କନକ ବ୍ୟୁରୋ : ସାଇକ୍ଲୋନ୍ ପରେ ସତ୍ୟବାଦୀର ଚିତ୍ର । ଯେଉଁ ହଜାର ହଜାର ନଡିଆ ଗଛ ସତ୍ୟବାଦୀର ସୌନ୍ଦର୍ଯ୍ୟ ବଢାଉଥିଲା, ସେହି ନଡିଆ ଗଛ ସବୁ ଏବେ ମାଟିରେ ଶୋଇପଡିଛି । ଫୋନିର ପ୍ରବଳ ଶକ୍ତିକୁ ମୁକାବିଲା କରିନପାରି ଅସହାୟ ହୋଇ ଏବେ ମାଟି କାମୁଡି ପଡିଛି । କେବଳ ସତ୍ୟବାଦୀ ନୁହେଁ ପିପିଲି, କଣାସ, ବ୍ରହ୍ମଗିରି ବ୍ଲକରେ ମଧ୍ୟ ଆକାଶ ସହ କଥା ହେଉଥିବା ଲମ୍ବା ଲମ୍ବା ନଡିଆ ଗଛ ଏବେ ମାଟିରେ ଶୋଇଛି ।
ପ୍ରଳୟ ପରେ ବଦଳି ଯାଇଛି ପୁରୀ ଜିଲ୍ଲା ସତ୍ୟବାଦୀର ଚିତ୍ର । ଉଜୁଡି ଯାଇଛି ନଡିଆ ଚାଷ । ଭାଙ୍ଗି ଯାଇଛି ହଜାର ହଜାର ନଡିଆ ଗଛ । ପୁରା ଛାରଖାର ହୋଇଯାଇଛି ନଡିଆ ବଗିଚା । ଯେଉଁ ଗଛ କରିବାକୁ ଚାଷୀକୁ ବର୍ଷ ବର୍ଷ ଲାଗିଯାଇଥିଲା ସେହି ଗଛ ମାତ୍ର କେଇ ଘଂଟାର ପବନରେ ଭାଙ୍ଗି ଛାରଖାର ହୋଇଯାଇଛି । ରହି ଯାଇଛି କିଛି ଅଧା ଭଙ୍ଗା ଗଛ । ଯେଉଁ କିଛି ଗଛ ବାତ୍ୟା କବଳରୁ ବର୍ତି ଯାଇଛି ତାହା ରୋଗିଣା ହୋଇଯିବାର ଭୟ ରହିଛି । ବାତ୍ୟା ଫୋନି ଚନ୍ଦଭାଗାରେ ମାଡ କରିବା ପରେ ପୁରା ପୁରୀ ଜିଲ୍ଲାକୁ ଖିନଭିନ୍ କରିଦେଇଛି । ଆଉ ବାତ୍ୟା ପରେ ସତ୍ୟବାଦୀ ନଡିଆ କ୍ଷେତର ଚିତ୍ର ଦେଖି ହତାସ ହୋଇ ପଡିଛନ୍ତି ସତ୍ୟବାଦୀର ଚାଷୀ ।
/kanak/media/post_attachments/wp-content/uploads/2019/05/vlcsnap-error601-1-300x169.png)
ବାତ୍ୟା ଫୋନି ତ ତାଣ୍ଡବ କରି ଚାଲିଯାଇଛି । ହେଲେ ଲୋକଙ୍କ ହାତରେ ଉଜୁଡା କ୍ଷେତ ଧରେଇ ହତାସ କରିଦେଇଛି । ପିଲା ଛୁଆଁଙ୍କୁ ଧାରି ନଡିଆ ବଗିଚାକୁ ସଫା କରିବାରେ ଲାଗିଛନ୍ତି ସତ୍ୟବାଦୀର ଚାଷୀ ପରିବାର । ଆଉ ଖାଁ ଖାଁ ଦିଶୁଥିବା ସତ୍ୟବାଦୀ ପୁଣିଥରେ ସବୁଜ ବନାନୀରେ ପରିଣତ ହେବାକୁ କେତେ ବର୍ଷ ଲାଗିବ ତାହା ସବୁଠୁ ବଡ ପ୍ରଶ୍ନ ।