କନକ ବ୍ୟୁରୋ : ଓଡ଼ିଶାର ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ‘ଦି ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’କୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉନ୍ମୋଚନ କରିଛନ୍ତି। ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପରେ ଶନିବାର ସନ୍ଧ୍ୟାରେ ଆୟୋଜିତ ଭବ୍ୟ ସମାରୋହରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ା, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ସିପିଆଇ(ଏମ୍) ନେତା ସୀତାରାମ ୟେଚୁରୀଙ୍କ ଉପସ୍ଥିତିରେ ଏହି ପୁସ୍ତକ ଉନ୍ମୋଚନ ହୋଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ବିଜୁ ବାବୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ ଅବସରରେ ଇଂରାଜୀ ଖବରକାଗଜ ‘ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍’ର ସମୂହ ସଂପାଦକ ପ୍ରଭୁ ଚାଓ୍ଵଲା ବିଜୁ ପଟ୍ଟନାୟକଙ୍କ ମହାନତା ସମ୍ପର୍କରେ ବଖାଣିବାକୁ ଯାଇ ଆଧୁନିକ ଓଡ଼ିଶାର ନିର୍ମାତା ଭାବରେ ଉପସ୍ଥାପନା କରିଥିଲେ। ବିଜୁ ପଟ୍ଟନାୟକ ଆଧୁନିକତାର ସହିତ ତାଳ ଦେଇ ଓଡ଼ିଶାର ବିକାଶମୂଳକ କାମ କରିବାକୁ ସବୁବେଳେ ଚାହୁଁଥିଲେ। ସେଥିପାଇଁ ସେ ସର୍ବପ୍ରଥମେ ଶିଳ୍ପକୁ ଗୁରୁତ୍ୱ ଦେଉଥିଲେ। ଅତି ସାଧାରଣ ଜୀବନଯାପନ କରୁଥିବା ବିଜୁ ପଟ୍ଟନାୟକ ଓଡ଼ିଶାର ଯୁବଗୋଷ୍ଠୀ କେମିତି ରୋଜଗାରକ୍ଷମ ହେବେ ସେଥିପାଇଁ ମଧ୍ୟ ଚିନ୍ତା କରୁଥିଲେ।
ଜୀବନରେ ବହୁ ପୁସ୍ତକ ଉନ୍ମୋଚନ କରିଛି କିନ୍ତୁ ଆଜି ଭଳି ଏକ ବିଶାଳ କାର୍ଯ୍ୟକ୍ରମ ରେ ଭାଗ ନେଇ ନ ଥିବା ମୁଁ ମନେ କରୁଛି ବୋଲି ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନି କହିଛନ୍ତି। ଆଜିର ପୁସ୍ତକ ଉନ୍ମୋଚନ କାର୍ଯ୍ୟମରେ ଯେତିକି ଆନନ୍ଦ ମିଳୁଛି, ତାହା ପୂର୍ବରୁ କେବେ ମିଳି ନ ଥିଲା। ବିଜୁ ପଟ୍ଟନାୟକଙ୍କୁ ଆଜି ଓଡ଼ିଶାର ଲୋକେ ବହୁତ ସମ୍ମାନ ଦେଇଛନ୍ତି।
ଓଡ଼ିଶାର ଶିଳ୍ପଦ୍ୟୋଗର ବିକାଶରେ ବିଜୁ ପଟ୍ଟନାୟକଙ୍କ ଭୂମିକାକୁ ଓଡ଼ିଆ ଲୋକେ ଭୁଲି ପାରିବେ ନାହିଁ। ଭୁବନେଶ୍ୱରରେ ବିମାନ ବନ୍ଦର, ଅନୁଗୁଳରେ ନାଲକୋ, ତାଲଚେରରେ ଥର୍ମାଲ ପାଓ୍ଵାର ଷ୍ଟେସନ, ବାଳିମେଳା ତାପଜ ବିଦ୍ୟୁତ ପ୍ରକଳ୍ପ, କୋରାପୁଟ ଜିଲ୍ଲା ସୁନାବେଡ଼ାରେ ହିନ୍ଦୁସ୍ଥାନ ଏରୋନେଟିକ୍ ଲିମିଟେଡ, କଟକ ଜିଲ୍ଲା ଚୌଦ୍ୱାର ଓ କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିବାରେ ବିଜୁ ବାବୁଙ୍କର ଯୋଗଦାନ ଅଭୁଲା ରହିବ।
ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ପ୍ରଫୁଲ୍ଲ ଘଡ଼େଇ, ବିଶ୍ୱଭୂଷଣ ହରିଚନ୍ଦନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇଛନ୍ତି। ବିଜୁ ବାବୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ ଅବସରରେ ରାଜଧାନୀରେ ଆୟୋଜନ ହୋଇଥିବା ବିଶାଳ କାର୍ଯ୍ୟକ୍ରମରେ ବିଭିନ୍ନ ଦଳର ରାଜନେତା, ସାହିତ୍ୟିକ, ବୁଦ୍ଧିଜୀବି ପ୍ରମୁଖ ସାମିଲ ହୋଇଥିଲେ।