ଡରାଉଛି କାଳବୈଶାଖୀ : ୨୬ ଟି ଜିଲ୍ଲାରେ ଝଡତୋଫାନ ଚେତାବନୀ । ଭୁବନେଶ୍ୱର ସମ୍ବଲପୁର, ଅନୁଗୁଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

62

କନକ ବ୍ୟୁରୋ: ଡରାଉଛି କାଳବୈଶାଖୀ । ୨୬ ଜିଲ୍ଲାରେ ଝଡତୋଫାନ ସହ କୁଆପଥର ବର୍ଷା ନେଇ ସତର୍କ ରହିବାକୁ ଚେତାବନୀ ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହି ସମୟରେ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ନୂଆପଡା, ବରଗଡ, ସୋନପୁର, ସୁନ୍ଦରଗଡ, ଝାରସୁଗୁଡା, ଦେଓଗଡ, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ବାଲେଶ୍ୱରରେ ସତର୍କତା ଜାରି କରାଯାଇଛି । ଏହାସହ ଭଦ୍ରକ,ଯାଜପୁର, କେନ୍ଦ୍ରାପଡା , କଟକ ଓ ଜଗତସିଂପୁର ଜିଲ୍ଲାରେ ମଧ୍ୟ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର ।

ଆଜି ସକାଳେ ସାଢ଼େ ୧୧ଟାରୁ ଦିନ ସାଢ଼େ ୧ଟା ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଛି। ଫଳରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ଯାଇଛି। ବର୍ଷା ଯୋଗୁଁ ରାଜରାସ୍ତାରେ ପାଣି ଜମି ରହିଛି। ସେହିପରି କାଳବୈଶାଖୀ ପ୍ରଭାବରେ ଅନୁଗୁଳରେ ପ୍ରବଳ ବର୍ଷା ହୋଇଛି । ବର୍ଷା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ମଧ୍ୟ ବହୁଛି । ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସେହିପରି ସୋନପୁରରେ ପ୍ରବଳ ଧୂଳିଝଡ ହୋଇଛି । ଧୂଳିଝଡ ଯୋଗୁଁ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ଏପଟେ କେନ୍ଦୁଝର ଓ ଯାଜପୁରରେ ଆକାଶ ମେଘୁଆ ରହିଛି । ଫଳରେ ଲୋକମାନଙ୍କୁ କାଳବୈଶାଖୀ ଡରାଉଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି କାଳବୈଶାଖୀର ତାଣ୍ଡବ । ସମ୍ବଲପୁର, ପିପିଲି ବାଙ୍କିରେ ଓ ଅସ୍ତରଙ୍ଗରେ କାଳ ବୈଶାଖୀର ପ୍ରଭାବ । ସମ୍ବଲପୁରରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବା ସହ ପବନ ହୋଇଛି । ବର୍ଷା ଯୋଗୁ ଜନଜୀବନ ଠପ୍ ହୋଇଯାଇଛି । ସାଧାରଣରେ ଘରୁ ବାହାରିବା କଷ୍ଟପର ହୋଇପଡିଛି । ରାସ୍ତା ଘାଟରେ ପାଣି ଜମି ରହି ଥିବାରୁ ଲୋକଙ୍କ ଯାତାୟତରେ ବାଧା ସୃଷ୍ଟି ହୋଇଛି । ସେହିପରି ପିପିଲି ଓ ବାଙ୍କିରେ ବର୍ଷା ହୋଇଛି । ସେପଟେ ଅସ୍ତରଙ୍ଗରେ ୫୦ରୁ ୬୦ କିଲୋମିଟରରୁ ଅଧିକ ବେଗରେ ଝଡତୋଫାନ ହୋଇଛି ।

ସେପଟେ, ଦେଶର ବିଭିନ୍ନ ସ୍ଥାନରେ ଝଡ଼ ତୋଫାନର ତାଣ୍ଡବ ଯୋଗୁଁ ୬୮ ଜଣ ପ୍ରାଣ ହରାଇଛନ୍ତି । ଝଡତୋଫାନ ଯୋହୁଁ ଏହି ଅଂଚଳରେ ଅନେକ କ୍ଷୟକ୍ଷତି ହୋଇଛି । ଝଡ଼ ତୋଫାନରେ କେବଳ ଉତର ପ୍ରଦେଶରେ ୩୮ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ୮ ଜଣ ପର୍ଯ୍ୟଟକ । ସେହିପରି ପଶ୍ଚିମ ବଙ୍ଗରେ ୧୨ଜଣ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ୯ଜଣ ଏବଂ ଦିଲ୍ଲୀରେ ୨ଜଣଙ୍କର ମୃତ୍ୟୁ ଘଟିଛି ।

ଝଡ଼ ତୋଫାନ ପାଇଁ ୨ ଶହରୁ ଅଧିକ ଲୋକ ଆହତ ହୋଇଥିବା ମଧ୍ୟ ଆକଳନ କରାଯାଇଛି । ୟୁପିର କାଶଗଂଜ, କେନୌଜ,ଆଲିଗଡ଼, ଗାଜିଆବାଦ,ନୋଏଡ଼ା ଏବଂ ବୁଲନ୍ଦ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଯୁଦ୍ଧକାଳୀନ ଭିତିରେ କ୍ଷତିଗ୍ରସ୍ତ ଅଂଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଝଡ଼ତୋଫାନ ପାଇଁ ୟୁପିରେ ବିଦ୍ୟୁତ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଉତରାଖଣ୍ଡରେ ବର୍ଷା ବିତ୍ପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଦିଲ୍ଲୀ ଏନ୍ସିଆର ଅଂଚଳରେ ମଧ୍ୟ ଝଡ଼ତୋଫାନ ଯୋଗୁଁ ଗଛ ଭାଙ୍ଗି ପଡ଼ିବାରୁ ରାସ୍ତା ଅବରୋଧ ହୋଇଛି ।