ବାଲେଶ୍ୱରରେ ଜମୁଛି ନିର୍ବାଚନୀ ପ୍ରଚାର । ଭୋଟ୍ ହାତେଇବାକୁ ଲୋଭ ଦେଖାଇଲା ବିଜେପି। ରାଜ୍ୟ ପ୍ରଭାରୀ କହିଲେ, ଦଳ କ୍ଷମତାକୁ ଆସିଲେ ବନ୍ଦ ହେବନି କୌଣସି ବି ଯୋଜନା
କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଅଭିଯାନ ଶେଷ ହେଉଥିବା ବେଳେ ଭୋଟରଙ୍କ ମନ ଜିଣିବାକୁ ବାଲେଶ୍ୱରରେ ବିଜେପି ଚଳାଇଛି ଜୋରଦାର କସରତ । ତେବେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ବାଲେଶ୍ୱରରେ ଅନୁଷ୍ଠିତ ହେବ ନିର୍ବାଚନ । ବିଜେଡିରୁ ବର୍ତ୍ତମାନର ସାଂସଦ ରବୀନ୍ଦ୍ର କୁମାର ଜେନା, କଂଗ୍ରେସରୁ ଯୁବନେତା ନବଜ୍ୟୋତି ପଟ୍ଟନାୟକ ଏବଂ ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ ଭାବେ ନିର୍ବାଚନ କୁରୁକ୍ଷେତ୍ରରେ ଓହ୍ଲାଇଛି ବିଜେପି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ବାଲେଶ୍ୱରର ନିର୍ବାଚନ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବାବେଳେ ପ୍ରାର୍ଥୀମାନେ ଡୋର ଟୁ ଡୋର କ୍ୟାମ୍ପେନିଙ୍ଗ କରି ଭୋଟ ମାଗୁଛନ୍ତି । କଂଗ୍ରେସ ଏବଂ ବିଜେଡିର ଲୋକସଭା ପ୍ରାର୍ଥୀମାନେ ଭୋଟରଙ୍କ ଆସ୍ଥା ଜିତିବାକୁ ଜୀଜାନ ଲଗାଇ ଦେଇଥିବେ ବେଳେ ବିଜେପି ମଧ୍ୟ ପୁରା ଦମ୍ ଲଗାଇଦେଇଛି । ଆଉ ଜନତାଙ୍କୁ ବିଭିନ୍ନ ଲୋଭ ଦେଖାଇ ଭୋଟ୍ ହାତେଇବାକୁ ଚାଲ ଚଳାଇଛି ବିଜେପି । ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀଙ୍କ ପ୍ରଚାର ଅବସରରେ ଓଡିଶା ବିଜେପି ପ୍ରଭାରୀ ଅରୁଣ ସିଂ ମତଦାନାଙ୍କୁ ପ୍ରଲୋଭିତ କରିବାକୁ ପ୍ରୟାସ କରିଛନ୍ତି ।
ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ସମସ୍ତ ଯୋଜନା ପୂର୍ବଭଳି ଚାଲୁ ରହିବ ବୋଲି ଘୋଷଣା କରିଛନ୍ତି ଅରୁଣ ସିଂ । ସେ କହିଛନ୍ତି, ଏହି ଯୋଜନା ଜାରି ରଖାଯିବା ସହ ସେଥିପାଇଁ ଅଧିକ ଅର୍ଥ ଦିଆଯିବ । ଖାଲି ଏତିକି ନୁହେଁ କୃଷକଙ୍କୁ ବିନା ସୁଧରେ ଋଣ ମଧ୍ୟ ଦିଆଯିବ । ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସମସ୍ତ ଋଣଛାଡ କରାଯିବ ଆଉ ୭୦ ଲକ୍ଷ ମହିଳାଙ୍କୁ ସ୍ମାର୍ଟଫୋନ ଦିଆଯିବା ସହ ଚାଷୀଙ୍କ ଉତ୍ପାଦିତ ଧାନକୁ ମୋବାଇଲ ଭ୍ୟାନ ମାଧ୍ୟମରେ ତାଙ୍କ ଘରୁ ସିଧାସଳଖ କିଣାଯିବ ବୋଲି ଲୋଭ ଦେଖାଇ ଭୋଟ୍ ହାତେଇବାକୁ ଗୋଟି ଚାଳନା କରିଛି ବିଜେପି ।