍ୟ ଜାତୀୟ ରାଜପଥ ସଂପ୍ରସାରଣ ନାଁରେ ହଜାର ହଜାର ଗଛ କଟା ସରିଛି । ଏହାକୁ ଦୃଷ୍ଟିରେ ରଖି ଗଛ ଗୁଡ଼ିକ ପୁନଃରୋପଣ ପାଇଁ ବନବିଭାଗ ଏପରି ପଦକ୍ଷେପ ନେଇଛି ।

ଗଛ ବଢ଼ିବା ପାଇଁ ବର୍ଷ ବର୍ଷ ସମୟ ଲାଗେ । ହେଲେ ମାତ୍ର ଅଳ୍ପ ସମୟ ମଧ୍ୟରେ ଲେଲ୍ଲା ଜାତୀୟ ରାଜପଥ ସଂପ୍ରସାରଣ ନାମରେ ହଜାର ହଜାର ଗଛ କଟା ସରିଛି । ତେବେ ଆହୁରି ଅନେକ ଗଛ କାଟିବା ପାଇଁ ଚିହ୍ନଟ କରାଯାଇଛି । ତେବେ ଏନେଇ ପ୍ରତିବାଦ କଲେ ମଧ୍ୟ କିଛି ସୁଫଳ ମିଳୁନି । ତେବେ ଏହି ଉପାୟରେ କେତେଦୂର ପରୀକ୍ଷା ସଫଳ ହେବ ସେକଥା ସମୟ କହିବ ।  ତେବେ ଏହି ପରୀକ୍ଷାକୁ ନେଇ ବେଶ୍ ଆଶବାଦୀ ଅଛନ୍ତି ପରିବେଶବିଦ୍ । ତେବେ ବାରିପଦା ବନଖଣ୍ଡରେ ଶାଳଗଛକୁ ଅନ୍ୟତ୍ର ପୁନଃରୋପଣ କରିବା ଭାରତରେ ପ୍ରଥମ ଘଟଣା । ଏହି ପରୀକ୍ଷଣ ଯଦି ସଫଳ ହୁଏ, ତେବେ ବହୁତ ବଡ଼ ବଡ଼ ଜଙ୍ଗଲ ରକ୍ଷା କରାଯାଇପାରନ୍ତା । ତେବେ ପୂର୍ବରୁ ପାରାଦ୍ୱୀପରେ ମଧ୍ୟ ଏପରି ପଦକ୍ଷେପ ନିଆଯାଇଥିଲା । ଆଉ ଏହି ପରୀକ୍ଷା ସଫଳ ମଧ୍ୟ ହୋଇଥିଲା ।