ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ । ସୌମ୍ୟରଂଜନ, ପ୍ରଶାନ୍ତ ଏବଂ ଅଚ୍ୟୁତଙ୍କ ନାଁ ଘୋଷଣା କରିଛନ୍ତି ନବୀନ

38

କନକ ବ୍ୟୁରୋ: ରାଜ୍ୟସଭା ରେସ୍ ଉପରୁ ପରଦା ହଟିଛି । ରାଜ୍ୟରୁ ଖାଲି ପଡୁଥିବା ତିନୋଟି ଯାକ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଶାନ୍ତ ନନ୍ଦ, ସୈାମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବା ନେଇ ଘୋଷଣା କରିଛନ୍ତି ନବୀନ । ଗତକାଲି ଅପରାହ୍ନରେ ନବୀନ ନିବାସରେ ଏହି ଘୋଷଣା କରାଯାଇଛି । ସକାଳୁ ସକାଳୁ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେତେବେଳେ ଆମ ଓଡିଶା ପାର୍ଟି ଅଧ୍ୟକ୍ଷ ସୈାମ୍ୟରଂଜନ ପଟ୍ଟନାୟକ, କିଟ୍ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଏହାକୁ ନେଇ ପର୍ଯ୍ୟାଲୋଚନା ଭିତରେ ଅପରାହ୍ନରେ ନବୀନ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରି ମାରିଛନ୍ତି ମାଷ୍ଟରଷ୍ଟ୍ରୋକ ।

୨୦୧୯ ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି ଗୋଟିଚାଳନା ବେଶ ଗୁରୁତ୍ୱ ରଖୁଛି । ବିଜେଡି ଦଳରୁ ରାଜ୍ୟସଭାକୁ ଯାଇଥିବା ଦିଲ୍ଲୀପ ତିର୍କି, ଅନଙ୍ଗ ଉଦୟ ସିଂଦେଓ ଏବଂ ସ୍ୱାଧୀନ ସଦସ୍ୟ ଏ.ଭି ସ୍ୱାମୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ନବୀନ ଏମାନଙ୍କ ମଧ୍ୟରୁ କାହାକୁ ପୁଣି ସୁଯୋଗ ନଦେଇ ନିର୍ବାଚନକୁ ଆଖି ଆଗରେ ରଖି ଗୋଟିଚାଳନା କରିଥିବା କୁହାଯାଉଛି । ମାର୍ଚ୍ଚ ୨୩ରେ ହେବ ରାଜ୍ୟସଭା ନିର୍ବାଚନ । ଏହି ନିର୍ବାଚନ ପାଇଁ ମାର୍ଚ୍ଚ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୧୨ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ, ୧୩ ତାରିଖରେ ପ୍ରାର୍ଥୀପତ୍ର ଯାଂଚ ଏବଂ ୧୫ତାରିଖ ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି । ଏପ୍ରିଲ ୩ ତାରିଖରେ ଓଡିଶାର ତିନି ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେବେ ଆସନ୍ତା କାଲି ଏହି ତିନି ଜଣ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ଏବେ ବିଜେଡିର ୧୧୮ ଜଣ ବିଧାୟକ ଅଛନ୍ତି। ୧୬ ଜଣ କଂଗ୍ରେସ ଦଳକୁ ପ୍ରତିନିଧିତ୍ଵ କରୁଛନ୍ତି । ବିଜେପିର ୧୦ ଜଣ ବିଧାୟକ ଥିବା ବେଳେ ସିପିଆଇ ଓ ସମତା କ୍ରାନ୍ତିର ଜଣେ ଲେଖାଏଁ ଏବଂ ବାକି ୨ ଜଣ ସ୍ୱାଧୀନ ବିଧାୟକ । ଏମାନଙ୍କ ମଧ୍ୟରୁ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଉପରୁ ବିଜେଡି ନିଲମ୍ବନ ଉଠାଇସାରିଲାଣି । ସେ ଏବେ ବିଜେଡି ସହିତ ଅଛନ୍ତି। ଏଣୁ ବିରୋଧୀ ପ୍ରାର୍ଥୀ ଦେଇ ଜିତାଇବା ସମ୍ଭାବନା ନାହିଁ । ଅଙ୍କ ଅନୁସାରେ, ଜଣେ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତିବା ଲାଗି ପ୍ରଥମ ପସନ୍ଦର ୩୭ଟି ଭୋଟ ବା ୩୭ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଛି । ଯେହେତୁ ବିଜେଡିର ୧୧୮ଜଣ ସଭ୍ୟ ଅଛନ୍ତି, ଏଣୁ ଦଳ ଅତି ସହଜରେ ୩ଜଣ ସଭ୍ୟଙ୍କୁ ପ୍ରଥମ ପସନ୍ଦ ଭୋଟରେ ଜିତାଇ ପାରିବ। ଏଭଳି ପରିସ୍ଥିତିରେ ନିର୍ବାଚନ ସ୍ଥିତି ଉପୁଜିନପାରେ।