ଆଜିଠୁ ଭୁବନେଶ୍ୱରରୁ-ବ୍ୟାଙ୍କକକୁ ଉଠିବ ବିମାନ ! ବ୍ୟାଙ୍କକରୁ ପହଂଚିଲା ଏୟାରଇଣ୍ଡିଆ ବିମାନ

46

କନକ ବ୍ୟୁରୋ: ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନସେବା । ଆଜି ସିଧା ଭୁବନେଶ୍ୱରରୁ ବ୍ୟାଙ୍କକକୁ ଉଡିବ ବିମାନ । ଏଥିପାଇଁ ବ୍ୟାଙ୍କକରୁ ଆସି ପହଂଚିଛି ଏୟାର ଇଣ୍ଡିଆର ବିମାନ । ଭୁବନେଶ୍ୱରରୁ ଏହା ହେବ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନସେବା । ପ୍ରତି ସପ୍ତାହରେ ଏହା ଦୁଇଥର ଯାତାୟତ କରିବ । ପ୍ରତିସପ୍ତାହ ଗୁରୁବାର ଓ ରବିବାର ଦିନ ଭୁବନେଶ୍ୱରରୁ ବିମାନ ଛାଡିବ ।

ଆଜି ଦିନ ୩ଟା ୪୫ରେ ଭୁବନେଶ୍ୱରରୁ ବ୍ୟାଙ୍କକକୁ ଉଡିବ ବିମାନ । ଏହାଦ୍ୱାରା ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ମିଳିବା ସହ ଦକ୍ଷିଣ-ପୂର୍ବ ଏସିଆର ଦେଶଗୁଡକର ସହ ସମ୍ପର୍କ ବୃଦ୍ଧିରେ ସହାୟକ ହେବ । ଭୁବନେଶ୍ୱରରୁ ପ୍ରଥମ ଅନ୍ତର୍ଜାତୀୟ ବିମାନ ସେବା ଏପ୍ରିଲ ୨୬ରେ ଆରମ୍ଭ ହୋଇଥିଲା । ଭୁବନେଶ୍ୱରରୁ କୁଆଲାଲମ୍ପୁରକୁ ଉଡିଥିଲା ବିମାନ ।

ଉଲ୍ଲେଖଯୋଗ୍ୟ ଯେ, ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ବ୍ୟାଙ୍କକ ବୁଲିବାକୁ ଯାଆନ୍ତି । ଥାଇଲାଣ୍ଡର ସବୁଠୁ ବିକଶିତ ସହର ହେଉଛି ବ୍ୟାଙ୍କକ । ଏଠାରେ ଐତିହାସିକ ସ୍ଥାପତ୍ୟ ମଧ୍ୟ ଦେଖିବାକୁ ମିଳେ । ଚାଓ ଫ୍ରାୟା ନଦୀ ତଟରେ ଥିବା ୱାଟ ଅରୁନ ମନ୍ଦିରର ଐତିହାସିକ କଳାକୃତି ବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଏହାସହ ମନ୍ଦିର ଭିତରେ ଥିବା ରଙ୍ଗ ବେରଙ୍ଗ କାଚର ସାଜ୍ଜସଜ୍ଜା ବେଶ ଆକର୍ଷଣୀୟ ।

ସେହିପରି ସହରରେ ଥିବା ଫ୍ଲୋଟିଂ ମାର୍କେଟର ମଜା ନିଅନ୍ତି ପର୍ଯ୍ୟଟକ । ନଦୀରେ ଥିବା ଡଙ୍ଗା ଗୁଡିକରେ ସତେଜ ପନିପରିବା ଓ ଫଳ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଦେଶୀ ଖାଦ୍ୟମିଳେ । ଯୁବପୀଢୀଙ୍କୁ ଆକୃଷ୍ଟ କରେ ଖାଓ ସାନ୍ ରୋଡ ଓ ସୋଇ କାଓ ବଏ । ବ୍ୟାଙ୍କକର ଆଉ ଏକ ଆକର୍ଷଣ ହେଲା ଗ୍ରାଣ୍ଡ ପ୍ୟାଲେସ । ୧୭୮୨ରେ ଥାଇଲାଣ୍ଡ ରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିଲା ଏହି ପ୍ୟାଲେସ । ଏହି ରାଜପ୍ରାସାଦରେ ବୌଦ୍ଧ କୀର୍ତିମାନର ଝଲକ ଦେଖିବାକୁ ମିଳେ । ବ୍ୟାଙ୍କକର ଚାଟୁଚକ୍ ୱିକେଣ୍ଡ ମାର୍କେଟକୁ ମଧ୍ୟ ପର୍ଯ୍ୟଟକଙ୍କ ସୁଅ ଛୁଟେ । ଏଠାରେ ଘରକରଣାଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ସହଜରେ ଉପଲବ୍ଧ ହୁଏ ।