ଆଜି କୁମାର ପୂର୍ଣ୍ଣିମା । ଚାନ୍ଦ ପୂଜା କରିବେ କୁଆଁରୀ ଝିଅ : ସେପଟେ ଗଜଲଷ୍ମୀ ପୂଜାପାଇଁ ଢେଙ୍କାନାଳ ଓ କେନ୍ଦ୍ରାପଡାରେ ଜୋରଦାର ପ୍ରସ୍ତୁତି ଆରମ୍ଭ

170

କନକ ବ୍ୟୁରୋ : ଆଜି କୁମାର ପୂର୍ଣ୍ଣିମା । କୁମାରୀମାନଙ୍କ ପାଇଁ ଏହା ଏକ ବଡ ଉତ୍ସବର ଦିନ । ଭାଦ୍ରବ ପୂର୍ଣିର୍ମା ବା ଇନ୍ଦୁ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ଜହ୍ନି ଓଷା ଆଜି ଉଦ୍ଯାପିତ ହେବ । ଏହି ଦିନ କୁମାରୀମାନେ ସକାଳୁ ଗାଧୋଇ ନୂଆ ଲୁଗା ପିନ୍ଧନ୍ତି । ଗୁଆ, ଖଇ, ଫଳ, ପୁଷ୍ପର ଆଞ୍ଜୁଳି ଟେକି ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତି । ସଞ୍ଜ ହେଲେ ତୁଳସୀ ଚଉରା ମୂଳରେ ଜହ୍ନି ଫୁଲରେ କୋଠି ଚାଉଳ ପିଠଉରେ ଜହ୍ନ ତିଆରି କରନ୍ତି ଏବଂ କଳସ ସ୍ଥାପନ କରି ପୂଜା କରନ୍ତି । ଜହ୍ନ ଉଇଁଲେ ଜହ୍ନିଫୁଲ, ଫଳ,ଖଇ ଆଦି ଆଞ୍ଜୁଳି ଟେକନ୍ତିି । ତାପରେ କୁମାରପୂର୍ଣ୍ଣିମା ଗୀତ ଗାଇ ପୂଜାର୍ଚ୍ଚନା କରିଥାନ୍ତା ।

 

ପୂଜା ଶେଷରେ ଗୁରୁଜନମାନଙ୍କ ଆର୍ଶୀବାଦ ନେଇ ଚାନ୍ଦ ଭୋଗ ଖାଆନ୍ତି । ଏହା କୁମାର-କୁମାରୀମାନଙ୍କ ପାଇଁ ନାଚଗୀତ ଓ ଖେଳକୁଦର ପର୍ବ । କୁମାରମାନେ କବାଡି,ପଶାଖେଳ ଆଦିରେ ମଜି ରହନ୍ତି । କୁମାରୀମାନେ ଲୁଚକାଳି ପୁଚି ଆଦି ଖେଳି ସାରା ରାତି ବିତାଇ ଦିଅନ୍ତି । କୁମାରୀମାନଙ୍କ କୁଆଁର ପୁନେଇଁ ଜହ୍ନ ଲୋ ଗୀତରେ ପରିବେଷ ମୁଖରିତ ହୋଇପଡେ । ଆଜିଠାରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହେବ । ମା’ ଲକ୍ଷ୍ମୀ ସୌଭାଗ୍ୟ, ସୌନ୍ଦର୍ଯ୍ୟ ଓ ସମ୍ପଦର ଅଧିଷ୍ଠାତ୍ରୀ ଦେବୀ । ତେବେ ସାରା ରାଜ୍ୟରେ ମା’ଙ୍କ ପୂଜାର୍ଚ୍ଚନା ପାଇଁ ଉତ୍ସବ ମୁଖର ହୋଇଛି । ପୂଜା ପାଇଁ ପ୍ରସିଦ୍ଧ ଢେଙ୍କନାଳ, ତାଳଚେର, କେନ୍ଦ୍ରପଡା ଓ ଅନୁଗୁଳରେ ତୋରଣ ସାଙ୍ଗକୁ ଲାଇଟ ଗେଟ ସହରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁଛି । ଢେଙ୍କାନାଳର ମୀନା ବଜାର, ବସଷ୍ଟାଣ୍ଡ, ମହାବୀର ବଜାର, ଲକ୍ଷ୍ମୀ ବଜାର ଆଦି ଅନେକ ସ୍ଥାନରେ ପୂଜା ହେବେ ମା’ ।