ଅଯୋଧ୍ୟା ରାମ ଜନ୍ମଭୂମି ମାମଲାରେ ମଧ୍ୟସ୍ଥିଙ୍କ ରିପୋର୍ଟ ନେଇ ଆଜି ହେବ ଶୁଣାଣି । ଆଗକୁ ମଧ୍ୟସ୍ଥି ରହିବେ କି ନାହିଁ ନିଷ୍ପତି ନେବେ ୫ଜଣିଆ ସାମ୍ବିଧାନିକ ବେଂଚ

84
କନକ ବ୍ୟୁରୋ : ଅଯୋଧ୍ୟା ରାମଜନ୍ମ ଭୂମି ବିବାଦ ମାମଲାରେ ପ୍ରତିଦିନ ଶୁଣାଣି ହେବ କି ମଧ୍ୟସ୍ଥିଙ୍କୁ ଆଉ କିଛି ସମୟ ଦିଆଯିବ ସେ ନେଇ ଆଜି ନିଷ୍ପତି ନେବେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ପାଂଚ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ମଧ୍ୟସ୍ଥି ପ୍ୟାନେଲ ବନ୍ଦ୍ ଲଫାପାରେ କୋର୍ଟରେ ଦାଖଲ କରିଥିବା ଷ୍ଟାଟସ ରିପୋର୍ଟ ଉପରେ ତର୍ଜମା କରିବା ସହ ଚୂଡାନ୍ତ ନିଷ୍ପତି ନେବେ କୋର୍ଟ । ମଧ୍ୟସ୍ଥିମାନେ ସମାଧାନ ପାଇଁ ଆଗକୁ ଆଉ କାର୍ଯ୍ୟ କରିବେ କି ନାହିଁ  ସେ ନେଇ ମଧ୍ୟ ଆଜି ନିଷ୍ପତି ହେବ । ରାମଜନ୍ମ ଭୂମିକୁ ନେଇ ୧୯୯୨ ମସିହାରୁ ଲାଗି ଆସିଥିବା ବିବାଦକୁ ମଧ୍ୟସ୍ଥିଙ୍କ ସହାୟତାରେ ସମାଧାନ କରିବା ପାଇଁ କିଛି ମାସ ତଳେ ୩ଜଣିଆ ମଧ୍ୟସ୍ଥି ପ୍ୟାନେଲ ନିଯୁକ୍ତ କରିଥିଲେ ଖଣ୍ଡପୀଠ ।
image courtesy – newsmobile.in

ତେବେ ଏହି ମଧ୍ୟସ୍ଥତାକୁ ପ୍ରଥମରୁ ହିଁ ବିରୋଧ କରି ଆସୁଛନ୍ତି ହିନ୍ଦୁ ପକ୍ଷ ଓ ଉତରପ୍ରଦେଶ ସରକାର । କିନ୍ତୁ ଏହାକୁ ସମର୍ଥନ କରୁଛି ମୁସଲିମ ପକ୍ଷ । ବିବାଦୀୟ ସ୍ଥଳିରେ ଥିବା ୨୨ ଦଶମିକ ୭ଏକର ଜମିକୁ ତିନି ପକ୍ଷଙ୍କ ମଧ୍ୟରେ ସମାନ ଭାବରେ ବାଂଟି ଦେବାକୁ ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ରାୟ ଦେବା ପରେ ଏହା ବିରୋଧରେ ସୁପ୍ରିମକୋର୍ଟରେ ୧୪ଟି ଆବେଦନ ହୋଇଛି । ୧୯୯୨, ଡିସେମ୍ବର ୬ରେ କେତେକ ହିନ୍ଦୁ ସଂଗଠନ ବାବରୀ ମସଜିଦ୍ ଭାଙ୍ଗିବା ପରେ ସେହି ସ୍ଥାନରେ ରାମ ମନ୍ଦିର ନିର୍ମାଣ ପାଇଁ ଦାବି କରି ଆସୁଛନ୍ତି ।