ଶୁଣିଲାନି ପ୍ରଶାସନ ! ରାସ୍ତା ପାଇଁ ବର୍ଷ ବର୍ଷ ଧରି ହଇରାଣ ହେବା ପରେ ନିଜ ପାଇଁ ନିଜେ ରାସ୍ତା ତିଆରି କଲେ ଗାଁ ଲୋକେ ।

214

କନକ ବ୍ୟୁରୋ : ରାସ୍ତା ଖଣ୍ଡିଏ ପାଇଁ ଗୁହାରି କରି କରି ଥକି ଯାଇଥିଲେ ଗାଁ ଲୋକେ । ଶେଷରେ ପ୍ରଶାସନ ଉପରୁ ତୁଟିଗଲା ଭରସା । ରାସ୍ତା ପାଇଁ ବର୍ଷା ଦିନେ ହସ୍ତସନ୍ତ ହେବା ପରେ ଏକାଠି ହେଲେ ଗାଁ ଲୋକ । ଆଉ ହାତକୁ ହାତ ମିଳାଇ ମରାମତି କରିଦେଇଛନ୍ତି ଦେଢ କିଲୋମିଟର ରାସ୍ତା । ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ବ୍ଲକର ଏହି ଚିତ୍ର ସରକାରଙ୍କ ସମସ୍ତ ଯୋଜନାକୁ ଯେମିତି ଉପହାସ କରୁଛି ।

ଅଭିଯୋଗ କରି ନିରାସ ହେଲେ, ନିଜ ଗାଁ ପାଇଁ ନିଜେ ରାସ୍ତା କଲେ । ଦେଢ କିଲୋମିଟର ରାସ୍ତା ପାଇଁ ପ୍ରାୟ ଦେଢ ହଜାର ଥର ଅଭିଯୋଗ କରିଛନ୍ତି ଗାଁଲୋକେ । ହେଲେ ପ୍ରଶାସନ କି ନେତା କେହି ବୁଝିନାହାନ୍ତି ଗ୍ରାମବାସୀଙ୍କ ଦୁଃଖ । ଏକଥା ଆମେ କହୁନୁ, କହୁଛି ଗ୍ରାମବାସୀଙ୍କ ଏହି କାମ । ଉମରକୋଟ ବ୍ଲକ ସେମଲଧାରା ଗାଁର ୫୦ରୁ ଅଧିକ ଲୋକ ଏକାଠି ହୋଇ ନିଜ ଗାଁକୁ ରାସ୍ତା ତିଆରି କରିଛନ୍ତି । ଆଉ ପ୍ରଶ୍ନ କରିଛନ୍ତି,

ସରକାର କରୁଥିବା ତମାମ୍ ଯୋଜନା କ’ଣ ଉପାନ୍ତ ଅଂଚଳ ପାଇଁ ନୁହେଁ ?
କାହିଁକି ଉପାନ୍ତ ଅଂଚଳରେ ପହଂଚି ପାରୁନାହିଁ ସରକାରୀ ଯୋଜନା ?

ଗାଁକୁ ରାସ୍ତାଟିଏ ନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେମଲଧାରା ଗ୍ରାମବାସୀ । ସବୁଠାରୁ ବେଶି କଷ୍ଟ ହୁଏ, ଯେତେବେଳେ ରାସ୍ତା ପାଇଁ ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଦର କମିଯାଏ । ଗାଁକୁ ସଂଯୋଗ କରୁଥିବା ରାସ୍ତା ନଥିବାରୁ ବଜାର ଦରଠାରୁ କମ୍ ମୂଲ୍ୟ ଦେଇ ସେମଲଧାରା ଗାଁର ଚାଷୀଙ୍କ ଧାନ ଓ ମକା କିଣି ନେଇଥାନ୍ତି ବ୍ୟବସାୟୀ । ତେବେ ସେପଟେ ଗ୍ରାମବାସୀଙ୍କ ଅଭିଯୋଗ ସଂପର୍କରେ ପ୍ରଶାସନର ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିଥିଲେ ସୁଦ୍ଧା ସମ୍ଭବ ହୋଇ ପାରିନାହିଁ ।