ଆଜିଠାରୁ ରାଇସିନାରେ ରାମନାଥ ଯୁଗ ! ୧୪ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ରାମନାଥ କୋବିନ୍ଦ

23

କନକ ବ୍ୟରୋ: ଦେଶର ପ୍ରଥମ ନାଗରିକଙ୍କ ଆଜି ହେବ ଶପଥ ଗ୍ରହଣ ଉତ୍ସବ । ନିବନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପାର୍ଲାମେଂଟ ଭବନରେ ଶପଥ ନେବେ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜେଏସ୍ ଖେହର୍ ନୂଆ ରାଷ୍ଟ୍ରପତିଙ୍କୁ ଶପଥ ପାଠ କରାଇବେ । ୫ ବର୍ଷ ତଳେ ଏହି ସ୍ଥାନ ଓ ସମାନ ସମୟରେ ବିଦାୟୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଶପଥ ଗ୍ରହଣ କରିଥିଲେ । ବିହାରର ପୂର୍ବତନ ରାଜ୍ୟପାଳ ୭୧ ବର୍ଷୀୟ କୋବିନ୍ଦ ଦେଶର ଦ୍ୱିତୀୟ ଦଳିତ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ।

ଆଜି ଦିନ ୧୦ଟା ୧୫ରେ ରାମନାଥ ୧୦ ଆକବର ରୋଡରୁ ବାହାରି ରାଜଘାଟ ପହଂଚିବେ ଓ ସେଠାରେ ମହାତ୍ମାଗାନ୍ଧିଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିବେ । ପରେ ରାଷ୍ଟ୍ରପତି ଭବନ ଯିବେ । ସେଠାରେ ବିଦାୟୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହିତ ପ୍ରତିରକ୍ଷା, ଅର୍ଥ ଓ ବିଦେଶ ବ୍ୟାପାର ସଂକ୍ରାନ୍ତରେ ଆଲୋଚନା କରିବେ। ଏହାପରେ ବିଦାୟୀ ରାଷ୍ଟ୍ରପତି ଓ ନବ ନିର୍ବାଚିତ ରାଷ୍ଟ୍ରପତି ଗୋଟିଏ କାରରେ ଯାଇ ସଂସଦରେ ୧୨ଟା ୩ ମିନିଟରେ ପହଞ୍ଚିବେ ।

ସେଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ଲୋକସଭା ବାଚସ୍ପତି ଓ ଉପରାଷ୍ଟ୍ରପତି ସ୍ୱାଗତ କରିବେ । ଏହାପରେ ଶପଥ ଗ୍ରହଣ ସମାରୋହ ହେବ । ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଓ ରାଷ୍ଟ୍ରପତି ଭବନ ପରିଦର୍ଶନ ପରେ ରାମନାଥ କୋବିନ୍ଦ ପ୍ରଣବଙ୍କୁ ତାଙ୍କର ୧୦, ରାଜାଜୀ ମାର୍ଗ ସ୍ଥିତ ନୂତନ ସରକାରୀ ବାସଭବନକୁ ଛାଡ଼ିବା ପାଇଁ ଯିବେ । ଏହି ବାସଭବନରେ ରାଷ୍ଟ୍ରପତି ପଦରୁ ଅବସର ନେବାପରେ ଏପିଜେ ଅବଦୁଲ କଲାମ ରହୁଥିଲେ । ୨ ମହଲା ବିଶିଷ୍ଟ ଏହି ବାସଭବନକୁ ପ୍ରଣବଙ୍କ ରୁଚି ଅନୁଯାୟୀ ପ୍ରସ୍ତୁତ କରାଯାଇଛି ।