ରେଳଯାତ୍ରୀ ସାବଧାନ! ଜୋରଦାର ହେଲା ରେଳବିଭାଗର ଟିକେଟ ଚେକିଂ ଅଭିଯାନ, ଜାଣି ରଖନ୍ତୁ ରେଲୱେର ନିୟମ

45

ଭାରତୀୟ ରେଳ ବିଭାଗ ଲଗାତାର ରେଳଯାତ୍ରାକୁ ନେଇ ଥିବା ନିୟମରେ ଅନେକ ପରିବର୍ତ୍ତନ ଆଣୁଛି । ଏପରିକି କିଛି ଦିନ ପୂର୍ବେ ସରକାର ଟ୍ରେନରେ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଜିନିଷ ନେଲେ ଯାତ୍ରୀଙ୍କୁ ଜରିମାନା ଦେବାକୁ ପଡ଼ିବ ବୋଲି ନିୟମ କରିଛନ୍ତି । ଏବେ କିନ୍ତୁ ଟ୍ରେନରେ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ସରକାରଙ୍କ ନଜର ପଡ଼ିଛି । ଆଉ ଏହାକୁ ରୋକିବାକୁ ସରକାର ଏକ ନୂଆ ଅଭିଯାନ ଟିକେଟ ଡ଼୍ରାଇଭ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଅଭିଯାନରେ ୪ ପ୍ରକାର ଠକେଇ ମାମଲାକୁ ସାମ୍ନାକୁ ଆଣିବାକୁ ଲକ୍ଷ୍ୟ ରଖିଛି ରେଳବିଭାଗ । ତେଣୁ ରେଳବିଭାଗର କିଛି ନୂଆ ନିୟମ ବିଷୟରେ ଧ୍ୟାନ ରଖନ୍ତୁ ନଚେତ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିବ ।

ଯେଉଁ ଲୋକ ଅବୈଧ ଭାବେ ଟ୍ରେନରେ ଯାତ୍ରା କରୁଥାନ୍ତି କିମ୍ବା ନକଲି ଟିକେଟ ଆଧାରରେ ଯାତ୍ରା କରୁଥାନ୍ତି ସେମାନଙ୍କୁ ସାବାଡ଼ କରିବା ପାଇଁ ରେଲୱେ ଏହି ନୂଆ ଅଭିଯାନ ଆରମ୍ଭ କରିଛି । ଖାସକରି ଯେଉଁମାନେ ନିୟମ ବିରୁଦ୍ଧରେ ଟିକେଟ ଅନ୍ୟମାନଙ୍କୁ ଟ୍ରାନ୍ସଫର କରୁଛନ୍ତି ସେମାନେ ରେଲୱେର ରାଡ଼ାରରେ ରହିବେ । ତେଣୁ ରେଲୱେର ଏହି ନୂଆ ନିୟମରେ ଯେପରି ଆପଣ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ରେଳଯାତ୍ରା କରିବା ବେଳେ ପାଖରେ ଅସଲି ଆଇଡ଼ି କାର୍ଡ଼ ରଖନ୍ତୁ । ଏହାଛଡ଼ା ଟିକେଟ କରିବା ବେଳେ ବିଭିନ୍ନ ନିୟମ ବିଷୟରେ ପଚାରି ବୁଝନ୍ତୁ । ସବୁଠୁ ବଡ଼ କଥା ହେଲା, ଟିକେଟ କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ଠାରୁ ଟିକେଟ ଆଣି ଆଦୌ ରେଳଯାତ୍ରା କରନ୍ତୁ ନାହିଁ ।