ରାଜନୀତି ଗରମ, ପ୍ରଚାର ବି ଗରମ । ପ୍ରଚଣ୍ଡ ତାତିରେ ଘମାଘୋଟ୍ ପ୍ରଚାର କରୁଛନ୍ତି ପ୍ରାର୍ଥୀ, ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ ।

120

କନକ ବ୍ୟୁରୋ: ପ୍ରଚାର ମୈଦାନରେ ପ୍ରମୁଖ ଦଳର ପ୍ରାର୍ଥୀ । ଭୋଟରଙ୍କୁ ମନେଇବା ପାଇଁ ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ । ତେବେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ହେବାକୁଥିବା ନିର୍ବାଚନ ପାଇଁ ସ୍ଥାନୀୟ ଅଞ୍ଚଳରେ ବଳ କଷୁଛନ୍ତି ପ୍ରାର୍ଥୀ । ଶେଷ ସୁଯୋଗକୁ ହାତ ଛଡ଼ା ନକରି ଘରକୁ ଘର ବୁଲି ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ପ୍ରମୁଖ ଦଳର ପ୍ରାର୍ଥୀ । ଏପରିକି ଖରାତରାକୁ ଖାତିର ନକରି ଭୋଟ୍ ମତଦାତାଙ୍କୁ ମନେଇବା ପାଇଁ ଶେଷ ବାଜି ଖେଳୁଛନ୍ତି ପ୍ରାର୍ଥୀ ।

ଆଜି ସରିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର । ସନ୍ଧ୍ୟା ୫ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର କାର୍ଯ୍ୟ ଶେଷ କରିବେ । ତେଣୁ ଭୁବନେଶ୍ୱର ଲୋକସଭା ଆସନ ପାଇଁ ମଧ୍ୟ ବିଜେଡି, ବିଜେପିଙ୍କ ପ୍ରଚାର ଜୋରଦାର ଚାଲିଛି । କାରଣ ଚଳିତ ଥର ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହୋଇଛନ୍ତି ଆଇଏଏସ ଓ ଆଇପିଏସ । ବିଜେପିରୁ ଆଇଏଏସ ଅପରାଜିତା ଷଡଙ୍ଗୀ ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ଲଢୁଛନ୍ତି ଅରୂପ ପଟ୍ଟନାୟକ । ସିପିଏମ- କଂଗ୍ରେସ ମେଂଟରୁ ପ୍ରାର୍ଥୀ ହୋଇଛନ୍ତି ଜନାର୍ଦନ ପତି । ବିଜେପି ପ୍ରାର୍ଥୀଅପରାଜିତା ଷଡଙ୍ଗୀ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ।

ସେପଟେ କେନ୍ଦୁଝର ସଂସଦୀୟ କ୍ଷେତ୍ର ପାଇଁ ମଧ୍ୟ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ମଧ୍ୟ ପ୍ରଚାର ଅଭିଯାନକୁ ମାରାଥନ କରିଛନ୍ତି । ଚମ୍ପୁଆ ନିର୍ବାଚନମଣ୍ଡଳୀରେ ସନାତନ ମହାକୁଡ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ନିଜ ସମର୍ଥିତ ବିଧାୟିକା ପ୍ରାର୍ଥୀ ମୀନାକ୍ଷୀ ମହାନ୍ତି ଓ ସାଂସଦ ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁପାଇଁ ପ୍ରଚାର କାର୍ଯ୍ୟକ୍ରମକୁ ଘମାସାନ କରୁଛନ୍ତି । ଜିଲ୍ଲାରେ ସମସ୍ତ ୭ଟି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଜିତିବେ ବୋଲି ସନାତନ ଦମ୍ଭୋକ୍ତି ବାଢ଼ିଛନ୍ତି ।

ଶେଷ ଦିନ ଥିବାରୁ ସମସ୍ତ ପ୍ରାର୍ଥୀ ଆଜି ମାରାଥନ ପ୍ରଚାର କରିବେ । ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ଭୁବନେଶ୍ୱର , ପୁରୀ, କଟକ, ସମ୍ବଲପୁର, ଢ଼େଙ୍କାନାଳ ଓ କେନ୍ଦୁଝର ଲୋକସଭା କ୍ଷେତ୍ର ପାଇଁ ଭୋଟ୍ ଗ୍ରହଣ ହେବ । ସେହିପରି ଏହି ଲୋକସଭା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟର ମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ସେହିପରି ଆସନ୍ତା ୨୯ ତାରିଖ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜଗତସିଂହପୁରରେ ପ୍ରାର୍ଥୀମାନେ ପ୍ରଚାର କରୁଛନ୍ତି । ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ରୋଡ ଶୋ’ କରିଛନ୍ତି । ଏହି ଶୋଭାଯାତ୍ରା ପ୍ରାୟ ୩୦ କିଲୋମିଟର ପର୍ଯ୍ୟନ୍ତ ଯାଇ ବିରିଡିରେ ପହଂଚିଥିଲା । ଜଗତସିଂହପୁରରେ ବିଜେପିରୁ ବିଭୁ ତରାଇ ଛିଡା ହୋଇଥିବାବେଳେ କଂଗ୍ରେସ ପ୍ରତିମା ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି ।

ଯାଜପୁର ଜିଲ୍ଲାରେ ଆସନ୍ତା ୨୯ ତାରିଖରେ ଭୋଟ ଗ୍ରହଣ କରାଯିବ । ନିର୍ବାଚନ ପାଖେଇ ଆସିଥିବା ବେଳେ ପ୍ରଚାର ସରଗରମ ଦେଖିବାକୁ ମିଳିଛି । କଂଗ୍ରେସର ଯାଜପୁର ସାଂସଦ ପ୍ରାର୍ଥୀ ମାନସ ଜେନା ସମର୍ଥକଙ୍କ ସହ କୋରେଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରେ ପ୍ରଚାର କରିଛନ୍ତି । ଡୋର ଟୁ ଡୋର ଯାଇ ସମର୍ଥନ ମାଗୁଛନ୍ତି ମାନସ । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।