୬ବର୍ଷ ପରେ ଦେଶର ସବୁଠାରୁ ବଡ ରେଳ ଦୁର୍ଘଟଣା : ଇନ୍ଦୋର-ପାଟଣା ଏକ୍ସପ୍ରେସ ଟ୍ରେନର ୧୪ ବଗି ଲାଇନଚ୍ୟୁତ

35

କନକ ବ୍ୟୁରୋ : ଏ ଦୃଶ୍ୟ ବୟାନ କରୁଛି କେତେ ଭୟାବହ ହୋଇଥିବ ଏହି ଦୁର୍ଘଟଣା । ଗତ କିଛିବର୍ଷ ଭିତରେ ସବୁଠାରୁ ବଡ ରେଳ ଦୁର୍ଘଟଣା । ଲାଇନଚ୍ୟୁତ ହୋଇଛି ୧୪ଟି ବଗି । କାନପୁର ପୁଖରାୟନରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଇନ୍ଦୋର-ପାଟନା ଏକ୍ସପ୍ରେସ ଟ୍ରେନ୍ । ଏସ-୧, ଏସ-୨ ଓ ଏସ-୩ ବଗି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ତିନିଟି ବଗି ପରସ୍ପର ସହ ଖୁବ ଜୋରରେ ଧକ୍କା ହୋଇଥିଲା । ଆଉ ଏହି ଘଟଣା ହିଁ ଏତେ ସଂଖ୍ୟକ ଯାତ୍ରୀଙ୍କ ପ୍ରାଣ ନେଇଛି । ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଦେଢଶହରୁ ଅଧିକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ଏପଟେ ମୃତ୍ୟୁ ସଂଖ୍ୟା ବଢିବାର ମଧ୍ୟ ଆଶଙ୍କା ରହିଛି ।

ସ୍ଥାନୀୟ ପୋଲିସ ସହ ସେନା ଓ ଏନଡିଆରଏଫ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବଗି ଭିତରେ ଚପି ରହିଥିବା ମୃତଦେହଗୁଡିକୁ କଟରରେ କାଟି ଉଦ୍ଧାର କରାଯାଉଛି । ଗୁରୁତରଙ୍କୁ ହସ୍ପିଟାଲରେ ପହଂଚାଇବା ଲାଗି ୩୦ରୁ ଅଧିକ ଆମ୍ବୁଲାନ୍ସକୁ ନିୟୋଜିତ କରାଯାଇଛି । ଶତାଧିକ ଆହତଙ୍କୁ କାନପୁର ଓ ଏହାର ଆଖାପାଖ ହସ୍ପିଟାଲଗୁଡିକରେ ଭର୍ତି କରାଯାଇଛି । ସମସ୍ତ ହସ୍ପିଟାଲକୁ ଆଲର୍ଟ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । କେଉଁ ପରିସ୍ଥିତିରେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହେଲା ତାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ସୁରେଶ ପ୍ରଭୂ ।

ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୃତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ରେଳମନ୍ତ୍ରାଳୟ ମଧ୍ୟ ମୃତକଙ୍କୁ ୫ ଲକ୍ଷ, ଗୁରୁତର ଆହତଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଦେବାକୁ ଘୋଷଣା କରିଛି । ମଧ୍ୟପ୍ରଦେଶ ଓ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ମୃତାହତଙ୍କୁ ସହାୟତା ରାଶି ଘୋଷଣା କରିଛନ୍ତି । ମୃତାହତଙ୍କ ସଂପର୍କରେ ସୂଚନା ପାଇଁ ରେଳ ବିଭାଗ ପକ୍ଷରୁ ହେଲ୍ପନାଇନ ନମ୍ବର ଜାରି କରାଯାଇଛି ।

କେନ୍ଦ୍ର ଗୃହମନ୍ତ୍ରୀ ରାଜନୀଥ ସିଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏନଡିଆରଏଫ ଡିଜିଙ୍କ ସହ ଆଲୋଚନା କରିଛନ୍ତି । ଦେଶରେ ବୁଲେଟ ଟ୍ରେନ ଚଳାଇବାକୁ ମୋଦି ସରକାର ଯୋଜନା କରୁଥିବାବେଳେ ସାଧାରଣ ଟ୍ରେନରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।