ପୁଣି ତୃତୀୟ ମୋର୍ଚ୍ଚା ନେଇ ଜୋର ଧରିଲା ଚର୍ଚ୍ଚା । ଅଣ-କଂଗ୍ରେସ ଓ ଅଣ-ବିଜେପି ଦଳର ନୂଆ ରଣନୀତି, ୨୩ ଫଳାଫଳ ଉପରେ ନଜର । 

1,995
କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ଭୋଟ ଶେଷ ହେବା ପରେ ପୁଣି ତୃତୀୟ ମୋର୍ଚ୍ଚା ଚର୍ଚ୍ଚା ଜୋର ଧରିଛି । ୫୪୩ ଲୋକସଭା ଆସନ ମଧ୍ୟରୁ ୪୨୫ ଆସନ ପାଇଁ ଭୋଟଗ୍ରହଣ ସରିଛି ଓ ଆଉ ୧୧୮ ଆସନ ପାଇଁ ଭୋଟିଂ ବାକି ରହିଛି । ଏହି ସମୟରେ ନିର୍ବାଚନ ଫଳାଫଳ ନେଇ ବିଭିନ୍ନ ରାଜନୈତିକ ଦଳ କସରତ ଆରମ୍ଭ କରିଦେଇଛନ୍ତି । କଂଗ୍ରେସ ଓ ବିଜେପି ଫଳାଫଳ ନେଇ ଆରୋପ ପ୍ରତ୍ୟାରୋପ ଜାରି ରଖିଥିବାବେଳେ ଅଣ-କଂଗ୍ରେସ ଅଣ ବିଜେପି ଦଳ ନୂଆ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି ।
ଆଉ ତୃତୀୟ ମେଂଟ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୁଖ୍ୟ ଚନ୍ଦ୍ରଶେଖର ରାଓ । ତ୍ରିଭେନ୍ଦ୍ରମରେ କେରଳ ମୁଖ୍ୟମନ୍ତ୍ରୀ ତଥା ବାମପନ୍ଥୀ ନେତା ପି.ବିଜୟନଙ୍କୁ ରାତ୍ରିଭୋଜନରେ ଭେଟିଛନ୍ତି ଚନ୍ଦ୍ରଶେଖର ରାଓ । ୧୧ ଏପ୍ରିଲରେ ଲୋକସଭା ଭୋଟ ଆରମ୍ଭ ହେବା ପରେ  କୌଣସି ନେତାଙ୍କ ସହ କେ.ଚନ୍ଦ୍ରଶେଖର ରାଓଙ୍କ ଏହା ହେଲା ପ୍ରଥମ ସାକ୍ଷାତ । ଏହା ପରେ ଚନ୍ଦ୍ରଶେଖର ରାଓ ଚେନ୍ନାଇ ଯାଇ ଡିଏମକେ ମୁଖ୍ୟ ଏମ. ଷ୍ଟାଲିନଙ୍କୁ ଭେଟିବେ । ୧୩ ତାରିଖରେ ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ହୋଇପାରେ ।
ତାମିଲନାଡୁରେ କଂଗ୍ରେସ ସହ ମେଂଟ କରି ଷ୍ଟାଲିନ ନିର୍ବାଚନ ଲଢୁଥିବାରୁ ଏହି ସାକ୍ଷାତକୁ ବେଶ ଗୁରୁତ୍ୱ ଦିଆଯାଉଛି । ଏହାଛଡା କଂଗ୍ରେସର ଆଉ ଏକ ସହଯୋଗୀ ଦଳ ଜେଡିଏସ ମଧ୍ୟ କେସିଆରଙ୍କ ସହ ସମ୍ପର୍କରେ ଥିବା ଜଣାଯାଇଛି ।  କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ୱାମୀ ସୋମବାରଦିନ କେ.ଚନ୍ଦ୍ରଶେଖର ରାଓ ସହ କଥାବାର୍ତା କରିଛନ୍ତି । ପୂର୍ବରୁ ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ କହିସାରିଛନ୍ତି, ଏଥର ନିର୍ବାଚନରେ ଅଣ-କଂଗ୍ରେସ ଓ ଅଣ-ବିଜେପି ଦଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ । ଏଭଳି ସ୍ଥିତିରେ ସମସ୍ତଙ୍କ ଅପେକ୍ଷା ୨୩ ତାରିଖର ନିର୍ବାଚନ ଫଳାଫଳ ଉପରେ ରହିଛି ।