ବିଜେପୁର ବିଗୁଲ ବାଜିଲା ପୂର୍ବରୁ ଉଷୁମ ହେଉଛି ପାଣିପାଗ ! ଆଜି ପଦ୍ମ ଛାଡି ଶଂଖ ଧରିବେ ନାରାୟଣ ସାହୁ

48

କନକ ବ୍ୟୁରୋ: ବିଜେପୁର ବିଗୁଲ ବାଜିବା ପୂର୍ବରୁ ଉଷ୍ମ ହେଉଛି ରାଜନୈତିକ ପାଣିପାଗ । ଜୋରଧରୁଛି ଯୋଡ଼ତୋଡ଼ ରାଜନୀତି । ବିଜେଡି ପାଇଁ ଚିନ୍ତା ବଢ଼ାଇ ଦେଇଛିି ବିଜେପୁର ବ୍ଲକ ସଭାପତିଙ୍କ ଇସ୍ତଫା । ବିଜେପୁର ବ୍ଲକ ସଭାପତି ରାଧେଶ୍ୟାମ ସାହୁ ପଦରୁ ଇସ୍ତଫା ଦେଇ କହିଛନ୍ତି, କଂଗ୍ରେସର ଠିକାଦାର ଓ କର୍ମୀ ବିଜେଡିରେ ଗୁରୁତ୍ୱ ପାଉଛନ୍ତି । ମୁଳ ବିଜେଡି କର୍ମୀ ମାନସମ୍ମାନ ହରାଉଛନ୍ତି । ବିନା ଆଲୋଚନାରେ ରୀତା ସାହୁଙ୍କୁ ଦଳରେ ମିଶାଇ ପ୍ରାର୍ଥୀ କରିଦିଆଗଲା ।

ଆଜି ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହେଉଛନ୍ତି ଜିଲ୍ଲା ବିଜେପି ପଦରୁ ଇସ୍ତଫା ଦେଇଥିବା ନାରାୟଣ ସାହୁ । ବିଜେପୁର ଉପ ନିର୍ବାଚନ ପୂର୍ବରୁ ଦଳବଦଳ ଜୋରଧରିଛି । ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନରଙ୍କୁ, ରାଜ୍ୟ ନିର୍ବାଚନ ଅଧିକାରୀ ଭେଟି ଆଲୋଚନା କରିଛନ୍ତି । ଅନୁମାନ କରାଯାଉଛି, ଖୁବଶୀଘ୍ର ବିଜେପୁର ପାଇଁ ନିର୍ବାଚନ ତାରିଖ ଘୋଷଣା ହେବ ।

ଅନ୍ୟପଟେ, ବିଜେପୁରରେ ସମୀକରଣ ନେଇ ଅଙ୍କକଷା ଚାଲିଥିବା ବେଳେ, ରାଜଧାନୀରେ ବିକାଶକୁ ମୁଦ୍ଦା କରି ବିଜେପି ଉଠାଇଛି ପ୍ରଶ୍ନ । ବିଧାନସଭାରେ ଉପସ୍ଥାପିତ ହୋଇଥିବା ଅତିରିକ୍ତ ବଜେଟକୁ ଆୟୁଧ କରି ଦଳ ପ୍ରଶ୍ନ କରିଛି, ନିକଟରେ ବିଜେପୁର ପାଇଁ ଘୋଷଣା କରାଯାଇଥିବା ନୁଆ ଯୋଜନା ପାଇଁ କାହିଁକି ଅର୍ଥବ୍ୟୟର ବ୍ୟବସ୍ଥା କରାଗଲାନି । ବିଜେଡି କହିଛି, ନବୀନ ଯୋଜନା କାର୍ୟ୍ୟକାରୀ ପାଇଁ ବଦ୍ଧପରିକର । ନବୀନ ଯେଉଁ କଥା କହିଛନ୍ତି ତାହା ନିଶ୍ଚୟ ହେବ । ଏହାସହ ବିଜେପିକୁ ଜୁମଲା ପାର୍ଟି କହିଛି ବିଜେଡି । ବିଜେପି ଯାହା କୁହେ ତାହା କରେ ନାହିଁ ଏକଥା ପୂରା ଦେଶବାସୀ ଜାଣି ସାରିଲେଣି । ଆଉ ଏହାରି ଭିତରେ ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନରଙ୍କୁ, ରାଜ୍ୟ ନିର୍ବାଚନ ଅଧିକାରୀ ଭେଟି ଆଲୋଚନା କରିଛନ୍ତି । ଅନୁମାନ କରାଯାଉଛି, ଖୁବଶୀଘ୍ର ବିଜେପୁର ପାଇଁ ବିଗୁଲ ବାଜିପାରେ ।