ଲଘୁଚାପ ସ୍ଥିର, ଭାସିଲାଣି ବାଦଲ ! ୧୩ରୁ ଦକ୍ଷିଣର ୫ଟି ଜିଲ୍ଲାରେ ବର୍ଷିବ

96

କନକ ବ୍ୟୁରୋ: ଶୁକ୍ରବାର ଲଘୁଚାପ ଯେଉଁଠି ଥିଲା, ଗତକାଲି ମଧ୍ୟ ସେଇଠି ସ୍ଥିର ରହିଛି । ଶ୍ରୀଲଙ୍କାରୁ ଆଣ୍ଡାମାନ ସାଗର ମଧ୍ୟବର୍ତ୍ତୀ ସ୍ଥାନରେ କେନ୍ଦ୍ରୀଭୂତ ରହିଛି ଲଘୁଚାପ । ତେବେ ବାୟୁମଣ୍ଡଳର ଉପରିଭାଗରେ ବାଦଲ ଭାସିବା ସହିତ ପବନର ବେଗ ବଢ଼ିବା ଆରମ୍ଭ କରିଛି । ଅବଶ୍ୟ, ଭୂପୃଷ୍ଠ ନିକଟରେ ପବନର ବେଗ କମ୍ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହେବ। ସୋମବାରଠାରୁ ଦକ୍ଷିଣରେ ଭଲ ବର୍ଷା ହେବ । ୧୫ରୁ ଉପକୂଳ, ଉତ୍ତର ଓଡ଼ିଶାର ଅନେକ ସ୍ଥାନକୁ ଭିଜାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଧାନ ଅମଳ ବେଳକୁ ଏଭଳି ବର୍ଷା, କୋହଲା ପାଗ ଧାନ ଫସଲ ପାଇଁ କାଳ ପାଲଟିବାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସ୍ୱତନ୍ତ୍ର ରିଲିଫ କମିସନର ଚାଷୀମାନଙ୍କୁ ପରାମର୍ଶବଳୀ ଜାରି କରିଥିବା ବେଳେ ଗତକାଲି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ପରାମର୍ଶ ଦିଆଯାଇଛି ।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କହୁଛି ଯେ, ୧୩ରୁ ୧୪ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ୧୪ ତାରିଖ ବେଳକୁ ଗଞ୍ଜାମ, ମାଲକାନଗିରି, ଗଜପତି, ରାୟଗଡ଼ା, କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପର ଗତି ସହିତ ବର୍ଷା ଅଞ୍ଚଳ ବଦଳିବ । ୧୫ରେ ଉପକୂଳ ଜିଲ୍ଲାର କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଧା, ପୁରୀ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୧୬ ତାରିଖ ବେଳକୁ ପୁରୀ, କଟକ, ଖୋର୍ଧା, ଭଦ୍ରକ, ମୟୂରଭଞ୍ଜ ଆଦି ଜିଲ୍ଲା ଏବଂ ୧୭ରେ ଉତ୍ତରର ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାରେ ବର୍ଷିବ ଲଘୁଚାପ । ସେତେବେଳକୁ ଲଘୁଚାପ ଘନୀଭୂତ ହୋଇସାରିଥିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ବର୍ତ୍ତମାନ ଲଘୁଚାପ ବହୁଦୂରରେ କେନ୍ଦ୍ରୀଭୂତ ହୋଇଥିବାରୁ ସୋମବାର ବେଳକୁ ତା’ର ଗତି, ପ୍ରଭାବ ସଂପର୍କରେ ସବିଶେଷ ସୂଚନା ମିଳିପାରିବ ବୋଲି କହିଛନ୍ତି କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ । ତେବେ ଯାହା ପୂର୍ବାନୁମାନ କରାଯାଇଛି, ଲଘୁଚାପ ପାଖେଇ ଆସିଲେ ବର୍ଷା, ପବନ ଯୋଗୁଁ ଦିନର ତାପମାତ୍ରା ଆଉ ଟିକେ କମିପାରେ । ଗତକାଲି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୧.୫ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ପାରାଦୀପକୁ ଛାଡ଼ିଦେଲେ ଉପକୂଳ ସମେତ ରାଜ୍ୟର ସମସ୍ତ ସ୍ଥାନର ସର୍ବନିମ୍ନ ତାପମାତ୍ରା ୨୦ଡିଗ୍ରୀ ତଳକୁ ଖସିଛି । ଅନ୍ୟପକ୍ଷରେ ଜମିରେ ପାଚିଲା ଧାନ ଫସଲ ଥିବାରୁ ଚାଷୀଙ୍କ ପାଇଁ ଓୟୁଏଟି ପରାମର୍ଶ ଜାରି କରିଛି । ଅମଳଯୋଗ୍ୟ ଧାନକୁ ତୁରନ୍ତ ଜମିରୁ ଆଣି ସୁରକ୍ଷିତ ସ୍ଥାନରେ ଘୋଡ଼ାଇ ରଖିବାକୁ ହେବ । ଅମଳଯୋଗ୍ୟ ହୋଇନଥିବା ଧାନ ଫସଲରେ ଏକ ଲିଟର ପାଣିରେ ୨୦ ଗ୍ରାମ ଲୁଣ ହିସାବରେ ମିଶ୍ରଣ କରି ସିଞ୍ଚନ କରିବାକୁ କୁହାଯାଇଛି । ସେହିପରି ଅନ୍ୟାନ୍ୟ ଫସଲ ସଂପର୍କରେ ବି ପରାମର୍ଶ ଦେଇଛି ଓୟୁଏଟି ।

ଫସଲକୁ କେମିତି ରଖିବେ ସୁରକ୍ଷିତ ?

– ବର୍ଷା ଯୋଗୁଁ ଫସଲ ଗଜା ହେବାର ଆଶଙ୍କା ରହିଛି, ତେଣୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ

– ଚାଷ ଜମିରେ ଅମଳ ହୋଇଥିବା ଫସଲକୁ ରଖନ୍ତୁ ନାହିଁ

– ଯଦି ଅମଳ ହୋଇନି ଗୋଟିଏ ଲିଟର ପାଣିରେ ୨୦ଗ୍ରାମ ଲୁଣ ମିଶାଇ ପାଣି ଛିଂଚନ୍ତୁ

– ଯଦି ଅମଳ ହୋଇନି, ଜମିରେ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁୁ

– ଫସଲ ବେରଙ୍ଗ ହେଉଥିଲେ ଦେଢ଼ ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ ଓ ୨୫ ଗ୍ରାମ ହାଇକ୍ଲୋରାଇଡକୁ ୧୦ ଲିଟର ପାଣିରେ ମିଶାଇ ଛିଂଚନ୍ତୁ

– ବିଲାତି ଏବଂ ବାଇଗଣ ଚାରା ଝାଉଁଲି ପଡ଼ିଲେ ଦେଢ଼ ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ ଓ ୨୫ ଗ୍ରାମ ହାଇକ୍ଲୋରାଇଡକୁ ୧୦ ଲିଟର ପାଣିରେ ମିଶାଇ ଛିଂଚନ୍ତୁ

– ଲଙ୍କା, ପନିପରିବାକୁ ବର୍ଷା ଦାଉରୁ ରକ୍ଷା କରିବା ପାଇଁ କ୍ୟାପଟନ ଛିଂଚନ୍ତୁ

ଲଘୁଚାପ ଜନିତ ବର୍ଷା ଆଶଙ୍କା ଥିବାରୁ ବର୍ତ୍ତମାନ ଚାଷୀଙ୍କ ପାଇଁ ବଡ ଆହ୍ୱନ ଏହି ସବୁ ପରାମର୍ଶକୁ ପାଳନ କରି ନିଜ କଷ୍ଟ ଉପାର୍ଜିତ ଫସଲକୁ ରକ୍ଷା କରିବା । ଗୋଟିଏ ପଟେ ଚକଡା ପୋକ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଏଭଳି ଅଦିନିଆ ବର୍ଷାର ପୂର୍ବାନୁମାନ ଚାଷୀଙ୍କ ନିଦ ହଜାଇ ଦେଇଛି ।